Odisha Link
Bridging the Missing Links in Odisha

ବିହାରରେ ପୋଷ୍ଟର ରାଜନୀତି, ଲାଲୁ କହିଲେ…

ପାଟନା : ଚଳିତ ବର୍ଷ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ବର୍ତ୍ତମାନ ନିର୍ବାଚନ ପାଇଁ ଅନେକ ସମୟ ଅଛି। ହେଲେ ଏବେଠାରୁ ବ୍ୟାନର ଓ ପୋଷ୍ଟରକୁ ନେଇ ଶାସକ-ବିରୋଧୀ ପରସ୍ପରକୁ ସମାଲୋଚନା କରିବାକୁ ପଛାଉ ନାହାନ୍ତି। ଇତି ମଧ୍ୟରେ ରାଷ୍ଟ୍ରୀୟ ଜନତାଦଳ (ଆରଜେଡି) ସୁପ୍ରିମୋ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଦଳକୁ ଏକ ନୂଆ ସ୍ଳୋଗାନ ଦେଇଛନ୍ତି। ଲାଲୁଙ୍କ ସ୍ଳୋଗାନ ହେଉଛି-‘ଦୋ ହଜାର ବିଶ୍‍, ହଟାଓ ନୀତିଶ’ ଅର୍ଥାତ ‘ଦୁଇ ହଜାର କୋଡିଏ, ନୀତିଶଙ୍କୁ ହଟାଅ।’। ଆଜି ଲାଲୁ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଏହି ସ୍ଳୋଗାନକୁ ଟ୍ୱିଟ କରିଛନ୍ତି।

ଏହା ପୂର୍ବରୁ ସଂଯୁକ୍ତ ଜନତାଦଳ(ଜେଡିୟୁ) ଏବଂ ଆରଜେଡି ମଧ୍ୟରେ ପୋଷ୍ଟର ଯୁଦ୍ଧ ଆରମ୍ଭ ହୋଇ ଯାଇଛି। ଆରଜେଡି ନିଜ ଦଳୀୟ କାର୍ଯ୍ୟାଳୟ ବାହାରେ ଏକ ପୋଷ୍ଟର ଲଗାଇଥିଲା, ଯେଉଁଥିରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସରକାରକୁ ମିିଥ୍ୟାର ପସରା ଏବଂ ଭ୍ରଷ୍ଟାଚାରର ଧନ୍ଦା ବୋଲି ଦର୍ଶାଯାଇଥିଲା। ଜେଡିୟୁ ମଧ୍ୟ ଏହାର ଉତ୍ତର ଦେଇଥିଲା। ଜେଡିୟୁ ନିଜ ପୋଷ୍ଟରରେ ଆରଜେଡିର ୧୫ ବର୍ଷ ଏବଂ ନିଜ ସରକାରଙ୍କର ୧୫ ବର୍ଷ ମଧ୍ୟରେ ଥିବା ପ୍ରଭେଦ ବିଷୟରେ ଦର୍ଶାଇଥିଲା। ଏଥିରେ ଆରଜେଡି ପକ୍ଷରୁ ଭାଷାର ଭୁଲ ବ୍ୟବହାର ସଂପର୍କରେ ମଧ୍ୟ ସୂଚନା ପ୍ରଦାନ କରାଯାଇଥିଲା। ସୁଚନା ଯୋଗ୍ୟ ୨୦୧୫ରେ ଏକାଠି ନିର୍ବାଚନ ଲଢିଥିବା ଜେଡିୟୁ ଏବଂ ଆରଜେଡି ମଧ୍ୟରେ ରାଜ୍ୟ ରାଜନୀତିକୁ ନେଇ ବିବାଦ ଲାଗି ରହିଛି। ନିର୍ବାଚନ ପର୍ଯ୍ୟନ୍ତ ଏହି ବିବାଦ ଜାରି ରହିବ ଏବଂ ଆଗକୁ ନୂଆ ନୂଆ ସ୍ଳୋଗାନମାନ ତିଆରି ହେବ ବୋଲି ରାଜନୈତିକ ସମୀକ୍ଷକ ମତ ଦେଇଛନ୍ତି।

Comments are closed.