Odisha Link
Bridging the Missing Links in Odisha

ନିଜାମୁଦ୍ଦିନ ଫେରନ୍ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ: କହିଲେ ୧୦୪କୁ ଫୋନ୍‌ କରି ସ୍ବାସ୍ଥ୍ୟ ପରୀକ୍ଷା କରନ୍ତୁ

ଭୁବନେଶ୍ବର: ମହାମାରୀ କରୋନାକୁ ନେଇ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କରୋନାକୁ ହରାଇବା ପାଇଁ ନବୀନ ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି। କେବଳ ସଚେତନ ହେଲେ ହିଁ କରୋନାକୁ ରୋକି ହେବ। ନଡରି କରୋନାର ମୁକାବିଲା କରିବା ପାଇଁ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ଆହ୍ଵାନ ଦେଇଛନ୍ତି। ଏଥିସହିତ ଦିଲ୍ଲୀ ନିଜାମୁଦ୍ଦିନ ଧାର୍ମିକ ସମାବେଶରେ ଯୋଗଦେଇ ଫେରିଥିବା ଓଡ଼ିଶାବାସୀ ଟୋଲ୍ ଫ୍ରି’ ନମ୍ବର ୧୦୪କୁ ଫୋନ୍ କରି ୨୪ ଘଣ୍ଟା ମଧ୍ୟରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ନିଅନ୍ତୁ ବୋଲି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁରୋଧ କରିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଜାରି ହୋଇଥିବା ଏକ ପତ୍ରରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ କେବଳ ସଚେତନା ଦ୍ୱାରା ହିଁ, ଆମେ କରୋନା ସଂକ୍ରମଣକୁ ରୋକି ପାରିବା। କରୋନାକୁ ଡରିବାର କିଛି ନାହିଁ, କିନ୍ତୁ ଆମକୁ ସାବଧାନ ରହିବାକୁ ହେବ। ନିଜାମୁଦ୍ଦିନ ଫେରନ୍ତାଙ୍କୁ ସେ ବିଶେଷ ଭାବେ ଅନୁରୋଧ କରି କହିଛନ୍ତି, ଦିଲ୍ଲୀ ନିଜାମୁଦ୍ଦିନ ସଭାରେ ଓଡ଼ିଶାରୁ ଯୋଗଦେଇଥିବା ସମସ୍ତଙ୍କୁ ମୋର ଅନୁରୋଧ, ଆପଣମାନେ ଟୋଲ୍ ଫ୍ରି’ ନମ୍ବର ୧୦୪ ସହିତ ତୁରନ୍ତ ଯୋଗାଯୋଗ କରନ୍ତୁ। ଡାକ୍ତରଙ୍କ ପରାମର୍ଶ ମାନନ୍ତୁ। ୨୪ ଘଣ୍ଟା ମଧ୍ୟରେ ଟେଷ୍ଟ୍ ପାଇଁ ଆଗେଇ ଆସନ୍ତୁ। ଡରନ୍ତୁ ନାହିଁ। ମୁଁ ଓ ମୋ ସରକାର ଆପଣଙ୍କ ସାଥିରେ ଅଛି। ମା’ମାନଙ୍କୁ ମୋର ଅନୁରୋଧ, ନିଜ ପରିବାର ଓ ନିଜ ପିଲାମାନଙ୍କ ଭଲ ପାଇଁ ଏଥିରେ ସହଯୋଗ କରନ୍ତୁ।

କରୋନା, ମାନବଜାତିର ସବୁଠାରୁ ବଡ଼ ଶତ୍ରୁ। ଏହାକୁ ହରାଇବା ପାଇଁ ସମସ୍ତଙ୍କ ସହଯୋଗ ଦରକାର। ମୁଁ ପୁଣି ଥରେ ଦିଲ୍ଲୀ ନିଜାମୁଦ୍ଦିନ ସଭାରେ ଯୋଗଦେଇଥିବା ଓଡ଼ିଶାର ବନ୍ଧୁମାନଙ୍କୁ ଅନୁରୋଧ କରୁଛି ଯେ ଆପଣମାନେ ୨୪ ଘଣ୍ଟା ମଧ୍ୟରେ ଟେଷ୍ଟ୍ ପାଇଁ ଆଗେଇ ଆସନ୍ତୁ। ବିଳମ୍ବ କରନ୍ତୁ ନାହିଁ। ବିଳମ୍ବ କଲେ ଏହା ଆପଣ ଓ ଆପଣଙ୍କ ପରିବାରକୁ ଅସୁବିଧାରେ ପକାଇ ପାରେ ବୋଲି ନବୀନ ଆଜି କହିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ସହ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମଧ୍ୟ ଅନୁରୋଧ କରି କହିଛି ଯେ ନିଜାମୁଦ୍ଦିନ କାର୍ଯ୍ୟକ୍ରମ ସହ ସମ୍ପୃକ୍ତ ବ୍ୟକ୍ତିମାନେ ସ୍ୱେଚ୍ଛାକୃତ ଭାବେ ୧୦୪କୁ ଫୋନ୍ କରି ନିଜ ନିଜର ଠିକଣା ଜଣାନ୍ତୁ। ଭୟଭୀତ ହେବା କିଂବା କଥାକୁ ଗୁପ୍ତ ରଖିବା ଅନାବଶ୍ୟକ। ଏହାଛଡ଼ା ଯଦି ଅନ୍ୟ କେହି ବ୍ୟକ୍ତିଙ୍କ ନିକଟରେ ନିଜାମୁଦ୍ଦିନ ଫେରନ୍ତାମାନଙ୍କ ବିଷୟରେ କୌଣସି ସୂଚନା ଥାଏ ସେମାନେ ମଧ୍ୟ ୧୦୪କୁ ଜଣାଇ ପାରିବେ।

ସୂଚନାଥାଉକି, ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଅନୁସାରେ, ରାଜ୍ୟରେ ନିଜାମୁଦ୍ଦିନ କାର୍ଯ୍ୟକ୍ରମ ସହ ସମ୍ପୃ୍କ୍ତ ୨୮ ଜଣ ବ୍ୟକ୍ତିଙ୍କୁ ଏ ପର୍ଯ୍ୟନ୍ତ ଚିହ୍ନଟ କରାଯାଇ ସେମାନଙ୍କ ସ୍ୱାବ୍ ପରୀକ୍ଷା କରାଯାଇଛି। ସେମାନଙ୍କ ମଧ୍ୟରୁ ୨୫ଜଣଙ୍କ ନମୁନା ନେଗେଟିଭ୍ ଆସିଥିବା ବେଳେ ୩ଜଣଙ୍କ ନମୁନା ପଜିଟିଭ୍ ଆସିଛି। ପଜିଟିଭ୍ ଆସିଥିବା ୩ଜଣ ବ୍ୟକ୍ତି ହେଉଛନ୍ତି କଟକ, ପୁରୀ ଓ ଯାଜପୁର ବାସିନ୍ଦା।

Comments are closed.