Odisha Link
Bridging the Missing Links in Odisha

ନୂତନ ଆଇ ପିଆର୍‌ ପ୍ରକାଶନରେ ଏମ୍‌ଏସ୍‌ଏମ୍‌ଇକୁ ଗୁରୁତ୍ୱ ଦିଆଯିବ : କ୍ୟାପ୍‌ଟେନ୍‌

ଭୁବନେଶ୍ୱର : ଆଜି ଲୋକସେବା ଭବନ କାର୍ଯ୍ୟାଳୟ ପ୍ରକୋଷ୍ଠଠାରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ୭ଟି ସଂଘର ମୁଖ୍ୟ ଏବଂ କ୍ଷୁଦ୍ର ଶିଳ୍ପର ମୁଖ୍ୟମାନେ ଶିଳ୍ପ, ଶକ୍ତି, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଗୃହ ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟ ଶଙ୍କର ମିଶ୍ରଙ୍କୁ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିକାଶ କ୍ଷେତ୍ରରେ ଦେଖାଯାଉଥିବା ବିଭିନ୍ନ ସମସ୍ୟା ସଂପର୍କରେ ଅବଗତ କରାଇଥିଲେ ।

ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରର ବିକାଶ ନିମନ୍ତେ ଶିଳ୍ପ ପାଇଁ ପ୍ରଦାନ କରାଯାଇଥିବା ଭୂମିର ପଟ୍ଟା ଅଧିକାର ସଂପ୍ରତି କ୍ଷୁଦ୍ରଶିଳ୍ପ ସଂସ୍ଥାଗୁଡ଼ିକୁ ପ୍ରଦାନ କରିବାର ତତ୍କାଳ ଆବଶ୍ୟକତା ରହୁଛି ବୋଲି କ୍ଷୁଦ୍ର ଶିଳ୍ପ ଉଦ୍ୟୋଗୀମାନେ ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । କ୍ଷୁଦ୍ର ଶିଳ୍ପ ସ୍ଥାପନର ଆରମ୍ଭରୁ ରହି ଆସିଥିବା ତ୍ରୁଟି ବିଚ୍ୟୁତି ସଂପର୍କରେ ଓଡ଼ିଶା ରାଜ୍ୟ କ୍ଷୁଦ୍ର ଶିଳ୍ପ ସଂସ୍ଥା ସଂଘର ମୁଖ୍ୟ ମାନସ ଦାସ ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ରଙ୍କୁ ଅବଗତ କରାଇଥିଲେ ।

ଚଳିତ ୨୦୨୦ ମସିହାରେ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡ଼ିକର ବିକାଶ ଦିଗରେ ସୁବିସ୍ତୃତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର ଉପସ୍ଥିତ ଥିବା ସମସ୍ତ କ୍ଷୁଦ୍ର ଉଦ୍ୟୋଗୀମାନଙ୍କୁ କହିଥିଲେ । ଏଥି ସକାଶେ ଉପୁଜୁଥିବା ସମସ୍ୟାଗୁଡ଼ିକ ସଂପର୍କରେ ବିଭାଗକୁ ଅବଗତ କରାଇଲେ ତା’ର ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ।

କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡ଼ିକରେ ଯେତେ ସମ୍ଭବ ଯନ୍ତ୍ର ଦ୍ୱାରା କାର୍ଯ୍ୟ ନକରି କର୍ମଚାରୀ ନିଯୁକ୍ତ କରାଗଲେ ବେରୋଜଗାରୀ ସମସ୍ୟା ଦୂର ହୋଇ ପାରିବ ବୋଲି ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର ପରାମର୍ଶ ଦେଇଥିଲେ । ବିଭାଗୀୟ ଅଧିକାରୀ ଏବଂ ଅଭିଜ୍ଞତା ଥିବା ସଂସ୍ଥାକୁ ନେଇ ଆଲୋଚନା କରି ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ।

ଏମ୍‌ଏସ୍‌ଏମ୍‌ଇରେ ରହିଥିବା ସମସ୍ୟାର ସୁଧାର ଆଣି ଚଳିତ ବର୍ଷ ନୂତନ ଏମ୍‌ଏସ୍‌ଏମ୍‌ଇ ପଲିସି ଘୋଷଣା କରାଯିବ, ଯାହାଦ୍ୱାରା ନୂତନ ଆଇ ପିଆର୍‌ର ସଠିକ୍‌ ପ୍ରକାଶନ ସମ୍ଭବ ପର ହୋଇ ପାରିବ ବୋଲି ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର ପ୍ରକାଶ କରିଥିଲେ । ବୈଠକରେ ଓଡ଼ିଶା ରାଜ୍ୟ କ୍ଷୁଦ୍ର ଶିଳ୍ପ ସଂସ୍ଥା ସଂଘର ସଭାପତି ସମରଜିତ୍‌ ମହାନ୍ତି, ଓଏଏସ୍‌ଏମ୍‌ଇର ଅଧ୍ୟକ୍ଷ ଜି.ଏସ୍‌. ଦାଶ, ଓ ଓ୍ୱାଇଇଏର ସଭାପତି ବିରଞ୍ଚି ମିଶ୍ର, ଓଆଇଏର ଉପସଭାପତି ରାଜେଶ କାନୁନଗୋ, ଓଏଏସ୍‌ଏମ୍‌ଇର ସଂପାଦକ ସ୍ୱତିକ ସ୍ୱାଇଁ, ୟୁ ପିଏମ୍‌ଏର ଆର୍‌, ଦାଶ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ ।

Comments are closed.