Odisha Link
Bridging the Missing Links in Odisha

ନାରାୟଣ, ସୂର୍ଯ୍ୟ ଓ ଡିଲେଶ୍ବର ପାଇବେ ତପସ୍ୟା ଫାଉଣ୍ଡେସନ୍‌ ପୁରସ୍କାର ୨୦୧୯

ଭୁବନେଶ୍ୱର: ତପସ୍ୟା ଫାଉଣ୍ଡେସନ ପକ୍ଷରୁ ୨୦୧୯ ମସିହା ପାଇଁ ଓଡ଼ିଆ ସାହିତ୍ୟ ପୁରସ୍କାର ଘୋଷଣା କରାଯାଇଛି। ବିଶିଷ୍ଟ ନାଟ୍ୟକାର ଓ ନିର୍ଦ୍ଦେଶକ ନାରାୟଣ ଚନ୍ଦ୍ର ରାୟ ମହାପାତ୍ରଙ୍କୁ ‘ତପସ୍ୟା ଶାଶ୍ୱତ ପୁରସ୍କାର-୨୦୧୯’, ଓଡ଼ିଆ ଚଳଚ୍ଚିତ୍ର ସାମ୍ବାଦିକ, ସମୀକ୍ଷକ ଓ ଗାଳ୍ପିକ ସୂର୍ଯ୍ୟ ଦେଓଙ୍କୁ ‘ତପସ୍ୟା ସୃଜନ ପୁରସ୍କାର-୨୦୧୯’ ଏବଂ ଯୁବଲେଖକ ଡିଲେଶ୍ୱର ରଣାଙ୍କୁ ‘ତପସ୍ୟା ସମ୍ଭାବନା ପୁରସ୍କାର-୨୦୧୯’ ପ୍ରଦାନ କରାଯିବ ବୋଲି ଫାଉଣ୍ଡେସନ୍‌ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି।

ଆସନ୍ତା ଜାନୁଆରୀ ୧୨ ତାରିଖ ଦିନ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ସମାବେଶରେ ଏହି ପୁରସ୍କାର ପ୍ରଦାନ କରାଯିବ। ଏହି ଉତ୍ସବରେ ବିଶିଷ୍ଟ ସମାଜସେବୀ, ରମଣ ମାଗାସେସେ ପୁରସ୍କାର ବିଜେତା ତଥା ‘ଗୁଞ୍ଜ’ର ପ୍ରତିଷ୍ଠାତା ଅଂଶୁ ଗୁପ୍ତା ଯୋଗଦେଇ ଦ୍ଵିତୀୟ ‘ଡାକ୍ତର ବୈଦ୍ୟନାଥ ମିଶ୍ର ସ୍ମାରକୀ ବକ୍ତୃତା’ ପ୍ରଦାନ କରିବେ। ସମାରୋହରେ ନେଟୱର୍କ ୧୮ର ଡିଜିଟାଲ ସମ୍ପାଦକ, ବରିଷ୍ଠ ସାମ୍ବାଦିକ ଓ ଲେଖକ ନିଧେଷ ତ୍ୟାଗୀ ମଧ୍ୟ ଅତିଥି ଭାବେ ଯୋଗଦେବେ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ରହିଛି।

ସାମ୍ବାଦିକ ସମ୍ମିଳନୀରେ ତପସ୍ୟା ଫାଉଣ୍ଡେସନର ଅଧ୍ୟକ୍ଷ ଡ. ତପନ ପଣ୍ଡା, କଥାଶିଳ୍ପୀ ଡ. ହିରଣ୍ମୟୀ ମିଶ୍ର, ଲେଖକ ତଥା ସ୍ତମ୍ଭକାର ଶତ୍ରୁଜିତ ଓ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଓଡ଼ିଆ ସାହିତ୍ୟ ପ୍ରତି ଅବଦାନ ଥିବା ତିନି ପିଢ଼ିର ସାହିତ୍ୟିକଙ୍କୁ ଉତ୍ସାହିତ କରିବା ପାଇଁ ୨୦୧୮ ମସିହାରୁ ତପସ୍ୟା ଫାଉଣ୍ଡେସନ ପକ୍ଷରୁ ଏହି ପୁରସ୍କାର ପ୍ରବର୍ତ୍ତନ କରାଯାଇଛି। ‘ତପସ୍ୟା ଶାଶ୍ୱତ ପୁରସ୍କାର-୨୦୧୯’ରେ ସମ୍ବର୍ଦ୍ଧିତ ହେବାକୁ ଥିବା ବରିଷ୍ଠ ନାଟ୍ୟକାର ଶ୍ରୀ ମହାପାତ୍ରଙ୍କୁ ପୁରସ୍କାର ବାବଦରେ ୫୦ ହଜାର ଟଙ୍କା ପ୍ରଦାନ କରାଯାଉଥିବା ବେଳେ ସୂର୍ଯ୍ୟ ଦେଓଙ୍କୁ ‘ତପସ୍ୟା ସୃଜନ ପୁରସ୍କାର-୨୦୧୯’ ବାବଦରେ ୩୦ ହଜାର ଓ ଡିଲେଶ୍ୱର ରଣାଙ୍କୁ ‘ତପସ୍ୟା ସମ୍ଭାବନା ପୁରସ୍କାର-୨୦୧୯’ ବାବଦରେ ୨୦ ହଜାର ଟଙ୍କା ପ୍ରଦାନ କରାଯିବ।

୨୦୧୮ ମସିହା ପାଇଁ ତପସ୍ୟା ଫାଉଣ୍ଡେସନ ପକ୍ଷରୁ ବିଭୂତି ଭୂଷଣ ପ୍ରଧାନଙ୍କୁ ମରଣୋତ୍ତର ଭାବେ ତପସ୍ୟା ଶାଶ୍ୱତ ପୁରସ୍କାର, ବିଶିଷ୍ଟ ଲେଖକ ଭୀମ ପୃଷ୍ଟିଙ୍କୁ ତପସ୍ୟା ସୃଜନ ପୁରସ୍କାର ଏବଂ ଯୁବ ଲେଖକ ନିଖିଳେଶ ମିଶ୍ରଙ୍କୁ ତପସ୍ୟା ସମ୍ଭାବନା ପୁରସ୍କାର ପ୍ରଦାନ କରାଯାଇଥିଲା। ସେଇ କାର୍ଯ୍ୟକ୍ରମରେ ଏନଡିଟିଭିର ଆବାସିକ ସମ୍ପାଦକ ତଥା ଲେଖକ କିଶଳୟ ଭଟ୍ଟାଚାର୍ଯ୍ୟ ଯୋଗଦେଇ ପ୍ରଥମ ଡାକ୍ତର ବୈଦ୍ୟନାଥ ସ୍ମାରକୀ ବକ୍ତୃତା ପ୍ରଦାନ କରିଥିଲେ।

Comments are closed.