Odisha Link
Bridging the Missing Links in Odisha

ବାଜପେୟୀଙ୍କ ଓଡ଼ିଶା ଗସ୍ତର ପୁରୁଣା ଫଟୋ ଟ୍ୱିଟ୍ କରି ସ୍ମୃତି ଉଜ୍ଜିବୀତ କଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: ଅଟଳ ଜୀଙ୍କର ଓଡିଶା ପ୍ରତି ସ୍ନେହ ଓ ମୋହ ଅତୁଟ ଥିଲା। ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ ତାଙ୍କର ୧୯୯୧-୧୯୯୨ ମସିହାର ଓଡିଶା ଗସ୍ତର ପୁରୁଣା ଫୋଟ ଟ୍ୱିଟ୍ କରି ଇତିହାସର ସ୍ମୃତିକୁ ଉଜ୍ଜିବୀତ କରିବା ସହ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୯୫ତମ ଜନ୍ମଦିବସରେ ଏହି ଫଟୋଟି ଅନେକ ସ୍ମୃତିକୁ ଉଜ୍ଜିବୀତ କରୁଛି। ଫଟୋଟି ୧୯୯୧-୧୯୯୨ ମସିହାର। ଅଟଳଜୀ ଓଡିଶା ଆସିଥିଲେ। ପାର୍ଟି ଅଫିସରୁ ଓଡିଶା ବିଧାନସଭା ବୁଲି ଦେଖିବା ପାଇଁ ଇଚ୍ଛା କଲେ। ବିଧାନସଭାର ବାଚସ୍ପତିଙ୍କ ଗ୍ୟାଲେରୀରେ କିଛି ସମୟ ବସିବା ପରେ ସେ ସମୟର ଓଡିଶାର ମୁଖ୍ୟମନ୍ତ୍ରୀ ବିଜୁ ବାବୁ ଅଟଳଜୀଙ୍କୁ ତାଙ୍କ ବ୍ୟକ୍ତିଗତ ସଚିବ ପ୍ୟାରୀମୋହନ ମହାପାତ୍ରଙ୍କୁ ପଠାଇ ତାଙ୍କ ପାଖକୁ ଆସିବାକୁ ଆମନ୍ତ୍ରଣ କଲେ। ବିଜୁ ବାବୁ ଅଟଳଜୀଙ୍କୁ ପାଛୋଟି ନେଲେ। ଅନ୍ତରଙ୍ଗ ଆଳାପ କଲେ। ଏହି ଫଟୋଟିରେ ଅଟଳଜୀ ଓ ବିଜୁ ବାବୁଙ୍କ ସହ ବିଜେପିର ସେ ସମୟର ବିଧାୟକ ବିକ୍ରମ କେଶରୀ ଦେଓ, ଅରବିନ୍ଦ ଢାଲି ଓ ସେ ସମୟର ବିଜେପିର ରାଜ୍ୟ ସଭାପତି ଡା. ଦେବେନ୍ଦ୍ର ପ୍ରଧାନ ଉପସ୍ଥିତ ଅଛନ୍ତି।

ବାଜପେୟୀଜୀ ବିରୋଧୀ ଦଳର ନେତା ଭାବେ ଓଡିଶାର କେବିକେ ଅଂଚଳର ଗରୀବୀ ସହ ରାଜ୍ୟର ବିଭିନ୍ନ ଅଂଚଳକୁ ବୁଲିବା ସହ ଲୋକ ମାନଙ୍କ ସହ ମିଶୁଥିଲେ। ୧୯୯୯ ମସିହାର ମହାବାତ୍ୟା ପରେ ପ୍ରଧାନମନ୍ତ୍ରୀ ଭାବେ ଓଡିଶାର ପୁନନିର୍ମାଣ ପାଇଁ ତାଙ୍କର ଯୋଗଦାନ ଅତୁଳନୀୟ ଥିଲା। ମୃତ୍ୟୁ ପରେ ସେ ଆଜି ଅମର। ତାଙ୍କର ଆଜିର ପବିତ୍ର ଜନ୍ମଦିନରେ କୋଟି କୋଟି ପ୍ରଣାମ ବୋଲି ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି।

Comments are closed.