Odisha Link
Bridging the Missing Links in Odisha

ଭାରତର ଅଭିବୃଦ୍ଧି ୪.୮% କୁ ଖସିବ: ଆଇଏମ୍‌ଏଫ୍‌

ଡାଭୋସ: ଭାରତର ଅଭିବୃଦ୍ଧି ପୁଣି ହ୍ରାସ ପାଇବ ବୋଲି ଆକଳନ କରିଛି ଅନ୍ତରାଷ୍ଟ୍ରୀୟ ମୁଦ୍ରା ଫଣ୍ଡ(ଆଇଏମଏଫ୍‌) । ଭାରତର ଅର୍ଥନୈତିକ ଅଭିବୃଦ୍ଧି ଚଳିତ ଆର୍ଥିକ ବର୍ଷରେ ୪.୮ ପ୍ରତିଶତକୁ ଖସିଯିବ। ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି ପକ୍ଷରୁ ନୂଆ ଆକଳନରେ ଏହା କୁହାଯାଇଛି। ଭାରତ ଭଳି ବିକାଶଶୀଳ ରାଷ୍ଟ୍ରଗୁଡ଼ିକର ଆର୍ଥିକ ମାନ୍ଦାବସ୍ଥାର ପ୍ରଭାବ ବିଶ୍ୱ ଅର୍ଥନୀତି ଉପରେ କୁପ୍ରଭାବ ପକାଇବାର ଆଶଙ୍କା ରହିଛି ବୋଲି ଆଇଏମଏଫ କହିଛି।

ପୂର୍ବରୁ ଗତ ଅକ୍ଟୋବରରେ ଆଇଏମଏଫ ଏହାର ଆକଳନରେ ଭାରତର ଅଭିବୃଦ୍ଧି ୬.୧ ପ୍ରତିଶତ ରହିବ ବୋଲି ଦର୍ଶାଇଥିଲା। ଦେଶରେ ଚାହିଦା ଆଶା ତୁଳନାରେ ଅଧିକ ମାତ୍ରାରେ କମୁଥିବାରୁ ଏବଂ ଅଣବ୍ୟାଙ୍କିଂ ଆର୍ଥିକ ପ୍ରତିଷ୍ଠାନ ଗୁଡ଼ିକ ଉପରେ ରହିଥିବା ଚାପ ଯୋଗୁଁ ଭାରତର ଅଭିବୃଦ୍ଧି ହ୍ରାସ ପାଇବ। ଆସନ୍ତାବର୍ଷ ଭାରତର ଅଭିବୃଦ୍ଧି ମଧ୍ୟ ୫.୮%କୁ କମିବ। ପୂର୍ବ ଆକଳନ ତୁଳନାରେ ଏହା ୦.୯% କମ୍ ରହିବ। ତେବେ ୨୦୨୧ରେ ଭାରତର ଅଭିବୃଦ୍ଧି ୬.୫% ରହିବ ବୋଲି କୁହାଯାଇଛି।

ସେହିଭଳି ବିଶ୍ବର ଅଭିବୃଦ୍ଧି ମଧ୍ୟ ୨.୯ ପ୍ରତିଶତକୁ କମିଯିବ ବୋଲି ଆଇଏମଏଫ କହିଛି। ପୂର୍ବରୁ ବିଶ୍ବର ଅଭିବୃଦ୍ଧି ୩ ପ୍ରତିଶତ ରହିବ ବୋଲି ଆଇଏମ୍‌ଏଫ୍‌ ଆକଳନ କରିଥିଲା। ୨୦୨୦ରେ ବିଶ୍ବର ଅର୍ଥନୈତିକ ଅଭିବୃଦ୍ଧି ୩.୩% ଏବଂ ୨୦୨୧ରେ ୩.୪ ପ୍ରତିଶତ ରହିବ ବୋଲି ଆଇଏମଏଫ କହିଛି। ଜାନୁଆରିରେ ହେବାକୁ ଥିବା ଆକଳନରେ ଭାରତର ଅଭିବୃଦ୍ଧି ଆକଳନ ହ୍ରାସ ପାଇବ ବୋଲି ଗତମାସରେ ଆଇଏମଏଫର ମୁଖ୍ୟ ଅର୍ଥନୀତିଜ୍ଞ ‌ଗୀତା ଗୋପୀନାଥ କହିଥିଲେ। କେବଳ ଆଇଏମଏଫ ନୁହେଁ, ଜାତିସଂଘଠାରୁ ଆରମ୍ଭ କରି ଅନ୍ୟ ‌ଘରୋଇ ଏବଂ ବିଦେଶୀ ସଂସ୍ଥା ମଧ୍ୟ ଭାରତର ଅଭିବୃଦ୍ଧି ହ୍ରାସ ପାଇବ ବୋଲି ପୂର୍ବରୁ ସତର୍କ କରାଇଛନ୍ତି।

Comments are closed.