Odisha Link
Bridging the Missing Links in Odisha

‘୨୦ ବର୍ଷ ହେଲା ବରବାଦ ଦେଖିଲ, ଏବେ ଦିଲ୍ଲୀରେ ଭାଜପା ଆସିବା ଜରୁରୀ’

ନୂଆଦିଲ୍ଲୀ: ଆସନ୍ତା ୮ରେ ହେବ ଦିଲ୍ଲୀ ନିର୍ବାଚନ। ଏହାକୁ ନେଇ ତିନି ପ୍ରମୁଖ ଦଳ ନିର୍ବାଚନୀ ପ୍ରଚାର ପାଇଁ ଲାଗି ପଡ଼ିଛନ୍ତି। ଏହାରି ମଧ୍ୟରେ ଭାରତୀୟ ଜନତା ପାର୍ଟି ଦଳୀୟ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନୀ ପ୍ରଚାର କରିବା ପାଇଁ ମଇଦାନକୁୁ ଓହ୍ଲାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ନିର୍ବାଚନୀ ସଭାରେ ଯୋଗ ଦେଇ ମୋଦି କହିଛନ୍ତି ଯେ, ବିଗତ ୫ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ଗରିବଙ୍କ ପାଇଁ ସାରା ଦେଶରେ ୨ କୋଟି ଘର ବନାଇଛନ୍ତି। ହେଲେ ଦୁଃଖର କଥା ଦିଲ୍ଲୀ ସରକାରଙ୍କ ପାଇଁ ଦିଲ୍ଲୀରେ ଗୋଟେ ହେଲେ ଘର ନିର୍ମାଣ ହୋଇ ପାରିନାହିଁ। କାରଣ ଦିଲ୍ଲୀ ସରକାର ପାଇଁ ଦିଲ୍ଲୀରେ ପିଏମ କିଷାନ ଆବାସ ଯୋଜନା ଦିଲ୍ଲୀରେ କାର୍ଯ୍ୟକାରୀ ହୋଇ ପାରିଲା ନାହିଁ।

ଏଥିସହିତ ମୋଦି କହିଛନ୍ତି ଯେ, ୨୦ ବର୍ଷ ହେଲାଣି ଆପଣମାନେ ବହୁତ କିଛି ଦେଖିଲେଣି। ତା ସହିତ ବରବାଦି ମଧ୍ୟ ଦେଖିଲେଣି। ଆଜିର ସମୟରେ ଦିଲ୍ଲୀରେ ବିଜେପି ସରକାର ଆସିବା ନିହାତି ଦରକାର ଅଛି। ଯେବେ ଦିଲ୍ଲୀରେ ବିଜେପି ସରକାର ଗଠନ କରିବ ତେବେ ସାରା ଦେଶରେ ଯେଉଁ କାର୍ଯ୍ୟ ହେଉଛି ତାହା ଦିଲ୍ଲୀରେ ହୋଇ ପାରିବ ଏବଂ ଦିଲ୍ଲୀବାସୀ ଏହାର ସୁଫଳ ପାଇ ପାରିବେ ବୋଲି କହିଛନ୍ତି ମୋଦି।

ଏଥିସହିତ ଆପ୍‌ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, କିଛି ଲୋକ ରାଜନୀତିକୁ ବଦଳାଇବାକୁ ଆସିଥିଲେ। ହେଲେ ତାଙ୍କ ମୁଖା ଏବେ ଖୋଲି ଯାଇଛି। ସାରା ଦେଶ ବାସୀ ତାଙ୍କ ରୂପ, ରଙ୍ଗ ଆଉ ଆଭିମୁଖ୍ୟ କଣ ଦେଖୁଛନ୍ତି ବୋଲି କହିଛନ୍ତି ମୋଦି।

Comments are closed.