Odisha Link
Bridging the Missing Links in Odisha

ଅଷ୍ଟମ ସଂଧ୍ୟାରେ ଆଦିବାସୀମେଳା ଜନସମୁଦ୍ରରେ ପରିଣତ ମେଳା

ଭୁବନେଶ୍ୱର : ଆଦିବାସୀମେଳାର ଅଷ୍ଟମ ସଂଧ୍ୟା । ରବିବାର ହେତୁ ମେଳା ପରିସର ଜନସମୁଦ୍ରରେ ପରିଣତ ହୋଇଛି । ପ୍ରାୟ ୨ଲକ୍ଷ ଲୋକ ମେଳା ବୁଲିବାକୁ ଆସିଥିବାବେଳେ ସମଗ୍ର ମେଳା ପରିସର ସେଲଫି ଜୋନ୍‌ ପରି ମନେ ହେଉଥିଲା । ଆବାଳବୃଦ୍ଧବନିତା ଦଳ ଦଳ ହୋଇ ବିଭିନ୍ନ ଆକର୍ଷଣୀୟ ସ୍ଥାନରେ ଫଟୋ ଉଠାଉଥିବାବେଳେ ମେଳାରେ କାରବାର ଗତ ୭ଦିନର ରେକର୍ଡ ଭାଙ୍ଗି ଗୋଟିଏ ଦିନରେ ୮୫ଲକ୍ଷ ଟଙ୍କାକୁ ଟପିଯାଇଛି ।

ମେଳାରେ ଜାତୀୟ ଜନଜାତି ନୃତ୍ୟ ମହୋତ୍ସବର ଶେଷ ରଜନୀ ଥିବାବେଳେ ଗୁଜୁରାଟ, ନାଗାଲ୍ୟାଣ୍ଡ, ମହାରାଷ୍ଟ୍ର, ମଣିପୁର, ସିକିମ, ଅରୁଣାଚଳ ପ୍ରଦେଶ, ଆସାମର, ସମେତ ଓଡ଼ିଶାର ଗାଦବା ଜନଜାତିଙ୍କ ନୃତ୍ୟ ପରିବେଷଣ ଖୁବ୍ ଆକର୍ଷଣୀୟ ହୋଇଥିଲା । ଲୋକେ ନୃତ୍ୟମଣ୍ଡପ ସମ୍ମୁଖରେ ଛିଡାହୋଇ ନୃତ୍ୟ ଦେଖିବା ସହିତ ମେଳା ପରିସରରେ ଲାଗିଥିବା ବଡ ବଡ ଟିଭି ପରଦାରେ ବି ନୃତ୍ୟକୁ ଉପଭୋଗ କରିଥିଲେ ।

ସେହିଭଳି ଅଷ୍ଟମ ସଂଧ୍ୟାରେ ଖାଦ୍ୟମେଳା ପରିସରରେ ବେଶ୍‌ ଗହଳି ପରିଲକ୍ଷିତ ହୋଇଥିଲା । ଅନେକ ଦର୍ଶକ ଖାଦ୍ୟ ପାଇବାପାଇଁ ବେଶ୍ କସରତ କରୁଥିଲେ । ରବିବାର ଦିନ କେବଳ ଖାଦ୍ୟ ମେଳା ପରିସରରେ ୧୨ଲକ୍ଷ ଟଙ୍କାର ବ୍ୟବସାୟ ହୋଇଥିବାବେଳେ ହସ୍ତଶିଳ୍ପ ମଣ୍ଡପରେ ୬ଲକ୍ଷ ଓ ଆଦିବାସୀ ହାଟରେ ୪ଲକ୍ଷ ୭୦ହଜାର ଟଙ୍କାର କାରବାର ହୋଇଥିବା ସୂଚନା ଦେଇଛନ୍ତି ମେଳା ଦାୟିତ୍ୱରେ ଥିବା କର୍ତ୍ତୃପକ୍ଷ, ବିଭାଗ ସୂତ୍ରରୁ ପ୍ରକାଶ ଚଳିତବର୍ଷ ମେଳାରେ ରବିବାର ଭଳି ଜନସମୁଦ୍ର ପୂର୍ବ ବର୍ଷ ଗୁଡିକରେ ପରିଲକ୍ଷିତ ହୋଇନଥିଲା । ଜାତୀୟ ଆଦିବାସୀ ଖାଦ୍ୟ ମହୋତ୍ସବ ସାଙ୍ଗକୁ ଜାତୀୟ ଜନଜାତି ନୃତ୍ୟ ମହୋତ୍ସବ ଉପଭୋଗ ପାଇଁ ଅଧିକ ସଂଖ୍ୟାରେ ଜନ ସମାଗମ ହୋଇଥିଲା । ଏଥି ସହିତ ଆଦିବାସୀ ହାଟରେ ମିଳୁଥିବା ଅନେକ ଜୈବିକ ସାମଗ୍ରୀକୁ ବି ଲୋକେ ବହୁ ମାତ୍ରାରେ ଖରିଦ କରିଥିଲେ । ତେବେ ସିସିଟିଭି ଲାଗିବା ଓ ସୁରକ୍ଷାକର୍ମୀଙ୍କ ସଜାଗ ଦୃଷ୍ଟି ଯୋଗୁଁ ମେଳା ପରିସରରେ ଏତେ ସଂଖ୍ୟାରେ ଜନ ସମାଗମ ସତ୍ୱେ କୌଣସି ଅଘଟଣ ଘଟିନଥିବା ସମର୍ଥିତ ସୂତ୍ରରୁ ପ୍ରକାଶ ।

Comments are closed.