Odisha Link
Bridging the Missing Links in Odisha

ଘରୁ ଡାକି ଜାଳିଦେଲେ

ଭଞ୍ଜନଗର: ଘରୁ ଡାକି ଯୁବକଙ୍କ ଉପରେ ପେଟ୍ରୋଲ ଢାଳି ଜାଳିଦେଲେ ଦୁଇ ଦୁର୍ବୃତ୍ତ। ଏପରି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଧୁମୁଛାଇ ଗାଁରେ। ପୂର୍ବ ଶତ୍ରୁତାରୁ ନେଇ ଏପରି ଘଟଣା ଘଟିଥିବା ପୁଲିସ ପ୍ରାଥମିକ ଅନୁସନ୍ଧାନରୁ ଜାଣିବାକୁ ପାଇଛି। ଜଳିଯାଇଥିବା ଯୁବକଙ୍କ ନାମ ସନ୍ତୋଷ ନାୟକ। ଆଜି ଦିନ ଦ୍ବିପହରେ ସନ୍ତୋଷ ତାଙ୍କ ଘରେ ଥିଲେ। ସେହି ସମୟରେ ଦୁଇ ଜଣ ଦୁର୍ବୃତ୍ତ ତାଙ୍କୁ ଘରୁ ଡାକି ଆଣିଥିଲେ। ଗାଁ ମଝିରେ ଥିବା ବିଶ୍ରାମାଗାର ନିକଟରେ କୌଣସି କଥାକୁ ନେଇ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରେ ଜଣେ ଯୁବକ ସନ୍ତୋଷଙ୍କ ଦୁଇ ହାତକୁ ଧରିଲା ଓ ଅନ୍ୟ ଜଣେ ତାଙ୍କ ଉପରେ ପେଟ୍ରୋଲ୍‌ ଢ଼ାଳି ନିଆଁ ଲଗାଇ ଦେଇଥିଲେ।

ସନ୍ତୋଷଙ୍କ ଦେହରେ ନିଆଁ ଲଗାଇବା ପରେ ଦୁର୍ବୃତ୍ତମାନେ ସେଠାରୁ ପଳାଇଥିଲେ। ପରେ ସନ୍ତୋଷଙ୍କ ଚିତ୍କାର ଶୁଣି ଗାଁ ଲୋକେ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ ଏବଂ ଏନେଇ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲ୍‌ରେ ଭର୍ତ୍ତି କରିଛନ୍ତି। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ୍ବର ହେବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି। ପୁଲିସ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମାତ୍ର ଏପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ପାରି ନାହିଁ। ଅଭିଯୁକ୍ତମାନେ ପଡ଼ୋଶୀ ଗାଁର ବୋଲି ଜଣାପଡ଼ିଛି।

Comments are closed.