ସିଏଏ ସଚେତନତା ରାଲିରେ ହିଂସାକାଣ୍ଡ, କର୍ଫ୍ୟୁ ଜାରି

ଝାରଖଣ୍ଡ: ନାଗରିକତା ସଂଶୋଧନ ଆଇନ(ସିଏଏ) ସପକ୍ଷରେ ଝାରଖଣ୍ଡର ଲୋହାରଡାଗାରେ ଚାଲିଥିବା ରାଲିରେ ବ୍ୟାପକ ହିଂସାକାଣ୍ଡ ସହ ପୋଡ଼ା ଜଳା ଦେଖିବାକୁ ମିଳିଛି। ହିଂସାକାଣ୍ଡକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଲୋହାରଡାଗାରେ ଆଜି କର୍ଫ୍ୟୁ ଜାରି କରାଯାଇଛି। ଜିଲ୍ଲାପାଳ ଆକାଂକ୍ଷା ରଞ୍ଜନ କହିଛନ୍ତି, ସ୍ଥିତିକୁ ଦୃଷ୍ଟିରେ ରଖି କର୍ଫ୍ୟୁ ଲାଗୁ କରାଯାଇଛି। ଦୁଇ ଦିନ ପାଇଁ ସ୍କୁଲ ଓ କଲେଜ ବନ୍ଦ ରହିବ ଏବଂ ସ୍ଥିତିକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ। ସ୍ଥାନୀୟ ଅଞ୍ଚଳରେ ଅତିରିକ୍ତ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। କର୍ଫ୍ୟୁ ପାଇଁ ୪ରୁ ଅଧିକ ବ୍ୟକ୍ତି ଏକା ସମୟରେ ଏକାଠି ହୋଇ ପାରିବେ ନାହିଁ।
ସୂଚନାଯାଗ୍ୟ, ଗତକାଲି ଲୋହାରଡାଗା ଠାରେ ସିଏଏ ସପକ୍ଷରେ ଏକ ବିଶାଳ ରାଲି ଆୟୋଜନ କରାଯାଇଥିଲା। ତେବେ ଏହି ସମୟରେ ରାଲି ଉପରକୁ ପଥର ମାଡ଼ ହୋଇଥିଲା। ଏହାକୁ ନେଇ ହିଂସାକାଣ୍ଡ ଓ ପୋଡ଼ାଜଳା ଦେଖିବାକୁ ମିଳିଥିଲା। ଆମଲାଟୋଲି ଛକ ନିକଟରେ ହିଁ ରାଲି ଉପରକୁ ପଥର ମାଡ଼ କରାଯିବା ପରେ ସେଠାରେ ଥିବା ବାଇକ ଗୁଡ଼ିକରେ ନିଆଁ ଲଗାଇ ଦିଆଯାଇଥିଲା। ଏହାପରେ ଦୁଇ ଗୋଷ୍ଠୀ ମୁହାମୁହିଁ ହୋଇଥିଲେ।