Odisha Link
Bridging the Missing Links in Odisha

ଫେରୁଛନ୍ତି ଦାଦନ ଶ୍ରମିକ, ଭୟରେ ଗ୍ରାମବାସୀ

ନୂଆପଡ଼ା: କରୋନା ଭାଇରସ୍‌ ଆତଙ୍କ ସାରା ଦେଶକୁ ଲକ୍‌ଡାଉନ୍‌ରେ ରଖିଥିବା ବେଳେ ଓଡ଼ିଶାରେ ଦେଖବାକୁ ମିଳିଛି ବିପରୀତ ବିସ୍ଥାପନ। କାମଧନ୍ଦା ଛାଡ଼ି ଗାଁରୁ ସହର ଓ ରାଜ୍ୟ ବାହାରକୁ ଯାଇଥିବା ହଜାର ହଜାର ଦାଦନ ଶ୍ରମିକ ଏବେ ନୂଆପଡ଼ା ଜିଲ୍ଲାରେ ନିଜ ଗାଁକୁ ଫେରିଛନ୍ତି। ଏଭଳି କ୍ଷେତ୍ରରେ ଗ୍ରାମଗୁଡ଼ିକରେ ସବୁ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷାପାଇଁ ଦାବି କରିଛନ୍ତି ଗ୍ରାମବାସୀ।

ମୁମ୍ବାଇ, ଚେନ୍ନାଇ ଓ ତେଲେଙ୍ଗାନାରେ କାମ କରୁଥିବା ପ୍ରାୟ ୫୦ ଜଣ ଦାଦନ ମାର୍ଚ ୨୩ ଓ ୨୪ ତାରିଖରେ ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍‌ର ଲିଆଡ ଗାଁରେ ପହଞ୍ଚିଛନ୍ତି। ଏମାନଙ୍କ ମଧ୍ୟରୁ ୩୮ ଜଣଙ୍କର ଖବର ମଖପଦର ଗାଁରେ ଥିବା ପଞ୍ଚାୟତ କାର୍ଯ୍ୟାଳୟରେ ରହିଛି। ଅନ୍ୟମାନଙ୍କର ସୂଚନା ପଞ୍ଚାୟତକୁ ମିଳିନାହିଁ। ଏମାନଙ୍କ ମଧ୍ୟରୁ ୮ ଜଣ କଫ ଓ ଥଣ୍ଡାରେ ଆକ୍ରାନ୍ତ ବୋଲି ସରପଞ୍ଚ ସୂଚନା ଦେଇଛନ୍ତି। ଏମାନଙ୍କର ତୁରନ୍ତ ସ୍ବାସ୍ଥ୍ୟ ପରୀକ୍ଷଣ ପାଇଁ ଗ୍ରାମାବସୀ ଦାବି କରିଛନ୍ତି।

ଖଡ଼ିଆଳ ବ୍ଲକ୍‌ ବାଦି ଗାଁରେ ଜଣେ ଦାଦନ ଶ୍ରମିକ ଫେରିଛନ୍ତି। ଗୁଡ଼ାଳ ପଞ୍ଚାୟତରେ ୧୬ ଜଣ ଦାଦନ ଶ୍ରମିକ ଗାଁକୁ ଲେଉଟିଛନ୍ତି। କୋମନା ଓ ଭେଲା ପଞ୍ଚାୟତରେ ୪୦ ଜଣ ଫେରିଛନ୍ତି। ତେବେ ଏ ସମସ୍ତଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ବିପଦ ନାହିଁ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

କେବଳ ଲିଆଡ଼ ଗାଁ ନୁହେଁ, ବିଭିନ୍ନ ବ୍ଲକ୍‌ ଓ ପଡ଼ୋଶୀ ଜିଲ୍ଲାଗୁଡ଼ିକରେ ମଧ୍ୟ ବାହାରୁ ଫେରିଥିବା ଦାଦନ ଶ୍ରମିକମାନଙ୍କ ଉପସ୍ଥିତି ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ତିଆରି କରିଛି।

ବନ୍ଦ ସତ୍ତ୍ବେ ଲୋକେ ଫେରୁଥିବା ରିପୋର୍ଟରେ ଦର୍ଶାଯାଇଛି। ପଡ଼ୋଶୀ ଛତିଶଗଡ଼ରେ କାମ କରୁଥିବା ଲୋକେ କୌଣସିମତେ ସୀମାରେ ପହଞ୍ଚି ଚାଲି ଚାଲି ସୀମା ପାର୍‌ ହୋଇ ଘରୋଇ ଗାଡ଼ି ସହାୟତାରେ ଗାଁରେ ପହଞ୍ଚୁଛନ୍ତି।

Comments are closed.