Odisha Link
Bridging the Missing Links in Odisha

ଦାନ ନା ଦିଗବଦଳ?

ଭୁବନେଶ୍ବର: ବିଜୁ ଜନତା ଦଳର ନିର୍ବାଚିତ ଜନପ୍ରତିନିଧିମାନେ ୩ ମାସର ଲେଖାଏଁ ଦରମା କରୋନା ପାଣ୍ଠିକୁ ଦାନ କରିବା ନିଶ୍ଚିତ ଭାବରେ ସ୍ବାଗତଯୋଗ୍ୟ ପଦକ୍ଷେପ। ସ୍ବୟଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ଧାରାର ପ୍ରବର୍ତ୍ତନ କରି ଉଦାହରଣ ସାଜିଛନ୍ତି। ତାଙ୍କୁ ଅନୁସରଣ କରିଛନ୍ତି ଦଳର ସାଂସଦ ଓ ବିଧାୟକ। ଏପରିକି ଅନ୍ୟ ଦଳର କିଛି ନେତା ମଧ୍ୟ ଦରମା/ ଭତ୍ତା ଆଦି ଦାନ କରିବାକୁ ଆଗେଇ ଆସିଛନ୍ତି। ବ୍ୟବସାୟୀ, ବେସରକାରୀ ସଂଗଠନରେ ଚାକିରି କରୁଥିବା ବ୍ୟକ୍ତି ମଧ୍ୟ ସାଧ୍ୟମତେ ରାଜ୍ୟର ଏ ବିପଦରେ ସହାୟତାର ହାତ ବଢ଼ାଇଛନ୍ତି।

ତେବେ ରୋଚକ କଥା ହେଉଛି କିଛି ବିଧାୟକ ଓ ସାଂସଦ ସେମାନଙ୍କ ହାତ ପାଣ୍ଠିକୁ ଦାନ କରିଥିବା ଅତ୍ୟନ୍ତ ଗର୍ବର ସହ ଉଲ୍ଲେଖ କରିଛନ୍ତି।

ପ୍ରଥମ କଥା ହେଲା, ହାତପାଣ୍ଠି ବିଧାୟକ ବା ସାଂସଦଙ୍କର ନିଜସ୍ବ ସମ୍ପଦ ନୁହେଁ, ସେମାନେ କେବଳ ଏହାର ନିୟନ୍ତ୍ରକ। ଏହା ସରକାର ବା ପ୍ରକାରାନ୍ତରେ ରାଜ୍ୟର ଜନଗଣଙ୍କର ସମ୍ପତ୍ତି। ଏହାକୁ ଦାନ ନକରି ଖର୍ଚ୍ଚ କରିବାର ଦିଗବଦଳ ହୋଇଛି ବୋଲି କହିବା ଠିକ ହେବ। ବିଧାୟକ ବା ସାଂସଦମାନେ ଏ ଅର୍ଥ ନିଜ ପକେଟରୁ ବା ଘରୁ ଆଣି ଦେଉନାହାନ୍ତି।

ତେବେ ଦ୍ବିତୀୟ ଆଉ ସବୁଠୁ ରୋଚକ କଥା ହେଲା, ଅଧିକାଂଶ ସାଂସଦ ବା ବିଧାୟକ ‘ବଳକା ହାତପାଣ୍ଠି’ ଦେଲୁ ବୋଲି କହିନାହାନ୍ତି। ବରଂ ସେମାନେ ସମ୍ପୂର୍ଣ୍ଣ ହାତପାଣ୍ଠି ଦାନ କରିଛନ୍ତି, ମୁଖ୍ୟମନ୍ତ୍ରୀ ମଧ୍ୟ। ଅର୍ଥାତ ଆମେ ଏୟା ବୁଝିବା ଯେ, ଆର୍ଥିକ ବର୍ଷ ଶେଷ ହଉଥିବା ବେଳେ ଏହି ଜନପ୍ରତିନିଧିମାନେ ସେମାନଙ୍କ ହାତପାଣ୍ଠିରୁ ଟଙ୍କାଟିଏ ବି ଜନକଲ୍ୟାଣ ପାଇଁ ଖର୍ଚ୍ଚ କରିନାହାନ୍ତି।

ଅବଶ୍ୟ ଅଳ୍ପ କେତେଜଣ ସଚେତନ ଜନପ୍ରତିନିଧିଙ୍କ ଠାରେ ଏହାର ବ୍ୟତିକ୍ରମ ଦେଖାଯାଇଛି। ଉଦାହରଣ ସ୍ବରୂପ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ୨୦୨୦-୨୧ (ଏପ୍ରିଲ ୧ରୁ ଆରମ୍ଭ ହେବାକୁ ଥିବା) ଆର୍ଥିକ ବର୍ଷର ବିଧାୟକ ପାଣ୍ଠି ଦେବାକୁ ଘୋଷଣା କରିଛନ୍ତି। ସାଂସଦଙ୍କ ହାତପାଣ୍ଠି ୫ କୋଟି ଥିବା ବେଳେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଏଥିରୁ ୧ କୋଟି ଟଙ୍କା ଦେଇଛନ୍ତି।

Comments are closed.