Odisha Link
Bridging the Missing Links in Odisha

ମେ’ ୧ ଯାଏ ବଢ଼ିଲା ଲକ୍‌ଡାଉନ୍‌ ଅବଧି, କେଉଁ ରାଜ୍ୟରେ ଜାଣନ୍ତୁ

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସଠୁ ରକ୍ଷା ପାଇବାର ଏକମାତ୍ର ଉପାୟ ହେଉଛି ସାମାଜିକ ଦୂରତ୍ବ। ଏଥିପାଇଁ ସାରା ଦେଶରେ ୨୧ ଦିନ ପାଇଁ ଲକ୍‌ଡାଉନ୍‌ ହୋଇଛି। ଓଡ଼ିଶା ପରେ ଦେଶର ଦ୍ୱିତୀୟ ରାଜ୍ୟ ଭାବେ ପଞ୍ଜାବ ଆଜି ଲକଡାଉନ ଅବଧିକୁ ମେ’ ୧ ତାରିଖ ଯାଏ ବୃଦ୍ଧି କରିଛି।

ଆଜି ପଞ୍ଜାବ ସରକାର କରୋନା ଉପରେ ଆଲୋଚନା ପାଇଁ କ୍ୟାବିନେଟ ବୈଠକ ଡାକିଥିଲେ। କ୍ୟାବିନେଟ ବୈଠକରେ ସର୍ବସମ୍ମତିକ୍ରମେ ମେ’ ୧ ତାରିଖ ଯାଏ ରାଜ୍ୟରେ ଲକ୍‌ଡାଉନ୍ ଜାରି ରହିବ ବୋଲି ନିଷ୍ପତ୍ତି ନିଆଯାଇଛି।। ପଞ୍ଜାବରେ ଦ୍ରୁତ ଗତିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏପରି କି ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଅତିକ୍ରମ କରିସାରିଲାଣି।

ଅପରପକ୍ଷେ, ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ମୁକାବିଲା ଏବଂ ଲକ୍‌ଡାଉନ୍‌ ସମ୍ବନ୍ଧରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥାବାର୍ତ୍ତା ହେବେ। ହି ଲକଡାଉନ ବୃଦ୍ଧି ସମ୍ପର୍କରେ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇବେ।

ବର୍ତ୍ତମାନ ଦେଶରେ ଜାରି ହୋଇଥିବା ୨୧ ଦିନିଆ ଲକଡାଉନ ଅବଧି ଆସନ୍ତା ୧୪ ତାରିଖରେ ଶେଷ ହେବ। ହେଲେ ଏହାକୁ ବୃଦ୍ଧି କରିବା ପାଇଁ ରାଜ୍ୟଗୁଡ଼ିକ ନିଜ ସ୍ତରରେ ଉଦ୍ୟମ ଆରମ୍ଭ କରିଛନ୍ତି।

Comments are closed.