Odisha Link
Bridging the Missing Links in Odisha

ଭାରତୀୟ ବିଜ୍ଞାନ କଂଗ୍ରେସର ୧୦୭ତମ ଅଧିବେଶନରେ ଏହା କହିଲେ ମୋଦୀ

ବେଙ୍ଗାଲୁରୁ: ଆଜି ବେଙ୍ଗାଲୁରୁ ଠାରେ ଭାରତୀୟ ବିଜ୍ଞାନ କଂଗ୍ରେସର ୧୦୭ତମ ଅଧିବେଶନରେ ଉଦ୍ଘାଟିତ ହୋଇଛି। ଏହି ଅଧିବେଶନ ୫ ଦିନ ଧରି ଚାଲିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଅଧିବେଶନରେ ଯୋଗ ଦେଇ ଆଇ-ଏସଟିଇଏମ୍‌ ଓ୍ବେବପୋର୍ଟାଲ ଉନ୍ମୋଚନ କରିଛନ୍ତି। ଏହି ଆଇ-ଏସଟିଇଏମ୍‌ ପୋର୍ଟାଲ ଗବେଷଣା କ୍ଷେତ୍ରରେ କାମ କରିବ ଏହା ସାହାର୍ଯ୍ୟରେ ଗବେଷକମାନେ ଭାରତର ଯେକୌଣସି ୟୁନିର୍ଭସିଟି, କଲେଜ ଏବଂ ଲାବରେଟୋରିରୁ ତଥ୍ୟ ସଂଗ୍ରହ କରିପାରିବେ। ଏହି ଓ୍ବେବପୋର୍ଟାଲର ମୂଳ ଲକ୍ଷ୍ୟ ସମସ୍ତ ଅନୁଷ୍ଠାନ ଏବଂ ଘରୋଇ ଲାବରେଟୋରିକୁ ଏକାଠି କରିବା। ଏହି ଅବସରରେ ପରିବେଶକୁ ସୁରକ୍ଷିତ ରଖିବା ଲାଗି ବିଶ୍ଵର ବୈଜ୍ଞାନିକମାନଙ୍କୁ (ଲାବରେଟୋରି)ରେ ଏକକ ବ୍ୟବହୃତ ପ୍ଲାଷ୍ଟିକର ବିକଳ୍ପ ଖୋଜିବାକୁ ଜରୁରୀ ଏବଂ କୃଷିର ବିକାଶ ସହିତ ପରିବେଶ ଅନୁକୂଳ ଉର୍ଜା ଉତ୍ପାଦନ ଉପରେ ଗୁରୁତ୍ଵ ଦେବା ଜରୁରୀ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।

ମୋଦୀ କହିଛନ୍ତି ଯେ ଭାରତ ଉଦ୍‌ଭାବନ ସୂଚକର ୫୨ ନମ୍ବର ସ୍ଥାନକୁ ଉନ୍ନୀତ ହୋଇଛି ଏଥିପାଇଁ ମୁଁ ଅତ୍ୟନ୍ତ ଆନନ୍ଦିତ। ମହାକାଶ ଅନ୍ବେଷଣରେ ଆମର ସଫଳତା ଏଥର ଗଭୀର ସାଗରରେ ପ୍ରତିଫଳନ ହେବ। ପାଣି, ଶକ୍ତି, ଖାଦ୍ୟ ଓ ଖଣିଜଲବଣ ଭଳି ବିଶାଳ ସାମୁଦ୍ରିକ ସମ୍ବଳକୁ ନେଇ ଆମକୁ ଅନ୍ବେଷଣ କରିବା ଆବଶ୍ୟକ। ଭାରତର ବିକାଶର କାହାଣୀ ବିଜ୍ଞାନ ଏବଂ ବୈଷୟିକ କ୍ଷେତ୍ରରେ ଏହାର ସଫଳତା ଉପରେ ନିର୍ଭର କରୁଛି। ଭାରତୀୟ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାର ଭୂଦୃଶ୍ୟକୁ ବଦଳାଇବା ଜରୁରୀ। ଯୁବ ବୈଜ୍ଞାନିକମାନଙ୍କ ପାଇଁ ମୋର ଏକ ଆଦର୍ଶ ବାକ୍ୟ ହେଉଛି ‘ନୂତନ ଉଦ୍ଭାବନ, ତାହାର ବ୍ୟବହାର, ଉତ୍ପାଦନ ଏବଂ ସମୃଦ୍ଧ’।

ନୂଆ ବର୍ଷ ଏବଂ ନୂଆ ଦଶନ୍ଧି ଆରମ୍ଭରେ ମୋର ପ୍ରଥମ କାର୍ଯ୍ୟକ୍ରମଗୁଡ଼ିକରୁ ଗୋଟିଏ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ଉଦ୍ଭାବନ ସହ ସଂଯୁକ୍ତ ହୋଇଥିବାରୁ ମୁଁ ଆନନ୍ଦିତ। ସରକାରଙ୍କର ଜଳ ଜୀବନ ମିସନ୍‌ ବିଷୟରେ ପ୍ରଧାନମନ୍ତ୍ରୀ କହିଲେ, ଜଳର ପୁନଃପ୍ରକ୍ରିୟାକରଣ ନିମନ୍ତେ ଶସ୍ତା ଏବଂ ଫଳପ୍ରଦ ପ୍ରଯୁକ୍ତିବିଦ୍ୟା ବିକାଶ କରିବା ଆପଣମାନଙ୍କର ଦାୟିତ୍ୱ। ଆପଣମାନଙ୍କ ପାଇଁ ଜଳ ପରିଚାଳନା ଗୋଟାଏ ନୂଆ ସାମ୍ମୁଖ୍ୟ। ବିଜ୍ଞାନର ଉନ୍ନତିକୁ ସରକାରୀ କାର୍ଯ୍ୟକ୍ରମ ସହ ଯୋଡ଼ି ପ୍ରଧାନମନ୍ତ୍ରୀ ମୋଦୀ କହିଲେ, ଡିଜିଟାଲ୍‌ ଟେକ୍ନୋଲଜି, ଇ-କମର୍ସ, ଇଣ୍ଟର୍‌ନେଟ୍‌ ବ୍ୟାଙ୍କିଙ୍ଗ୍‌ ଏବଂ ମୋବାଇଲ୍‌ ବ୍ୟାଙ୍କିଙ୍ଗ୍‌ ସେବା ଗ୍ରାମୀଣ ଜନତାଙ୍କର ପ୍ରଭୁତ୍ୱ ସେବା କରୁଛି। ଇ-ଗଭର୍ଣ୍ଣାନ୍‌ସ୍‌ ଜରିଆରେ ସେମାନଙ୍କ ଆଙ୍ଗୁଠି ଟିପ ଛୁଆଇଁ ଆଜି ଚାଷୀମାନେ ପାଗ ଓ ତା’ର ପୂର୍ବାଭାସ ସମ୍ବନ୍ଧରେ ଆବଶ୍ୟକ ସୂଚନା ପାଉଛନ୍ତି।

Comments are closed.