Odisha Link
Bridging the Missing Links in Odisha

ନିୟମ ଭାଙ୍ଗିବା ବୀରତା ନୁହେଁ, ଭୀରୁତା

ଭୁବନେଶ୍ବର: ପାଶ୍ଚାତ୍ୟ ଦେଶରେ ପୋକମାଛି ପରି ମରୁଛନ୍ତି ସାଧାରଣ ଜନତା। ଇତାଲି ଓ ଆମେରିକାରେ ସ୍ଥିତି ଅସମ୍ଭାଳ। ଆମେରିକାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ଡେଇଁଥିବା ବେଳେ ଇତାଲିରେ ୭୦ ହଜାର ଛୁଇଁଲାଣି। ଭାରତରେ ଏଯାଏଁ ୫୬୪ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୧ ଜଣଙ୍କର ମୃତ୍ୟୁ ଘଟିଛି।

ଏଭଳି ସମୟରେ ଅବସ୍ଥା ଖରାପ ହେବା ଆଗରୁ ଭାରତ ଆଗୁଆ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିଛି। କରୋନାର କୌଣସି ଔଷଧୀୟ ଉପଚାର ନଥିବା ବେଳେ ଆତ୍ମ ସଚେତନତା ହିଁ ଏକମାତ୍ର ଉପାୟ।

ଗତକାଲି ପ୍ରଧାନମନ୍ତ୍ରୀ ଯୋଡ଼ହସ୍ତ ହୋଇ ଦେଶବାସୀଙ୍କୁ ବିକଳ ନିବେଦନ କଲେ। ମୁଖ୍ୟମନ୍ତ୍ରୀ ବାପାଙ୍କ ନାମରେ ରାଣ ଖାଇ ଶପଥ କଲେ। ଏଥିରୁ କରୋନା ଭୂତାଣୁ ସଂକ୍ରମଣର ସମ୍ଭାବ୍ୟ ସ୍ଥିତି ବେଶ୍‌ ଅନୁମେୟ।

ତେବେ ସରକାରଙ୍କ ଲକ୍‌ଡାଉନ୍‌ ନିଷେଧାଦେଶକୁ ବେଖାତିର କରି ବହୁ ସ୍ଥାନରେ (ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବି) ଲୋକେ ବାହାରେ ବୁଲିବା ଓ ଅନ୍ୟ ସହ ମିଳାମିଶା କରିବାର ଦେଖାଯାଉଛି। ସାମାଜିକ ଗଣମାଧ୍ୟମରେ ସରକାରଙ୍କ ପ୍ରତି ତାଚ୍ଛଲ୍ୟ, ସମାଲୋଚନା ଓ ଅପଶବ୍ଦର ସମ୍ଭାର ମଧ୍ୟ କିଛି କମ ନୁହେଁ।

ଆମେ ସଚେତନ ନ ହେଲେ ସରକାର କିଛି ବି କରିପାରିବେ ନାହିଁ। ଓଡ଼ିଆ ମିଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ଆମେ ଆମର ପାଠକମାନଙ୍କୁ ଅନୁରୋଧ କରୁଛୁ, ଆଗାମୀ ୨୧ ଦିନ ଘରେ ବସନ୍ତୁ। ଭାବିନିଅନ୍ତୁ ଆପଣଙ୍କର ଗୁରୁତର ଦୁର୍ଘଟଣା ହୋଇଛି ବା କୌଣସି ବଡ଼ ଧରଣର ଅପରେସନ୍‌ ହୋଇଛି, ଆଉ ଡାକ୍ତର ଆପଣଙ୍କୁ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି।

ଉପରେ ଦିଆଯାଇଥିବା ଫଟୋଟି ଦେଖନ୍ତୁ। ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ‌ର ଏକ ଅଖ୍ୟାତ ପଲ୍ଲୀ ହରିପୁର ଗାଁ ପ୍ରବେଶପଥର ଦୃଶ୍ୟ। ଏହିପରି ସଚେତନତା ହିଁ ଆମ ଜୀବନରକ୍ଷା କରିପାରିବ।

Comments are closed.