କରୋନା ମୁକାବିଲା: କ୍ରୀଡ଼ାବିତଙ୍କ ସହ କଥା ହେଲେ ମୋଦି, କହିଲେ ଏହି କଥା…

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସକୁ ନେଇ ଚିନ୍ତାରେ ବିଶ୍ବବାସୀ। ଏହି ଭାଇରସକୁ ନେଇ ସାରା ବିଶ୍ବରେ ଭୟର ପରିବେଶ ସୃଷ୍ଟି ହୋଇଛି। ଭାରତ ମଧ୍ୟ ଏହି ଭାଇରସର ଶିକାର ହୋଇଛି। ଏହି ମହାମାରୀ ପାଇଁ ଭାରତରେ ୫୬ଜଣଙ୍କ ମୃତ୍ୟୁ ହେଲାଣି। ଅପରପକ୍ଷେ କରୋନାର ମୁକାବିଲା କରିବା ପାଇଁ ବିିଭିନ୍ନ ପଦକ୍ଷେପ ନେଉଛନ୍ତି ସରକାର। ଏହି ସଙ୍କଟ ସମୟରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ୪୯ ପ୍ରତିଷ୍ଠିତ କ୍ରୀଡ଼ାବିତଙ୍କ ସହ ଭିଡିଓ କନଫରେନ୍ସିଂ କରିଛନ୍ତି। ସମସ୍ତଙ୍କୁ ଏକାଠି କରୋନା ମହାମାରୀ ବିରୋଧରେ ଲଢ଼େଇ କରିବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିସହ କ୍ରୀଡ଼ାବିତମାନେ ସେମାନଙ୍କ ପ୍ରଶଂସକମାନଙ୍କ ମଧ୍ୟରେ ସଚେତନତା ବାଣ୍ଟିବାକୁ ମଧ୍ୟ ମୋଦି ପରାମର୍ଶ ଦେଇଛନ୍ତି। କ୍ରୀଡ଼ାବିତମାନେ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚି କରୋନା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଜାରି କରିଥିବା ଗାଇଡ୍ଲାଇନ ପାଳନ କରିବାକୁ ମୋଦି ସମସ୍ତଙ୍କୁ କହିଛନ୍ତି।
ସୂଚନାଯୋଗ୍ୟ, ଆମ ଦେଶରେ ଲୋକମାନେ କ୍ରୀଡ଼ାବିତମାନଙ୍କୁ ଅନୁସରଣ କରନ୍ତି। ଅଧିକାଂଶ ଲୋକ ସେମାନଙ୍କ ପସନ୍ଦାର ଖେଳାଳିଙ୍କ କଥାକୁ ମାନନ୍ତି। ତେଣୁ ମୋଦି ଏହି କ୍ରୀଡ଼ାବିତଙ୍କ ଜରିଆରେ ଲୋକଙ୍କୁ ସଚେତନ କରିବାକୁ ଲକ୍ଷ୍ୟ ରଖି ଆଜି ଭିଡିଓ କନଫରେନ୍ସିଂ କରିଛନ୍ତି। ଭିଡିଓ କନଫରେନ୍ସିଂ ସମୟରେ କ୍ରୀଡା ମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିଥିଲେ।
ମୋଦିଙ୍କ ସହ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି, କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର, ବ୍ୟାଡମିଣ୍ଟନ ବିଶ୍ୱ ଚାମ୍ପିୟନ ପିଭି ସିନ୍ଧୁ ଓ ଚେସ କିମ୍ବଦନ୍ତୀ ବିଶ୍ୱନାଥ ଆନନ୍ଦ ଭଳି ବ୍ୟକ୍ତି ବିଶେଷ କଥା ହୋଇଛନ୍ତି। ଏଥିସହିତ ମୋଦିଙ୍କ ସହ କଥା ହୋଇଥିବା କ୍ରୀଡ଼ାବିତଙ୍କ ମଧ୍ୟରେ ମୀରା ବାଈ ଚାନୁ, ଶୁଟର ଗଗନ ନାରଙ୍ଗ, କବାଡ଼ି ଖେଳାଳି ଅଜୟ ଠାକୁର, ବ୍ୟାଡମିଣ୍ଟନ ଖେଳାଳି ସାଇ ପ୍ରଣୀତ, କ୍ରିକେଟର ମହେନ୍ଦ୍ର ସିଂହ ଧୋନି, ବିରାଟ କୋହଲି, ଯୁବରାଜ ସିଂହ, ଜାହିର ଖାନ, ରୋହିତ ଶର୍ମା, ବୀରେନ୍ଦ୍ର ସେହୱାଗ, ମହମ୍ମଦ ଶାମି, ଚେତେଶ୍ୱର ପୂଜାରା, ହୀମା ଦାସ, ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ, ମ୍ୟାରୀ କମଙ୍କ ଭଳି ଖେଳାଳି ରହିଛନ୍ତି।