Odisha Link
Bridging the Missing Links in Odisha

ବିଜେଡି ଖାତାରୁ ହଜିଗଲା ବର୍ଷେ!

ଭୁବନେଶ୍ବର: ବିଜୁ ଜନତା ଦଳର କ୍ୟାଲେଣ୍ଡରରୁ ଗୋଟିଏ ବର୍ଷ ହଜିଯାଇଛି। ହଁ, ଆପଣ ଠିକ ପଢ଼ିଛନ୍ତି- ଗୋଟିଏ ବର୍ଷ ବିଜେଡି ନିଜ ତାଲିକାରେ ଯୋଗ କରିଥିଲେ ବି ଅସଲରେ ସେ ବର୍ଷଟିର ସନ୍ଧାନ ମିଳୁନାହିଁ। ଦଳର ଆଜି ପ୍ରତିଷ୍ଠା ଦିବସ ଥିବା ବେଳେ ଏଭଳି ସ୍ଥିତି ଦେଖିବାକୁ ମିଳିଛି।

ଗତ ବର୍ଷ (୨୦୧୮) ଦଳ ନିଜର ୨୧ତମ ପ୍ରତିଷ୍ଠା ଦିବସ ପାଳନ କରିଥିବା ବେଳେ ଏ ବର୍ଷ ହଠାତ ୨୩ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। ଗୋଟିଏ ବର୍ଷ କେଉଁଠୁ ଆସି ହଠାତ ଯୋଡ଼ିହେଲା ତାହାର ଟେର୍‌ ପାଉନାହାନ୍ତି ନେତା ଓ କର୍ମୀ। ୨୩ ତମ ପ୍ରତିଷ୍ଠା ଉତ୍ସବ ପାଳନ ହେଉଥିଲେ ବି ସେ ଅତିରିକ୍ତ ଗୋଟିଏ ବର୍ଷର ହିସାବ ଦେଇପାରୁ ନାହିଁ ଦଳ।

ଦଳ ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡିର ୨୧ ତମ ପ୍ରତିଷ୍ଠା ଦିବସ ଉଲ୍ଲେଖ କରି ୨୦୧୮ ଡିସେମ୍ବର ୨୬ରେ ଟୁଇଟ୍‌ କରିଥିଲେ। ଦଳର ଟ୍ବିଟର ହାଣ୍ଡଲ୍‌ରେ ମଧ୍ୟ ଗତବର୍ଷ ସମାନ ତଥା ଉଲ୍ଲେଖ ଥିଲା। ଏପରିକି ଦଳର ମୁଖ୍ୟ କାର୍ଯ୍ୟାଳୟ ସମେତ ବିଭିନ୍ନ ଜିଲ୍ଲା ଓ ନିର୍ବାଚନମଣ୍ଡଳୀ ସ୍ତରୀୟ ଉତ୍ସବରେ ମଧ୍ୟ ଦଳ ପକ୍ଷରୁ ୨୧ତମ ପ୍ରତିଷ୍ଠା ଦିବସ ବୋଲି ଗତ ବର୍ଷ ଉଲ୍ଲେଖ କରାଯାଇଥିଲା। ଗଣମାଧ୍ୟମକୁ ମଧ୍ୟ ଏହା ୨୧ତମ ପ୍ରତିଷ୍ଠା ଦିବସ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଥିଲା।

୨୦୧୮ ଡିସେମ୍ବର ୨୬ରେ ଭୁବନେଶ୍ବର ବିଜେଡି ମୁଖ୍ୟାଳୟରେ ଦଳର ୨୧ତମ ପ୍ରତିଷ୍ଠା ଉତ୍ସବ

ତେବେ ୨୧ତମ ପରେ ୨୨ ତମ ପ୍ରତିଷ୍ଠା ଦିବସ ପାଳନକୁ ଦଳୀୟ କ୍ୟାଲେଣ୍ଡରରୁ ଗାୟବ୍‌ କରିଦିଆଯାଇଛି। ଗୋଟିଏ ବର୍ଷ ପରେ ଆଜି ଦଳ ୨୩ ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। ଗତ ବର୍ଷ ୨୧ତମ ବୋଲି ଉଲ୍ଲେଖ କରିଥିବା ନବୀନ ପଟ୍ଟନାୟକ ଓ ବିଜେଡି ଏଥର ଟ୍ବିଟରରେ ୨୩ତମ ପ୍ରତିଷ୍ଠା ଦିବସ ବୋଲି ଉଲ୍ଲେଖ କରିଛନ୍ତି। ଅର୍ଥାତ୍‌ ଦଳର ୨୨ତମ ପ୍ରତିଷ୍ଠା ଦବିସ ଆଦୌ ପାଳନ ହୋଇନାହିଁ। ଏହି ପ୍ରତିଷ୍ଠା ଦିବସଟି କେଉଁଠି ହଜିଲା ତାହା ଚର୍ଚ୍ଚାର ବିଷୟ ପାଲଟିଛି।

ତେବେ କିଛି ନେତା ସଚେତନ ଭାବରେ ଆଜିର ଦିନକୁ ୨୨ ତମ ପ୍ରତିଷ୍ଠା ଦିବସ ଭାବେ ପାଳନ କରିଛନ୍ତି। ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଆଜି ନିଜ ଅଞ୍ଚଳରେ ବିଜେଡିର ୨୨ ତମ ପ୍ରତିଷ୍ଠା ଉତ୍ସବ ପାଳନ କରୁଥିବା ଦେଖିବାକୁ ମିଳିଛି।

୨୦୧୯ ଡିସେମ୍ବର ୨୬ରେଖଣ୍ଡପଡ଼ା ଠାରେ ଦଳର ୨୨ତମ ପ୍ରତିଷ୍ଠା ଉତ୍ସବ

Comments are closed.