ଦେଶବାସୀଙ୍କୁ ମୋଦିଙ୍କ ଆହ୍ବାନ, କହିଲେ ଏପ୍ରିଲ ୫ ରାତି ୯ଟାରେ ଆପଣଙ୍କ ୯ ମିନିଟ ଦରକାର

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସର ମୁକାବିଲା ପାଇଁ ଆଜି ଦେଶବାସୀଙ୍କ ପାଇଁ ଏକ ଭିଡିଓ ବାର୍ତ୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭିଡିଓ ବାର୍ତ୍ତାରେ ମୋଦି କହିଛନ୍ତି ଯେ, ମହାମରୀ କରୋନା ଭାଇରସକୁ ହରାଇବାକୁ ପଡିବ, ଭାରତକୁ ଜିତେଇବାକୁ ପଡିବ। କରୋନା ସହିତ ଚାଲିଥିବା ଏହି ଲଢେଇରେ ଯଦି କିଛି ଦରକାର ଅଛି ତାହା ହେଉଛି ସାମୁହିକ ଶକ୍ତି। ସାମୁହିକ ଶକ୍ତିର ପରିପ୍ରକାଶରେ ହିଁ ଭାରତୀୟଙ୍କ ବିଜୟ ହେବ ହେବ ବୋଲି ମୋଦି କହିଛନ୍ତି।
ମୋଦି ଦେଶବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ, , ଲକ୍ଡାଉନ୍ ବେଳେ ଆପଣମାନେ ଅନୁଶାସନ ଓ ସେବା ମନୋଭାବ ଦେଖାଇଛନ୍ତି। ଜନତା-ଶାସନ-ପ୍ରଶାସନ ସମସ୍ତେ ସ୍ଥିତିକୁ ଭଲ ଭାବେ ସମ୍ଭାଳିଛନ୍ତି। ଦେଶବାସୀ ସାମୂହିକ ଶକ୍ତିର ପରିଚୟ ଦେଇଛନ୍ତି। ଆମେ ଏକୁଟିଆ ନାହୁଁ, ସମସ୍ତେ ଏକଜୁଟ ଅଛୁ। କୋଟି କୋଟି ଜନତାଙ୍କ ଶକ୍ତି ଆମ ମନୋବଳ ବଢ଼ାଇଛି।
ଏଥିସହିତ ମୋଦି ଆଜି ଭିଡିଓ ବାର୍ତ୍ତାରେ ଆଉ ଏକ ଆହ୍ବାନ ଦେଇଛନ୍ତି। ସେ କହିଛନ୍ତି ଯେ, “ଏପ୍ରିଲ୍ ୫ ତାରିଖ ଅର୍ଥାତ୍ ରବିବାର ରାତି ୯ଟାରେ ୯ ମିନିଟ୍ ପାଇଁ ଘରର ସମସ୍ତ ଲାଇଟ୍ ବନ୍ଦ କରି ଦିଅନ୍ତୁ। ଦୀପ ଓ ମହମବତୀ ଜାଳି ଝରକା କିମ୍ବା ବାଲ୍କୋନୀ ପାଖରେ ଛିଡ଼ା ହୁଅନ୍ତୁ। ଦୀପ ବା ମହମବତୀ ବଦଳରେ ଟର୍ଚ୍ଚ ଲଗାଇ ଅବା ମୋବାଇଲ୍ ଫ୍ଲାସ୍ ଲାଇଟ୍ ଅନ୍ କରି ବି ଆପଣମାନେ ୯ ମିନିଟ୍ ପାଇଁ ଘରର ଝରକା ଓ ବାଲ୍କୋନୀ ନିକଟରେ ଛିଡ଼ା ହୋଇପାରିବେ। ଆପଣ ଦୀପ ଜାଳିଲେ ଆଲୋକର ମହାଶକ୍ତିକୁ ଅନୁଭବ କରିପାରିବେ। କରୋନା ଚେନ୍ ଭାଙ୍ଗିବାକୁ ଏହା ଏକ ବଡ଼ ରାମବାଣ। ଏହି ରାମବାଣ କରୋନର ଲଢ଼େଇରେ ବଡ଼ ମହୌଷଧୀ ହେବ।”
A video messsage to my fellow Indians. https://t.co/rcS97tTFrH
— Narendra Modi (@narendramodi) April 3, 2020
ଅପରପକ୍ଷେ ଦୀପ, ମହବବତୀ ଧରି ଆଦୌ ରାସ୍ତାକୁ ନ ଆସିବାକୁ ତଥା ଭିଡ଼ ନ ଜମାଇବାକୁ ସେ ବିଶେଷ ଭାବେ ଦେଶବାସୀଙ୍କୁ ପ୍ରାର୍ଥନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିସହିତ ଦେଶବାସୀଙ୍କୁ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ପୁଣି ଅପିଲ୍ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଆପଣମାନେ ଏକାଠି ଜମା ହୁଅନ୍ତୁ ନାହିଁ। ସାମାଜିକ ଦୂରତ୍ୱ ବଜାୟ ରଖନ୍ତୁ। ସାମାଜିକ ଦୂରତ୍ୱର ଲକ୍ଷ୍ମଣରେଖାକୁ ଆଦୌ ଅତିକ୍ରମ କରନ୍ତୁ ନାହିଁ।
Comments are closed.