Odisha Link
Bridging the Missing Links in Odisha

ଆଜି ବିଶ୍ବ କର୍କଟ ଦିବସ

ଭୁବନେଶ୍ବର : ଆଜି ହେଉଛି ବିଶ୍ବ କର୍କଟ ଦିବସ। ସମଗ୍ର ଦେଶରେ ଫେବୃଆରୀ 4କୁ ବିଶ୍ବ କର୍କଟ ଦିବସ ରୂପେ ପାଳନ କରାଯାଏ। କର୍କଟ ରୋଗର ଭୟାବହତା ସଂପର୍କରେ ଲୋକମାନଙ୍କୁ ସଚେତନ କରାଇବା ନିମନ୍ତେ ଏହି ବିଶ୍ବ କର୍କଟ ଦିବସ ପାଳନ କରାଯାଉଛି। ଦିନକୁ ଦିନ କର୍କଟ ରୋଗର ସଂଖ୍ୟା ବଢି ଚାଲିଥିବା ବେଳେ ଲୋକମାନେ କିଭଳି ଏହି ଦିଗରେ ସଚେତନ ରହିପାରିବେ ସେ ଦିଗରେ ଗୁରୁତ୍ବ ଦିଆଯାଏ। ଏନେଇ ଆଜି ରାଜ୍ୟରେ କର୍କଟ ରୋଗ ସମ୍ପର୍କିତ ଅନେକ ‌ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ‘କର୍କଟକୁ ଜାଣିବା, କର୍କଟକୁ ଜିଣିବା’ ଅଭିଯାନ ମାଧ୍ୟମରେ ଲୋକଙ୍କୁ ସଚେତନ କରୁଛନ୍ତି।

ବର୍ତ୍ତମାନ ସୁଦ୍ଧା ଲୋକଙ୍କ ମନରେ କର୍କଟ ରୋଗ ସମ୍ପର୍କରେ ଯଥେଷ୍ଟ ଧାରଣା, ଭୟ, ଲକ୍ଷଣ, ଚିକିତ୍ସା ଓ ପ୍ରତିରୋଧ ସମ୍ପର୍କିତ ଜ୍ଞାନ ନାହିଁ। କ୍ୟାନ୍‌ସର ସମ୍ପର୍କିତ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନର ଅନୁସନ୍ଧାନରୁ ଓଡ଼ିଶାରେ ୭୦ରୁ ୮୦ ପ୍ରତିଶତ ଲୋକ କ୍ୟାନ୍‌ସର ପ୍ରତି ସଚେତନ ନୁହନ୍ତି। ରୋଗୀଙ୍କ ଠାରେ ଏହି ରୋଗ ଚିହ୍ନଟ ବେଳକୁ ୩ୟ କିମ୍ବା ଚତୁର୍ଥସ୍ତରରେ ପହଞ୍ଚି ଯାଉଛି ଫଳରେ ସେମାନଙ୍କ ମୃତ୍ୟୁ ଘଟୁଛି । ଓଡ଼ିଶାରେ ଏପର୍ଯ୍ୟନ୍ତ ନ୍ୟାସ୍‌ନାଲ୍‌ କ୍ୟାନ୍‌ସର ରେଜିଷ୍ଟ୍ରି ଅନ୍ତର୍ଭୁକ୍ତ ହୋଇନଥିବାରୁ ଓଡ଼ିଶାରେ କେତେ ପ୍ରତିଶତ କର୍କଟ ରୋଗୀ ତାହା ଜଣା ପଡ଼ିନାହିଁ। ମାତ୍ର ସ୍ବେଚ୍ଛାସେବୀ ସଂଗଠନର ଆକଳନ ମୁତାବକ ପ୍ରତିବର୍ଷ ୫୦ହଜାର ଲୋକ କର୍କଟ ରୋଗର ଶିକାର ହେଉଛନ୍ତି। ଓଡ଼ିଶାରେ ଆଚାର୍ଯ୍ୟ ହରିହର କର୍କଟ ଗବେଷଣା କେନ୍ଦ୍ର ଓ ଏମ୍‌ସର ଏକ ବିଭାଗରେ ସରକାରୀ ଭାବେ କ୍ୟାନ୍‌ସର ଚିକିତ୍ସା କରାଯାଉଛି।

Comments are closed.