Odisha Link
Bridging the Missing Links in Odisha

ନାମ ବଦଳ ରାଜନୀତି: ପ୍ରଥମେ ଉତ୍କଳ, ପରେ ବିଦଗ୍ଧ କବି, ଏବେ ନେହରୁ

ଭୁବନେଶ୍ବର: ଧର୍ମନିରପେକ୍ଷତାର ମୁଖା ତଳେ ବିଜୁ ଜନତା ଦଳର ତୁଷ୍ଟୀକରଣ ରାଜନୀତି ବେଳକୁ ବେଳ ସ୍ପଷ୍ଟ ହେଉଛି। ନବୀନ ପଟ୍ଟନାୟକ ନେତୃତ୍ବାଧୀନ ସରକାର କେତେବଳେ ସଂଖ୍ୟାଲଘୁଙ୍କୁ ଖୁସି କରିବାକୁ ପ୍ରସିଦ୍ଧ କବିଙ୍କୁ ଅଣଦେଖା କରୁଛନ୍ତି ତ କେତେବେଳେ କଂଗ୍ରେସ ବିରୋଧୀ ତତ୍ତ୍ବର ପ୍ରିୟପାତ୍ର ହେବାକୁ ନେହରୁଙ୍କୁ ହଟାଉଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ପୁଣି କେତେବେଳେ ବେଶ୍‌ ଚତୁରତାର ସହ ଓଡ଼ିଶାର ଅନ୍ୟତମ ସାଂସ୍କୃତିକ ପ୍ରତିଶବ୍ଦ ‘ଉତ୍କଳ’କୁ ସରକାରୀ ମଗଜରୁ ହଟାଇ ଦିଆଯାଉଛି।

ଏଜି ଛକ ଠାରୁ ସଚିବାଳୟ ସମ୍ମୁଖ ଦେଇ ଆଚାର୍ଯ୍ୟ ବିହାର ପର୍ଯ୍ୟନ୍ତ ୩.୫ କିଲୋମିଟର ରାସ୍ତାର ନାମ ପୂର୍ବରୁ ଜବାହରଲାଲ୍‌ ନେହରୁ ମାର୍ଗ ଥିଲା। ଏ କଥା ଆମେ କହୁନାହୁଁ, ବରଂ ସରକାରଙ୍କ ପୂର୍ତ୍ତ ବିଭାଗ ଓ୍ବେବ୍‌ସାଇଟ୍‌ରେ ଏହା ସ୍ପଷ୍ଟ ଭାବରେ ଉଲ୍ଲେଖ ରହିଛି। ସରକାର ଆଜି ଠାରୁ ଏହାର ନାମ ‘ଲୋକସେବା ମାର୍ଗ’ ଭାବରେ ନାମିତ କରାଯାଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଗତକାଲି ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ସଚିବାଳୟର ନାମ ପରିବର୍ତ୍ତନ କରାଯାଇ ଲୋକସେବା ଭବନ ରଖାଯାଇଥିବା ବେଳେ ସଚିବାଳୟ ମାର୍ଗର ନାମ ଲୋକ ସେବା ମାର୍ଗ ହୋଇଥିବା ସରକାରଙ୍କ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି। ଅସଲରେ ରାସ୍ତାର ନାମ ସଚିବାଳୟ ମାର୍ଗ ବୋଲି ସରକାରୀ ନଥିରେ ନାହିଁ।

୨୦୧୬ ମସିହାରେ ଏକ ନିର୍ଦ୍ଦିଷ୍ଟ ଧର୍ମ ସଂପ୍ରଦାୟର ଅନୁରୋଧ ରକ୍ଷା କରିବା ପାଇଁ ଓଡ଼ିଶା ସରକାର ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ନାମରେ ନାମିତ ମାର୍ଗକୁ (ସତ୍ୟ ନଗର ଛକ ଠାରୁ କଟକ ରୋଡ୍) ପରିବର୍ତ୍ତନ କରି ମଦର ଟେରାସାଙ୍କ ନାମରେ ନାମିତ କରିଥିଲେ। ଏ ନେଇ ବିଭିନ୍ନ ମହଲରୁ ନିନ୍ଦା, ଦାବି ଓ ଭର୍ତ୍ସନା ଶୁଣିବା ପରେ ୨୦୧୭ ଜୁଲାଇରେ ସହରର ଅନ୍ୟ ଏକ ରାସ୍ତାକୁ (ଆନନ୍ଦ ବଜାର ଛକ ଠାରୁ ରମାଦେବୀ ବିଶ୍ବବିଦ୍ୟାଳୟ) ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ନାମରେ ନାମିତ କରାଯାଇଛି।

ସବୁଠାରୁ ସାଂଘାତିକ ଷଡ଼ଯନ୍ତ୍ର ହୋଇଛି ଉତ୍କଳ ଦିବସର ନାମ ପରିବର୍ତ୍ତନ ନେଇ। ଓଡ଼ିଶାର କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ‘ଉତ୍କଳ’ ଶବ୍ଦକୁ ପ୍ରବଳ ବିରୋଧ କରାଯାଉଛି। ସେସବୁ ସ୍ଥାନରେ କିଛି ଉଗ୍ର ବିଛିନ୍ନତାବାଦୀଙ୍କ ଦ୍ବାରା ଉତ୍କଳ ଦିବସକୁ ‘କଳା ଦିବସ’ ଭାବେ ପାଳନ କରାଯାଉଥିବାର ମଧ୍ୟ ଉଦାହରଣ ରହିଛି। କେତେକ ସ୍ଥାନରେ ‘ବନ୍ଦେ ଉତ୍କଳ ଜନନୀ’ ଗୀତକୁ ଅସମ୍ମାନ କରିବା ବା ଏହାର ଗାନକୁ ବିରୋଧ କରୁଥିବା ମଧ୍ୟ ଦେଖିବାକୁ ମିଳୁଛି। ୧୯୧୨ ମସିହାରେ ମଧୁସୂଦନ ଦାସଙ୍କ ଅନୁରୋଧରେ ଉତ୍କଳ ସମ୍ମିଳନୀ ପାଇଁ କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଦ୍ବାରା ଲିଖିତ ଏ ଗୀତ ଅଲିଖିତ ଭାବେ ରାଜ୍ୟ ସଂଗୀତ ମାନ୍ୟତା ପାଇସାରିଛି। ଏହାକୁ ସରକାରୀ ସ୍ବୀକୃତି ପ୍ରଦାନ ପାଇଁ ବାରମ୍ବାର ଦାବି ହୋଇ ଆସୁଥିଲେ ବି ସରକାର ଭୋଟବ୍ୟାଙ୍କ ହରାଇବା ଭୟରେ ଏ ଦାବିକୁ ଅଣଦେଖା କରି ଆସୁଛନ୍ତି। କେବଳ ସେତିକି ନୁହେଁ, ସରକାରୀ ଅଭିଧାନରୁ ‘ଉତ୍କଳ’ ଶବ୍ଦକୁ ବେଶ୍‌ ଚତୁରତାର ସହ ହଟାଇ ଦିଆଗଲାଣି। କିଛି ବର୍ଷ ହେଲା ସରକାରୀ ବାର୍ତ୍ତା, ମୁଖ୍ୟମନ୍ତ୍ରୀଙ୍କ ସୋସିଆଲ ମିଡିଆ ପୋଷ୍ଟ ଓ ବିଜ୍ଞାପନ ଆଦିରେ ‘ଉତ୍କଳ ଦିବସ’ ପରିବର୍ତ୍ତେ ‘ଓଡ଼ିଶା ଦିବସ’ ଲେଖାଯାଉଛି। ଏପରିକି ‘ବନ୍ଦେ ଉତ୍କଳ ଜନନୀ’ ଗୀତରୁ ‘ଉତ୍କଳ’ ଶବ୍ଦ ହଟାଇ ଏହା ସ୍ଥାନରେ ‘ଓଡ଼ିଶା’ ଲେଖିବାକୁ ବିଜେଡି ନେତା ଓ ମନ୍ତ୍ରୀ ଖୋଲାଖୋଲି ଦାବି କରୁଛନ୍ତି।

ଓଡ଼ିଶାରେ ନାମ ପରିବର୍ତ୍ତନର ଏ ଯେଉଁ ରାଜନୈତିକ ଦୌଡ଼ ଚାଲିଛି ‘ବିନ୍ଦୁ ସାଗର’ର ନାମ ‘ବିଜୁ ସାଗର’ ହେବାକୁ କେତେ ବା ସମୟ ଲାଗିବ!

https://www.facebook.com/Naveen.odisha/posts/2139165469503163?comment_id=2139234169496293

Comments are closed.