Odisha Link
Bridging the Missing Links in Odisha

୧୦ ହଜାର ଓଟଙ୍କୁ ମାରିବାକୁ ନିର୍ଦେଶ : ଅଷ୍ଟ୍ରେଲିଆ ସରକାର

ସିଡ୍‌ନୀ: ଅଷ୍ଟ୍ରେଲିଆର ଦକ୍ଷିଣାଞ୍ଚଳରେ ସୃଷ୍ଟି ହୋଇଛି ମରୁଡ଼ି ପରିସ୍ଥିତି ଫଳରେ ମରୁ ଅଞ୍ଚଳରେ ତୀବ୍ର ହେବାରେ ଲାଗିଛି ଜଳ ସଙ୍କଟ। ଏହି ସମୟରେ ଓଟମାନେ ଜଳ ଅନ୍ବେଷଣରେ ଜଙ୍ଗଲମୁହାଁ ହେଉଛନ୍ତି। ପ୍ରାୟ ୧୦ ହଜାର ଓଟ ଜଙ୍ଗଲ ଆଡକୁ ମୁହାଁଉଥିବାବେଳେ ସେମାନଙ୍କୁ ଗୁଳିକରି ମାରିଦେବାକୁ ସରକାର ନିର୍ଦେଶ ଦେଇଛନ୍ତି। ଆଜିଠାରୁ ହେଲିକପ୍ଟର ଯୋଗେ ବନ୍ଧୁକଧାରୀ ଆକାଶମାର୍ଗରୁ ଓଟଙ୍କୁ ଗୁଳି କରି ହତ୍ୟା କରିବା ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି। ସରକାର ଏଭଳି ପଦକ୍ଷେପକୁ ପଶୁପ୍ରେମୀ ନିନ୍ଦା କରିବା ସହିତ ଏହା ଅମାନବୀୟ ବୋଲି କହିଛନ୍ତି।

ଦକ୍ଷିଣ-ଅଷ୍ଟ୍ରେଲିଆର ଅଧିକାରୀଙ୍କ ସୂଚନା ଅନୁସାରେ, ଓଟମାନଙ୍କ ଏକ ବଡ଼ ଗୋଠ ମରୁ ଅଞ୍ଚଳରୁ ଆଖପାଖ ଜଙ୍ଗଲରେ ବସବାସ କରୁଥିବା ଜନବସତି ଆଡକୁ ଚାଲିଆସି କ୍ଷୟକ୍ଷତି ଘଟାଉଛନ୍ତି। ଜଙ୍ଗଲରେ ଆଦିବାସୀଙ୍କ ପାଇଁ ଉପଲବ୍ଧ ପାଣି ଓଟମାନେ ପିଇଦେଉଥିବାରୁ ଲୋକଙ୍କ ପାଇଁ ପାନୀୟଜଳ ଏବଂ ଖାଦ୍ୟ ସଙ୍କଟ ଦେଖାଦେଉଛି। ଓଟମାନେ ଜଳ ଅନ୍ବେଷଣରେ ଆଦିମ ଜନଜାତି ବାସ କରୁଥିବା ଦକ୍ଷିଣ ଅଷ୍ଟ୍ରେଲିଆର ଆନଙ୍ଗୁ ପିଜାଣ୍ଟଜାଜରା ୟାକୁନିଜାଜରା(ଏପିୱାଇ) ଅଞ୍ଚଳକୁ ଚାଲିଆସି କ୍ଷୟକ୍ଷତି ଘଟାଉଛନ୍ତି। ଲୋକମାନଙ୍କ ସୁରକ୍ଷା ଲାଗି ଓଟଙ୍କୁ ଗୁଳି କରିବାକୁ ନିର୍ଦେଶ ଦିଆଯାଇଥିବା ଜଣାପଡ଼ିଛି। ଏଥିପାଇଁ ପ୍ରାୟ ୫ ଦିନ ସମୟ ଲାଗିବ।

ଦକ୍ଷିଣ ଅଷ୍ଟ୍ରେଲିଆର ପରିବେଶ ବିଭାଗ ମଧ୍ୟ ଏହି ଓଟମାନଙ୍କ ଗଣହତ୍ୟାକୁ ସମର୍ଥନ କରିଛି। ବିଭାଗ କହିଛି ଯେ, ମରୁଡ଼ି ଯୋଗୁ ପଶୁ ସମ୍ପଦ ସମସ୍ୟାରେ ପଡ଼ିଛି। ଓଟମାନେ ପାଣି ପାଇଁ ଏଣେତେଣେ ଧାଉଁଛନ୍ତି। ଫଳରେ ସେମାନଙ୍କ ମଧ୍ୟରେ ଦଳାଚକଟା ହୋଇ ଅନେକ ଓଟଙ୍କ ମୃତ୍ୟୁ ଘଟୁଛି। ଜଳାଭାବ ଯୋଗୁ ଅନେକ ସ୍ଥାନରେ ପଶୁମାନେ ମରି ପଡି ରହୁଛନ୍ତି ଯେଉଁଥିପାଇଁ ପରିବେଶ ପ୍ରଦୂଷିତ ହେଉଛି।

Comments are closed.