Odisha Link
Bridging the Missing Links in Odisha

ଝାରସୁଗୁଡ଼ାକୁ ନୂତନ ସହରାଞ୍ଚଳ ରୂପ ଦିଆଯିବ : ନବକିଶୋର

ଭୁବନେଶ୍ୱର: ଝାରସୁଗୁଡ଼ା ସହରକୁ ଏକ ନୂତନ ଆଧୁନିକ ସହର ରୂପେ ବିକଶିତ କରିବା ପାଇଁ ସରକାରୀ ସ୍ତରରେ ପ୍ରଚେଷ୍ଟା ଆରମ୍ଭ ହୋଇଛି । ଏଥି ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା ।

ବୈଠକରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସହର ଓ ଗୃହ ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଜି. ମାଥିଭାଥାନନ୍‌ ଓ ଜିଲ୍ଲା ପାଳ ସରୋଜ କୁମାର ସାମଲଙ୍କ ସମେତ ଜିଲ୍ଲା ଓ ରାଜ୍ୟସ୍ତରୀୟ ଅଧିକାରୀମାନେ ଯୋଗଦେଇ ନୂତନ ଝାରସୁଗୁଡ଼ା ନିର୍ମାଣର ସମ୍ଭାବ୍ୟ ଯୋଜନାଗୁଡ଼ିକ ଉପରେ ଆଲୋଚନା କରିଥିଲେ ।

ଆଗାମୀ ୪୦ରୁ ୫୦ ବର୍ଷକୁ ଆଖିରେ ରଖି ସହର ସୀମା ସଲଗ୍ନ ଅଞ୍ଚଳରେ ନୂତନ ଟାଉନ୍‌ସିପ୍‌ ନିର୍ମାଣ କରିବା, ବର୍ତ୍ତମାନ ଥିବା ସହର ମଧ୍ୟରେ ଆବାସିକ ତଥା ଅନ୍ୟାନ୍ୟ ସୁବିଧା ସୁଯୋଗ ସୃଷ୍ଟି କରିବା ଏବଂ ଝାରସୁଗୁଡ଼ାକୁ ଏକ ଆଧୁନିକ ସହରାଞ୍ଚଳ ଓ ଇଣ୍ଡଷ୍ଟ୍ରିଆଲ୍‌ ହବ୍‌ ଭାବରେ ବିକଶିତ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା ।

ଏଠାରେ ସୂଚନାଯୋଗ୍ୟ ଯେ ବର୍ତ୍ତମାନ ଝାରସୁଗୁଡ଼ାଠାରେ କ୍ୟାନସର୍‌ ଓ ହାର୍ଟ ହସ୍‌ ପିଟାଲ୍‌, ଡାଇଗ୍ନୋଷ୍ଟିକ୍‌ ସେଣ୍ଟର ଓ ଷ୍ଟାଡିୟମ୍‌ ପ୍ରତିଷ୍ଠା ହେବାକୁ ଯାଉଛି । ଅନ୍ୟ ପକ୍ଷେ ବେଦାନ୍ତ, ଭୂଷଣ, ଆଦିତ୍ୟ ବିର୍ଲା ଭଳି ଶିଳ୍ପସଂସ୍ଥା ରହିଥିବାବେଳେ ଓ ପିଜିସି ଭଳି ବୃହତ୍‌ ବିଦୁ୍ୟତ ଉତ୍ପାଦନ କେନ୍ଦ୍ର ରହିଛି । ଏହା ସହିତ ଏଠାରେ ବିମାନ ବନ୍ଦର କାର୍ଯ୍ୟକ୍ଷମ ହୋଇଛି । ଫଳରେ ଝାରସୁଗୁଡ଼ା ଏକ କ୍ରମବର୍ଦ୍ଧିଷ୍ଣୁ ସହରରେ ପରିଣତ ହେଉଛି ।

ଏବେ ବେଲ ପାହାଡ଼, ବ୍ରଜରାଜନଗର ସହ ସୁନ୍ଦରଗଡ଼ ମଧ୍ୟରେ ନିର୍ମାଣ କାର୍ଯ୍ୟ ଚାଲୁ ରହିଛି । ସହର ମଧ୍ୟରେ ଥିବା ସରକାରୀ ଜମି ଚିହ୍ନଟ କରି ତା’ର ଉନ୍ନତି କରିବା ସହ ସହର ବାହାରେ ନୂଆ ଟାଉନ୍‌ସିପ୍‌ ପ୍ରତିଷ୍ଠା କରିବା ବିଷୟ ଆଲୋଚନାରେ ସ୍ଥାନ ପାଇଥିଲା । ସେହି ପରି ଲହଣ୍ଡାବୁଡ୍‌, ଏଚ୍‌ କଟା ପାଲି ଓ ବେହେରା ପାଟ ମଧ୍ୟରେ ପ୍ରାୟ ୧୫୦୦ ଏକର ସରକାରୀ ଜାଗା ଥିବାବେଳେ ଏହି ସ୍ଥାନରେ ଭବିଷ୍ୟତରେ ସହରାଞ୍ଚଳ ପରିସୀମା ବୃଦ୍ଧି ପାଇବାର ସମ୍ଭାବନା ରହିଛି ।

ଭିଡ଼ିଓ କନ୍‌ଫରେନସିଂ ମାଧ୍ୟମରେ ମନ୍ତ୍ରୀ ଦାସ, ମୁଖ୍ୟ ଶାସନ ସଚିବ, ଝାରସୁଗୁଡ଼ା ଅତିରିକ୍ତ ଜିଲ୍ଲାପାଳ, ଡିଭିଜନାଲ୍‌ ଫରେଷ୍ଟ ଅଫିସର ଓ ଅନ୍ୟ ପଦସ୍ଥ ଅଧିକାରୀଙ୍କ ସହ ପ୍ରସ୍ତାବିତ ବୃହତ୍‌ ଝାରସୁଗୁଡ଼ା ସଂପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା, ଟାଉନ୍‌ ପ୍ଲାନିଂ ନିର୍ଦ୍ଦେଶକ ଶୁଭେନ୍ଦ୍ର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.