ହାଇଡ୍ରୋକ୍ସିକ୍ଲୋରୋକୁଇନ୍: ଭାରତ କୋହଳ କଲା ରପ୍ତାନୀ କଟକଣା

ନୂଆଦିଲ୍ଲୀ: ଜରୁରୀ ଔଷଧ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ର ଅନ୍ୟତମ ବୃହତ ଉତ୍ପାଦକ ଭାରତ ୩ ଦିନ ତଳେ ଏହାର ରପ୍ତାନି ଉପରେ କଟକଣା ଲଗାଇଥିଲା। ଶନିବାର ଠାରୁ ବିଦେଶକୁ ଏହାର ପ୍ରେରଣ ନିଷିଦ୍ଧ କରାଯାଇଥିଲା। ତେବେ ରବିବାର ଅମେରିକାର ଅନୁରୋଧ ପରେ ଆଜି ଭାରତ ନିଷିଦ୍ଧାଦେଶକୁ ଆଂଶିକ ଉଠାଇଛି।
କରୋନା ପାଇଁ ଅବ୍ୟର୍ଥ ଔଷଧ ବୋଲି ଚର୍ଚ୍ଚା ହେଉଥିବା ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ସହ ପାରାସିଟାମଲ୍ ଉପରୁ ମଧ୍ୟ ସର୍ତ୍ତମୂଳକ ଭାବେ କଟକଣା ଉଠାଇଛନ୍ତି ଭାରତ ସରକାର। ଭାରତର ଘରୋଇ ଆବଶ୍ୟକତା ପୂରଣ ପାଇଁ ଔଷଧ ରଖି ବଳକା ଉତ୍ପାଦକୁ ମାମଲାର ଗମ୍ଭୀରତା (case-by-case basis) ଅନୁସାରେ ରପ୍ତାନୀ କରାଯିବ।
ବହିର୍ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କହାଯାଇଛି- ଆମ ଉପରେ ନିର୍ଭରଶୀଳ ସମସ୍ତ ପଡ଼େଶୀ ରାଷ୍ଟ୍ରକୁ ଉଚିତ ପରିମାଣର ପାରାସିଟାମଲ୍ ଓ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଯୋଗାଇଦେବାକୁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି। ଏହା ଛଡ଼ା କରୋନା ଦ୍ବାରା ଭୀଷଣ ଭାବେ ପ୍ରଭାବିତ ଅନ୍ୟ ଦେଶମାନଙ୍କୁ ମଧ୍ୟ ଏହି ଔଷଧଦ୍ବୟ ରପ୍ତାନୀ କରାଯିବ।
ହାଇଡ୍ରୋକ୍ସିକ୍ଲୋରୋକୁଇନ୍ କରୋନା ସଂକ୍ରମଣ ଅଟକାଇବାରେ ସମର୍ଥ ଦାବି କରୁଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଠାରୁ ଏହା ଆମଦାନୀ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରବିବାର ଦିନ ଅନୁରୋଧ କରିଥିଲେ। ଯଦି ଭାରତ ଏହା ନ ପଠାଏ ତେବେ ଆମେରିକା ଜବାବ୍ ଦେବ ବୋଲି ଟ୍ରମ୍ପ କହିଥିବା ନେଇ ଭାରତୀୟ ଗଣମାଧ୍ୟମରେ ଆଜି ରିପୋର୍ଟ ପ୍ରକାଶ ପାଇଥିଲା।
ଭାରତରେ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଏକ ଶସ୍ତା ଓ ସହଜଲବ୍ଧ ଔଷଧ। ମୁଖ୍ୟତଃ ମ୍ୟାଲେରିଆ ପାଇଁ ବ୍ୟବହୃତ ଏ ଔଷଧର ରୋଗପ୍ରତିରୋଧକ ଶକ୍ତିକୁ ଦୃଷ୍ଟିରେ ରଖି ଏହାକୁ କରୋନା ଭୂତାଣୁ ନାଶକ ବୋଲି ଦାବି ହେଉଛି। କୋଭିଡ୍-୧୯ର ଔଷଧ ବୋଲି କିଛି ପାଶ୍ଚାତ୍ୟ ଦେଶରେ ଘୋଷଣା ହେବା ପରେ ଭାରତ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ର ବିକ୍ରି ଉପରେ କଟକଣା ଲଗାଇଛି। ଗତ ଶନିବାର ଠାରୁ (୪ ଏପ୍ରିଲ) ଏହାର ରପ୍ତାନି ଉପରେ ମଧ୍ୟ ଭାରତ କଟକଣା ଲଗାଇଥିଲା ଅର୍ଥାତ୍ ଏହି ଔଷଧ ଭାରତ ବାହାରକୁ ପଠାଯିବ ନାହିଁ ବୋଲି ନିଷ୍ପତ୍ତି ନେଇଥିଲା, ଯାହା ଆଜି ଡଟାଇ ଦିଆଯାଇଛି।
ପାଠକେ ହୁଏତ ଆଶ୍ଚର୍ଯ୍ୟ ହେଉଥିବେ ଯେ ଏ ଔଷଧ ଯଦି କରୋନାଜନିତ ରୋଗ ଭଲ କରିପାରୁଛି ସରକାର ଏହାର ବିକ୍ରି ଉପରେ କଟକଣା କାହିଁକି ଲଗାଇଛନ୍ତି। ଏହା ପଛରେ ଦୁଇଟି କାରଣ ରହିଛି- ପ୍ରଥମ, ଏହାର ପାର୍ଶ୍ବପ୍ରତିକ୍ରିୟା ରହିଛି। ଦ୍ବିତୀୟ, ଏହା ଏଯାଏଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଦ୍ବାରା ଘୋଷଣା କରାଯାଇନାହିଁ।
ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଖାଇଲେ କରୋନା ଭୂତାଣୁକୁ ଦୂରେଇ ହେବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘୋଷଣା ପରେ ସାରା ବିଶ୍ବରେ ଏହାକୁ ନେଇ ଚର୍ଚ୍ଚା ଚାଲିଛି। ଭାରତରେ ମଧ୍ୟ ଗତ ମାର୍ଚ୍ଚ ୨୩ ତାରିଖରେ ଇଣ୍ଡିଆନ କାଉନ୍ସିଲ ଫର୍ ମେଡିକାଲ ରିସର୍ଚ (ICMR) ଏକ ବିବୃତ୍ତିରେ କରୋନା ଭୂତାଣୁ ସଂକ୍ରମଣ ବିରୋଧରେ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ କାମ କରିବ ବୋଲି କହିଛନ୍ତି।
ତେବେ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ବଟିକା ସେବନ କରିବା ପରେ ଏହାର ପାର୍ଶ୍ବପ୍ରତିକ୍ରିୟା ରହିଛି। ଏହା କ୍ଲୋରୋକୁଇନ୍ ସହ ପ୍ରାୟ ସମାନ। କ୍ଲୋରୋକୁଇନ୍ ମ୍ୟାଲେରିଆ ପାଇଁ ଏକ ଅବ୍ୟର୍ଥ ଔଷଧ ଭାବେ ବ୍ୟବହୃତ ହୁଏ। ଏହା ଖାଇବା ପରେ ମୁଣ୍ଡବ୍ୟଥା, ଦୁର୍ବଳ ଲାଗିବା, ମୁଣ୍ଡ ବୁଲାଇବା, ପେଶୀ ପୀଡ଼ା ହେବା, ତ୍ବଚ୍ଚା ଶୁଷ୍କ ଦେଖାଯିବା, ତ୍ବଚ୍ଚା କୁଣ୍ଡେଇ ହେବା, ନାକରୁ ରକ୍ତ ବାହାରିବା ଓ ଶ୍ରବଣ ସମସ୍ୟା ଦେଖାଯିବା ଭଳି ସାମୟିକ ଶାରିରୀକ ଦୁର୍ବଳତା ଅନୁଭବ ହୋଇପାରେ। ଏହାକୁ ଅତ୍ୟଧିକ ମାତ୍ରାରେ ଖାଇଦେଲେ ମୃତ୍ୟୁ ହେବାର ସମ୍ଭାବନା ମଧ୍ୟ ରହିଛି। ତେବେ କ୍ଲୋରୋକୁଇନ୍ ଅପେକ୍ଷା ହାଇଡ୍ରୋକ୍ସିକ୍ଲୋରୋକୁଇନ୍ରେ ଏଭଳି ପାର୍ଶ୍ବ ପ୍ରତିକ୍ରିୟାର ପ୍ରଭାବ ସାମାନ୍ୟ କମ।
୫୦ ଦଶକରେ ବିଶ୍ବ ବଜାରକୁ ପ୍ରବେଶ କରିଥିବା ହାଇଡ୍ରୋକ୍ସିକ୍ଲୋରୋକୁଇନ୍କୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଜରୁରୀ ଔଷଧ ତାଲିକାରେ ରଖିଛନ୍ତି। ତେବେ କରୋନା ପ୍ରତିରୋଧ ପାଇଁ ଏହାର କାର୍ଯ୍ୟଦକ୍ଷତା ଉପରେ ଭାରତୀୟ ଡାକ୍ତର ଏବେ ବି ସନ୍ଦିହାନ। ଏଥିରେ ଥିବା ସଂକ୍ରମଣ-ପ୍ରତିଷେଧକ (ଆଣ୍ଟି-ଭାଇରସ୍) ଶକ୍ତିର ପ୍ରଭାବ ନେଇ ୨୦୦୩ରେ ଏକ ଗବେଷଣାତ୍ମକ ପ୍ରବନ୍ଧ ପ୍ରକାଶ ପାଇଥିଲା। ଗବେଷଣାଗାରରେ ପରୀକ୍ଷଣ ବେଳେ ଏହା କରୋନା ଭୂତାଣୁକୁ ନଷ୍ଟ କରୁଥିବା ପ୍ରମାଣ ମିଳିଥିଲେ ବି ଏହା ଉପରେ ଅଧିକ ପରୀକ୍ଷା ଲୋଡ଼ା ବୋଲି ଆଇଏମ୍ସିଆର୍ କହିଛି।