Odisha Link
Bridging the Missing Links in Odisha

ପେନ୍‌ ଇନ୍‌ ବୁକ୍ସ ଯୁବ ଲେଖକ ପୁରସ୍କାର ୨୦୧୯ ଘୋଷଣା

ଭୁବନେଶ୍ବର: ରାଜ୍ୟର ପ୍ରମୁଖ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ପ୍ରତିବର୍ଷ ଦିଆଯାଉଥିବା ଯୁବ ଲେଖକ ପୁରସ୍କାରର ତୃତୀୟ ସଂସ୍କରଣ ଫଳାପଳ ପ୍ରକାଶ ପାଇଛି। ମୋଟ ୧୦ ଜଣ ଲେଖକଙ୍କୁ ଏଥିଲାଗି ମନୋନୀତ କରାଯାଇଛି। ଓଡ଼ିଆ ମିଡିଆ ପକ୍ଷରୁ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ସେମାନଙ୍କୁ ପୁରସ୍କୃତ କରାଯିବ ବୋଲି ଅନୁଷ୍ଠାନର ନିର୍ଦ୍ଦେଶକ ତଥା ଜଣାଶୁଣା ଲେଖକ ଓ ସାମ୍ବାଦିକ ଶୁଭ୍ରାଂଶୁ ପଣ୍ଡା ସୂଚନା ଦେଇଛନ୍ତି। ପୁରସ୍କୃତ ଯୁବ ପ୍ରତିଭାଙ୍କ ମଧ୍ୟ୍ୟରେ ୭ ଜଣ ଓଡ଼ିଆ ଲେଖକ ଥିବା ବେଳେ ଜଣେ ହିନ୍ଦୀ ଓ ୨ ଜଣ ଇଂରାଜୀରେ ଲେଖାଲେଖି କରୁଥିବା ଯୁବ ଲେଖକ ଅଛନ୍ତି। ସେମାନଙ୍କ ଅପ୍ରକାଶିତ ପୁସ୍ତକ ପାଣ୍ଡୁଲିପି ନିମନ୍ତେ ପେନ୍‌ ଇନ୍‌ ବୁକ୍ସ ଯୁବ ଲେଖକ ପୁରସ୍କାର ୨୦୧୯ ପ୍ରଦାନ କରାଯାଉଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ଓଡ଼ିଆ ସାହିତ୍ୟ ପାଇଁ ପେନ୍‌ ଇନ୍‌ ବୁକ୍ସ ଯୁବ ଲେଖକ ପୁରସ୍କାର ୨୦୧୯ ପାଉଥିବା ୭ ଜଣ ପ୍ରତିଭା ହେଲେ ଫିଚର ପାଣ୍ଡୁଲିପି ‘ରଜାଘର କଥା’ ପାଇଁ ହରିହର ପଣ୍ଡା, ଉପନ୍ୟାସ ‘ମହାସତୀ’ ପାଇଁ କୃପାସିନ୍ଧୁ ପ୍ରଧାନ, ‘ସବୁ ରାତି ତୁମ ପାଇଁ’ କବିତା ପାଣ୍ଡୁଲିପି ନିମନ୍ତେ କ୍ଷିରୋଦିନୀ ବେହେରା, ଗୀତିକବିତା ସଂକଳନ ‘କେବେ ଶହେ କେବେ ଶୂନ’ ପାଇଁ ସୁବ୍ରତ ସ୍ବାଇଁ, କବିତା ପାଣ୍ଡୁଲିପି ‘ଅନ୍ଧାରର ଆରାଧନା’ ପାଇଁ ସ୍ବରୂପ କୁମାର ନାୟକ, କବିତା ପାଣ୍ଡୁଲିପି ‘ମୁକ୍ତି ଅଭିଷିକା’ ପାଇଁ ଦଶରଥ ହେମ୍ବ୍ରମ ଓ କବିତା ପାଣ୍ଡୁଲିପି ‘କାଶତଣ୍ଡି’ ପାଇଁ ଲୋକନାଥ ସାହୁ।

ଅନୁରୂପ ଭାବେ ହିନ୍ଦୀ କବିତା ପାଣ୍ଡୁଲିପି ‘ରାବ୍‌ତା’ ନିମନ୍ତେ ଗାୟତ୍ରୀ ମାଭୁରୁ, ଇଂରାଜୀ ଉପନ୍ୟାସ ‘ଦୋଜ୍‌ କ୍ରେଜି ସେଭେନ୍‌ ଇଅର୍ସ’ ପାଇଁ ଶୁଭ୍ରାଂଶୁ ଶେଖର ଓଝା ଓ ଇଂରାଜୀ କବିତା ପାଣ୍ଡୁଲିପି ‘ଦ ଅକ୍ଟାହେଡ୍ରାଲ୍‌ ଭର୍ସେସ୍’ ପାଇଁ ଅଭିଷେକ ପାଣି ପେନ୍‌ ଇନ୍‌ ବୁକ୍ସ ଯୁବ ଲେଖକ ପୁରସ୍କାର ୨୦୧୯ ପାଇଁ ମନୋନୀତ ହୋଇଛନ୍ତି।

ଏହି ପୁରସ୍କାର ବାବଦରେ ସୂଚନା ଦେଇ ଶୁଭ୍ରାଂଶୁ ପଣ୍ଡା କହିଛନ୍ତି ଯେ ୨୦୧୭ ମସିହା ଠାରୁ ୪୦ ବର୍ଷରୁ କମ୍‌ ବୟସର ଭାରତୀୟ (ବିଶେଷ କରି ଓଡ଼ିଶାର) ଲେଖକମାନଙ୍କୁ ଏହି ପୁରସ୍କାର ଦିଆହୋଇ ଆସୁଛି। ପ୍ରଥମ ବର୍ଷ କେବଳ ଓଡ଼ିଆ ଲେଖକଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ୨୦୧୮ ମସିହା ଠାରୁ ଇଂରାଜୀ ଓ ହିନ୍ଦୀ ପାଣ୍ଡୁଲିପିକୁ ମଧ୍ୟ ସାମିଲ କରାଯାଇଛି।

ଏବେ ଘୋଷଣା କରାଯାଇଥିବା ୩ୟ ସଂସ୍କରଣର ପୁରସ୍କାର ନିମନ୍ତେ ଚଳିତ ବର୍ଷ ଅକ୍ଟୋବର ମାସରେ ପାଣ୍ଡୁଲିପି ଆହ୍ବାନ କରାଯାଇଥିଲା। ନଭେମ୍ବର ଶେଷ ସୁଦ୍ଧା ମିଳିଥିବା ପ୍ରାୟ ୮୦ରୁ ଅଧିକ ପାଣ୍ଡୁଲିପି ମଧ୍ୟରୁ ଅଭିଜ୍ଞ ବିଚାରକ ମଣ୍ଡଳୀ ଦ୍ବାରା ଉପରୋକ୍ତ ୧୦ ଜଣ ଲେଖକଙ୍କ ପାଣ୍ଡୁଲିପିକୁ ଚୟନ କରାଯାଇଛି।

ବିଶାଳ ପାଠକ ସମାଜ ଆଗରେ ନୂଆ ଓ ଦକ୍ଷ ଯୁବ ଲେଖକମାନଙ୍କୁ ପରିଚିତ କରାଇବା ତଥା ସେମାନଙ୍କୁ ଉତ୍ସାହିତ କରିବା ଲକ୍ଷ୍ୟରେ ଏହି ପୁରସ୍କାର ସ୍ଥାପନ କରାଯାଇଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି। ଭୁବନେଶ୍ବରରେ ଏକ ସ୍ବତନ୍ତ୍ର ଉତ୍ସବରେ ସମସ୍ତ ୧୦ ଜଣ ପ୍ରାପକଙ୍କୁ ପୁରସ୍କୃତ କରାଯିବ। ପରେ ପୁରସ୍କୃତ ପାଣ୍ଡୁଲିପି ସବୁ ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ବହି ଆକାରରେ ପ୍ରକାଶ ପାଇବ। ପୁରସ୍କାର ବିତରଣ ଉତ୍ସବ ଅବସରରେ ଗତ ବର୍ଷର ପୁରସ୍କୃତ ପାଣ୍ଡୁଲିପିଗୁଡ଼ିକ ପୁସ୍ତକ ଆକାରରେ ପ୍ରକାଶ ପାଇବ ବୋଲି ସେ ସୂଚନା ଦେଇଛନ୍ତି।

ଅଗ୍ରଣୀ ଗଣମାଧ୍ୟମ ଓ ପ୍ରକାଶନ ସଂସ୍ଥା ଓଡ଼ିଆ ମିଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ପ୍ରକାଶନ ବିଭାଗ ହେଉଛି ପେନ୍‌ ଇନ୍‌ ବୁକ୍ସ। ଏହି ପୁରସ୍କାର ସମାରୋହ ଭିନ୍ନ ଓଡ଼ିଆ ମିଡିଆ ପକ୍ଷରୁ ବର୍ଷ ବ୍ୟାପୀ ବିଭିନ୍ନ ଜାତୀୟ ଓ ରାଜ୍ୟସ୍ତରୀୟ ଉତ୍ସବ ଆୟୋଜନ କରାଯାଇଥାଏ। ସେସବୁ ମଧ୍ୟରେ ରହିଛି କୋରାପୁଟ ସାହିତ୍ୟ ଉତ୍ସବ, ଭୁବନେଶ୍ବର ସାହିତ୍ୟ ଉତ୍ସବ, ଭାଷା ଉତ୍ସବ, ଓଡ଼ିଶା ଯୁବ ସମ୍ମାନ, ଓଡ଼ିଶା ଶିକ୍ଷା ସମ୍ମାନ, ଓଡ଼ିଶା ମିଡିଆ କନକ୍ଲେଭ୍, ଓଡ଼ିଶା ସ୍ବାସ୍ଥ୍ୟ କନକ୍ଲେଭ୍‌ ଓ ଓଡ଼ିଶା ଉତ୍କର୍ଷ ସମ୍ମାନ।

୨୦୦୬ ମସିହାରୁ ପୁସ୍ତକ ପ୍ରକାଶ କରି ଆସୁଥିବା ପେନ୍‌ ଇନ୍‌ ବୁକ୍ସ ୨୦୦ରୁ ଅଧିକ ପ୍ରସିଦ୍ଧ ପୁସ୍ତକ ଛାପିବା ସହ ରାଜ୍ୟର ଏକ ପ୍ରମୁଖ ପ୍ରକାଶନ ସଂସ୍ଥା ଭାବେ ଉଭା ହୋଇଛି। ଏହା ଓଡ଼ିଆ ସମେତ ଇଂରାଜୀ ଓ ହିନ୍ଦୀ ଭାଷାର ପୁସ୍ତକ ମଧ୍ୟ ପ୍ରକାଶ କରିଥାଏ।

To read this news in English click here

Comments are closed.