Odisha Link
Bridging the Missing Links in Odisha

CAA: ନାଗରିକତା ଆଇନକୁ ନେଇ ଏହା କହିଥିଲେ ମନମୋହନ ସିଂହ (ଦେଖନ୍ତୁ ଭିଡିଓ)

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ ସାରା ଦେଶରେ ପ୍ରତିବାଦ ସମର୍ଥନ ପ୍ରଦର୍ଶନ ହେଉଛି। ଆଜି ସମସ୍ତ ବାମଦଳ ଓ ମୁସଲିମ ସଙ୍ଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ବିହାରରୁ ଆରମ୍ଭ କରି ବାଙ୍ଗାଲେର ପର୍ଯ୍ୟନ୍ତ ଏହାର ପ୍ରଭାବ ଦେଖିବାକୁ ମିଳିଛି।

ଇତିମଧ୍ୟରେ କଂଗ୍ରେସକୁ କାଉଣ୍ଟର କରିବା ପାଇଁ ଭାରତୀୟ ଜନତା ପାର୍ଟି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ୨୦୦୩ ମସିହାରେ ରାଜ୍ୟସଭାରେ ଦେଇଥିବା ଏକ ଅଭିଭାଷଣର ଭିଡିଓ ସୋଶିଆଲ ମିଡିଆରେ ସେୟାର କରିଛି। ଉକ୍ତ ଭିଡିଓଟିରେ ମନମୋହନ ସିଂହ କହିଥିଲେ, ପାକିସ୍ତାନ ଓ ବାଂଲାଦେଶରେ ଧାର୍ମିକ ଉତ୍ପୀଡନାର ଶିକାର ହୋଇଥିବା ଶରଣାର୍ଥୀଙ୍କ ପ୍ରତି ସରକାର ସହାନୁଭୂତି ଦେଖାଇବା ଦରକାର।

ସୂଚନାଥାଉକି, ସେତେବେଳେ ବିଜେପି ସରକାରରେ ଥିଲା। ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିଲେ। ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡ଼ଭାନୀଙ୍କୁ ଉଦବୋଧନ ଦେବାକୁ ଯାଇ ମନମୋହନ ସିଂହ ଏଭଳି କହିଥିଲେ। ସେ ଆହୁରି କହିଥିଲେ, ‘ମୁଁ ଶରଣାର୍ଥୀଙ୍କ ସଙ୍କଟ ବାବଦରେ ଗୃହରେ ଉପସ୍ଥାପନ କରୁଛି। ଦେଶ ବିଭାଜନ ପରେ ଆମ ପଡ଼ୋଶୀ ଦେଶ ବାଂଲାଦେଶରେ ଧାର୍ମିକ ଆଧାରରେ ନାଗରିକ ମାନେ ଉତ୍ପୀଡନର ଶିକାର ହୋଇଛନ୍ତି। ଯଦି ସେଠିକାର ଲୋକମାନେ ଭାରତର ଶରଣରେ ପଶିଛନ୍ତି, ତାହେଲେ ସରକାର ତାଙ୍କୁ ନାଗରକିତ୍ୱ ଦେବା ଦରକାର। ଏମାନଙ୍କୁ ନାଗରିକତ୍ୱ ଦେବା ପାଇଁ ଆମ ସରକାରର ବ୍ୟବହାର ଉଦରାପୂର୍ଣ୍ଣ ରହିବା ଆବଶ୍ୟକ। ମୁଁ ଗମ୍ଭୀର ଭାବରେ ନାଗରିକତା ସଂଶୋଧନ ବିଧେୟକ ବାବଦରେ ଉପ ପ୍ରଧାନମନ୍ତ୍ରୀଙ୍କ ଧ୍ୟାନ ଆକର୍ଷଣ କରିବାକୁ ଚାହୁଁଛି’।

କେନ୍ଦ୍ର ସରକାର ଧାର୍ମିକ ଆଧାରରେ ଶରଣାର୍ଥୀଙ୍କୁ ନାଗରିକତା ଦେଉଥିବା ଅଭିଯୋଗ ଆଣି ଆଜି ବିରୋଧୀ ସରକାରକୁ ଘେରିଛନ୍ତି। କଂଗ୍ରେସ ସମେତ ଅନେକ ଦଳ ମଧ୍ୟ ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହି ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କର ଏକ ମନ୍ତବ୍ୟ ଜାରି କରି ବିଜେପି କଂଗ୍ରେସ ଓ ବିରୋଧୀଙ୍କୁ ଜବାବ ଦେଇଛି। ବିଜେପି ଉକ୍ତ ଭିଡିଓକୁ ନିଜ ଟୁଇଟର ଆକାଉଣ୍ଟରେ ସେୟାର କରିଛି।

Comments are closed.