Odisha Link
Bridging the Missing Links in Odisha

ଆସନ୍ତାକାଲି ୨ୟ ଉତ୍କର୍ଷ ସମ୍ମାନ, ସମ୍ମାନିତ ହେବେ ୨୦ ପ୍ରତିଭା

ଅତିଥି ଭାବେ ଯୋଗଦେବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ବରିଷ୍ଠ କବି ପଦ୍ମ ବିଭୂଷଣ ସୀତାକାନ୍ତ ମହାପାତ୍ର
ଭୁବନେଶ୍ବର: ଆସନ୍ତାକାଲି ଆୟୋଜିତ ହେଉଛି ଦ୍ବୀତିୟ ଓଡ଼ିଶା ଉତ୍କର୍ଷ ସମ୍ମାନ ସମାରୋହ। ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆୟୋଜିତ ହେଉଛି ଦ୍ବୀତିୟ ଓଡ଼ିଶା ଉତ୍କର୍ଷ ସମ୍ମାନ ସମାରୋହ। ଜଣାଶୁଣା ଗଣମାଧ୍ୟମ ଓ ପ୍ରକାଶନ ସଂସ୍ଥା ଓଡ଼ିଆ ମିଡିଆ ପକ୍ଷରୁ ଆୟୋଜିତ ଏହି ପ୍ରସିଦ୍ଧ ସମ୍ମାନ ସମାରୋହରେ ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ପ୍ରସିଦ୍ଧ କବି ପଦ୍ମବିଭୂଷଣ ସୀତାକାନ୍ତ ମହାପାତ୍ରଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରାଯାଇଛି।

ଗଣମାଧ୍ୟମକୁ ସୂଚନା ଦେଇ ଓଡ଼ିଆ ମିଡିଆର ନିର୍ଦ୍ଦେଶକ କଥାକାର ଓ ସାମ୍ବାଦିକ ଶୁଭ୍ରାଂଶୁ ପଣ୍ଡା କହିଛନ୍ତି ଯେ ଗତ ବର୍ଷ ଭଳି ଏ ଥର ମଧ୍ୟ ୨୦ଟି ବର୍ଗରେ ଏହି ସମ୍ମାନ ପ୍ରଦାନ କରାଯିବ। ଆସନ୍ତା ଡିସେମ୍ବର ୧ ତାରିଖ ରବିବାର ପୂର୍ବାହ୍ଣ ୧୦ଟାରେ ସ୍ଥନୀୟ ଓଡ଼ିଶୀ ଗବେଷଣା କେନ୍ଦ୍ର ସଭାଗୃହରେ ଏହି ଉତ୍ସବ ଅନୁଷ୍ଠିତ ହେବ। ଏଥିରେ ୧୭ ଜଣ ପ୍ରସିଦ୍ଧ ପ୍ରତିଭାଙ୍କ ସମେତ ୩ଟି ଅନୁଷ୍ଠାନକୁ ସମ୍ମାନ ପ୍ରଦାନ କରାଯିବ।

ପୁରସ୍କାର ଚୟନ କମିଟି ସୁପାରିଶ କରିଥିବା ୧୭ ଜଣ ପ୍ରାପକ ହେଲେ ସଂଗୀତରେ ପଦ୍ମଶ୍ରୀ ପ୍ରଫୁଲ୍ଲ କର, କଳାରେ ପଦ୍ମଶ୍ରୀ ସୁଦର୍ଶନ ସାହୁ, ନୃତ୍ୟରେ ପଦ୍ମଶ୍ରୀ ଇଲିଆନା ସିତାରିସ୍ତି, ସମାଜସେବାରେ ଶ୍ରୀ ଜଗଦାନନ୍ଦ, ସାହିତ୍ୟରେ ଶ୍ରୀ ହରପ୍ରସାଦ ଦାସ, ନାଟକ କ୍ଷେତ୍ରରେ ଶ୍ରୀ ଅଜିତ ଦାସ, ସିନେମାରେ ଶ୍ରୀମତୀ ମହାଶ୍ବେତା ରାୟ, ଲୋକସେବାରେ ଶ୍ରୀ ଅରୁଣ ବୋଥ୍ରା, କ୍ରୀଡ଼ାରେ ଶ୍ରୀମତୀ ଅନୁରାଧା ବିଶ୍ବାଳ, ସାମ୍ବାଦିକତାରେ ଶ୍ରୀ ସନ୍ଦୀପ ସାହୁ, ଉଦ୍ୟୋଗ କ୍ଷେତ୍ରରେ ଶ୍ରୀ ଜଗଦୀଶ ପ୍ରସାଦ ନାୟକ, ପ୍ରେରଣା କ୍ଷେତ୍ରରେ ଶ୍ରୀ ଅରୁଣ କୁମାର ସାବତ, ସ୍ବାସ୍ଥ୍ୟ କ୍ଷେତ୍ରରେ ଡାକ୍ତର ଅକ୍ଷୟ କୁମାର ରାଉତ, ନେତୃତ୍ବ କ୍ଷେତ୍ରରେ ପ୍ରିୟଦର୍ଶୀ ନାନୁ ପାଣି, ଶିକ୍ଷା କ୍ଷେତ୍ରରେ ଶ୍ରୀମତୀ ସବିତା ପଟ୍ଟନାୟକ, ପ୍ରଯୁକ୍ତି ବିଜ୍ଞାନ କ୍ଷେତ୍ରରେ ଶ୍ରୀ ପ୍ରଶାନ୍ତ ସାହୁ ଓ ସଂପଦ ପରିଚାଳନା କ୍ଷେତ୍ରରେ ଶ୍ରୀ ତ୍ରିନାଥ ଲେଙ୍କା।

ଅନୁରୂପ ଭାବେ ତିନୋଟି ଅନୁଷ୍ଠାନ ମଧ୍ୟ ଏହି ତାଲିକାରେ ସାମିଲ ଅଛନ୍ତି। କର୍ପୋରେଟ୍‌ ସାମାଜିକ ଦାୟିତ୍ବ (ସିଏସ୍‌ଆର) କ୍ଷେତ୍ରରେ ଜାତୀୟ ଇସ୍ପାତ କମ୍ପାନୀ ନାଲ୍‌କୋ, ପ୍ରଶିକ୍ଷଣ କ୍ଷେତ୍ରରେ ବାଜିରାଓ ଆଇଏଏସ୍‌ ଏକାଡେମୀ ଓ ଗୋଷ୍ଠୀ ଉନ୍ନୟନ କ୍ଷେତ୍ରରେ ସାଉଥ୍‌ ଓଡ଼ିଶା ଭଲ୍ୟୁଣ୍ଟାରୀ ଆକ୍ସନ (ସୋଭା) ଓଡ଼ିଶା ଉତ୍କର୍ଷ ସମ୍ମାନ ୨୦୧୯ ଗ୍ରହଣ କରିବେ।

ରାଜ୍ୟର ଜଣାଶୁଣା ପ୍ରତିଭା ଓ ଅନୁଷ୍ଠାନ ସମେତ ସଫଳ ଓ ନିରବ ସାଧକଙ୍କୁ ଗୋଟିଏ ମଞ୍ଚରେ ଏକାଠି କରି ସେମାନଙ୍କ ଉତ୍କର୍ଷତାର ଜୟଗାନ କରିବା ଏହି ସମ୍ମାନ ସମାରୋହର ଉଦ୍ଦେଶ୍ୟ ବୋଲି ଓଡ଼ିଆ ମିଡିଆ ନିର୍ଦେଶକ ଶ୍ରୀ ପଣ୍ଡା କହିଛନ୍ତି। ଏ ଅବସରରେ ସମ୍ମାନିତ ବ୍ୟକ୍ତିତ୍ବ ଓ ଅନୁଷ୍ଠାନ ବାବଦରେ ଉଲ୍ଲେଖ ଥାଇ ଏକ ପୁସ୍ତିକା ପ୍ରକାଶ ପାଇବ ବୋଲି ସେ ସୂଚନା ଦେଇଛନ୍ତି।

କେନ୍ଦ୍ର ସରକାରଙ୍କ ଦ୍ବାରା ଷ୍ଟାର୍ଟଅପ୍‌ ସ୍ବୀକୃତିପ୍ରାପ୍ତ ଓଡ଼ିଆ ମିଡିଆ ବର୍ଷ ତମାମ୍‌ ଜାତୀୟ ଓ ରାଜ୍ୟସ୍ତରୀୟ ଏକାଧିକ ଉତ୍ସବ ଆୟୋଜନ କରିଥାଏ। ସେଥିମଧ୍ୟରେ ରହିଛି କୋରାପୁଟ ସାହିତ୍ୟ ଉତ୍ସବ, ଭୁବନେଶ୍ବର ସାହିତ୍ୟ ଉତ୍ସବ, ଭାଷା ଉତ୍ସବ, ଓଡ଼ିଶା ଯୁବ ସମ୍ମାନ, ଓଡ଼ିଶା ଶିକ୍ଷା ସମ୍ମାନ, ଓଡ଼ିଶା ମିଡିଆ କନକ୍ଲେଭ୍‌ ଓ ପେନ୍‌ ଇନ୍‌ ବୁକ୍ସ ଯୁବ ଲେଖକ ସମ୍ମାନ। ଏହି ସମ୍ମାନ ସମାରୋହରେ ବହୁ ସଂଖ୍ୟାରେ ଯୋଗଦେବାପାଇଁ ଆଗ୍ରହୀ ଜନସାଧାରଣଙ୍କୁ ଅନୁରୋଧ ଜଣାଇଛନ୍ତି ଶ୍ରୀ ପଣ୍ଡା।

Comments are closed.