Odisha Link
Bridging the Missing Links in Odisha

ନାଗରିକତା ବିଲ୍: ଆଞ୍ଚଳିକ ଦଳଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ, କଂଗ୍ରେସର ପ୍ରସ୍ତାବକୁ ବିଜେଡିର ନା

ନୂଆଦିଲ୍ଲୀ: ଆସନ୍ତାକାଲି ରାଜ୍ୟସଭାରେ ଆଗତ ହେବ ନାଗରିକତା ସଂଶୋଧନ ବିଲ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହାକୁ ରାଜ୍ୟସଭାରେ ଉପସ୍ଥାପନ କରିବେ। ଲୋକସଭା ଭଳି ରାଜ୍ୟସଭାରେ ବିଲ୍ ପାସ କରାଇବାକୁ ରୀତିମତ ପ୍ରୟାସ କରୁଛନ୍ତି ବିଜେପିର ବରିଷ୍ଠ ନେତା। ସେପଟେ ବିଲ୍ ପାସ୍ କରାଇ ନଦେବାକୁ ସ୍ୱତନ୍ତ୍ର ରଣନୀତି କରୁଛନ୍ତି ବିରୋଧୀ।

ଏଥିନେଇ ଗତକାଲିଠୁ କସରତ ଆରମ୍ଭ କରିଛନ୍ତି ଉଭୟ ବିଜେପି ଓ ବିରୋଧୀ କଂଗ୍ରେସ। ଗତକାଲି ରାଜ୍ୟସଭାରେ କଂଗ୍ରେସ ଦଳର ନେତା ଗୁଲାମ ନବୀ ଆଜାଦ ବିଜେଡିର ସଂସଦୀୟ ଦଳ ନେତା ପ୍ରଶନ୍ନ ଆଚାର୍ଯ୍ୟଙ୍କୁ ସାକ୍ଷାତ କରିଥିଲେ । ନାଗରିକତା ସଂଶୋଧନ ବିଲକୁ ସମର୍ଥନ ନକରିବାକୁ ପ୍ରଶନ୍ନଙ୍କୁ ଅନୁରୋଧ କରିଥିଲେ କଂଗ୍ରେସ ନେତା। ଧର୍ମନିରପେକ୍ଷତାର କଥା କହିବା ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପ୍ରସଙ୍ଗ ଉଠାଇଥିଲେ ଗୁଲାମନବୀ । ବିଜେଡି ଏହାକୁ ସମର୍ଥନ କରିବା ଉଚିତ୍ ନୁହେଁ ବୋଲି ସେ କହିଥିଲେ। ତେବେ କଂଗ୍ରେସର ଏଭଳି ପ୍ରସ୍ତାବକୁ ସିଧା ସିଧା ମନାକରି ଦେଇଥିଲେ ପ୍ରଶନ୍ନ ଆଚାର୍ଯ୍ୟ। କହିଥିଲେ, ରାଷ୍ଟ୍ରୀୟ ସ୍ୱାର୍ଥ ହିତରେ ବିଜେଡି ତଥା ପାର୍ଟିର ସୁପ୍ରିମୋ ନବୀନ ପଟ୍ଟନାୟକ ସବୁବେଳେ ନିଷ୍ପତ୍ତି ନେଇଆସିଛନ୍ତି। ଐତିହାସିକ ବିଲକୁ ସାମ୍ପ୍ରଦାୟିକ କିମ୍ବା ଧର୍ମୀୟ ଦୃଷ୍ଟିକୋଣରୁ ନଦେଖି, ଭାରତ ବର୍ଷର ରାଷ୍ଟ୍ରୀୟ ଓ ବୃହତର ସ୍ୱାର୍ଥ ଦୃଷ୍ଟିରୁ ଦେଖିବାର ଆବଶ୍ୟକତା ରହିଛି ବୋଲି ବିଜେଡି ପକ୍ଷରୁ କୁହାଯାଇଛି ।

ସେପଟେ ବିଜେପିକୁ ବିଭିନ୍ନ ରାଷ୍ଟ୍ରୀୟ ପ୍ରସଙ୍ଗରେ ଏବଂ ବିଲ୍ ପାସ ବେଳେ ସମର୍ଥନ କରୁଥିବା ଟିଆରଏସ୍ ଏଥର ନିଜର ମତ ବଦଳାଇଛି। ରାଜ୍ୟସଭାରେ ଦଳ ସମର୍ଥନ ଦେବ ନାହିଁ ବୋଲି ସିଧା ସିଧା ଜଣାଇଦେଇଛି । ଚର୍ଚ୍ଚା ଅନୁସାରେ, ତେଲେଙ୍ଗାନାରେ ଥିବା ୨୦ ପ୍ରତିଶତ ମୁସଲିମ୍ ଭୋଟ ବ୍ୟାଙ୍କକୁ ଆଖି ଆଗରେ ରଖି ଦଳ ଏଥର ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି। ସେପଟେ କଂଗ୍ରେସ ରାଜ୍ୟସଭାରେ ବିଲ୍ ଯେଭଳି ପାସ୍ ନହୁଏ ସେନେଇ ଅନ୍ୟ ଏନଡିଏ ସହଯୋଗୀ ଓ ରାଜନୀତିକ ଦଳ ସହ ଆଲୋଚନା ଜାରି ରଖିଛି।

Comments are closed.