Odisha Link
Bridging the Missing Links in Odisha

କପିଲ୍ ମିଶ୍ରାଙ୍କୁ ଦିଆଯିବ ୱାଇ ପ୍ଲସ୍‌ ସୁରକ୍ଷା

ନୂଆଦିଲ୍ଲୀ: ଦିଲ୍ଲୀ ବିଜେପି ନେତା କପିଲ ମିଶ୍ରାଙ୍କୁ ଦିଆଯିବ ୱାଇ ପ୍ଲସ୍‌ ସୁରକ୍ଷା। ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ତାଙ୍କୁ ୱାଇ ପ୍ଲସ୍‌ ସୁରକ୍ଷା ଦିଆଯିବ ବୋଲି ସୂଚନା ମିଳିଛି। ଦିଲ୍ଲୀ ହିଂସାରେ ନିଜର ବିବାଦ ଭରା ବୟାନ ଓ ଲୋକଙ୍କୁ ଉସକାଇବା ଭଳି ଅଭିଯୋଗ ତାଙ୍କ ଉପରେ ଲାଗିଛି। ମାତ୍ର ଏନେଇ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ଘୋଷଣା ଏଯାଏ ହୋଇନି। ଦିଲ୍ଲୀ ପୁଲିସ ମୁଖ୍ୟାଳୟ ମୁତାବକ , ସୋଶାଲ ମିଡିଆରେ କପିଲ୍‌ଙ୍କୁ ହତ୍ୟା ଧମକ ଆସୁଥିବା ନେଇ କପିଲ ପୂର୍ବରୁ ଅଭିଯୋଗ ଆଣିଥିଲେ। ତେଣୁ ପୁଲିସ୍ ତାଙ୍କ ସୁରକ୍ଷାକୁ କଡା କରିବା ପାଇଁ ଏଭଳି ପଦକ୍ଷେପ ନେଇଛି। ଏହି ସୁରକ୍ଷା ବ୍ୟବସ୍ଥା ମିଳିବା ପରେ କପିଲଙ୍କ ଚାରିପଟେ ୨୪ ଘଣ୍ଟିଆ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା କରାଯିବ।

କପିଲଙ୍କ ସହ ସିଲମପୁରର ବିଜେପି ନେତା କୌଶଲ୍ ମିଶ୍ରାଙ୍କୁ ମଧ୍ୟ Y+ ସୁରକ୍ଷା ଦିଆଯିବ ବୋଲି ସୁଚନା ମିଳୁଛି। କୌଶଲ୍ ମିଶ୍ରାଙ୍କୁ କୁଖ୍ୟାତ ଗ୍ୟାଙ୍ଗଷ୍ଟାର ନାସିର ପକ୍ଷରୁୁ ଧମକ ମିଳିଥିବା ନେଇ କୁହାଯାଉଛି। ଏହି ଦୁଇ ନେତା ଦିଲ୍ଲୀ ହିଂସା ଦିନ ମୋଜପୁର ଚୌକ ନିକଟରେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଦିଲ୍ଲୀ ହିଂସାରେ ୪୨ ଜଣ ଲୋକ ପ୍ରାଣ ହରାଇଛନ୍ତି ଏବଂ ଏହି ମାମଲାରେ ପୁଲିସ୍ ୩୩ ଜଣ ଲୋକଙ୍କୁ ଗିରଫ କରିଛି।

Comments are closed.