Odisha Link
Bridging the Missing Links in Odisha

ଭାରତର କରୋନା ଗଡ଼ ନିଜାମୁଦ୍ଦିନ ଓ ୮ଟି ମିଛ ଖବର

ଶୁଭ୍ରାଂଶୁ ପଣ୍ଡା

ବିଶ୍ବର ଅନ୍ୟତମ ପ୍ରସିଦ୍ଧ ଖବର ପୋର୍ଟାଲ ଅଲ୍‌ଜଜିରା ରିପୋର୍ଟ ଅନୁସାରେ ଭାରତରେ ପ୍ରାୟ ପ୍ରତି ୩ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ନିଭାମୁଦ୍ଦିନ୍‌ ତାବ୍ଲିଘି ମର୍କାଜ୍‌ ସହ ଜଡ଼ିତ। ଯଦି ଏହାକୁ ଆଧାରକୁ ନିଆଯାଏ ତେବେ ଦେଶର ପ୍ରାୟ ଏକ ତୃତୀୟାଂଶ କରୋନା ସଂକ୍ରମିତ ବ୍ୟକ୍ତି ଏକ ନିର୍ଦ୍ଦିଷ୍ଟ ସଂପ୍ରଦାୟର ଯେଉଁମାନେ ମାର୍ଚ୍ଚ ମାସରେ ଦିଲ୍ଲୀ ନିଜାମୁଦ୍ଦିନ ଦରଘା ଠାରେ ଅନୁଷ୍ଠିତ ଧର୍ମସଭାରେ ଯୋଗ ଦେଇଥିଲେ ବା ସେମାନଙ୍କ ସଂସ୍ପର୍ଶରେ ଆସିଥିଲେ। ନିଜାମୁଦ୍ଦିନ୍‌ରୁ କରୋନା ବ୍ୟାପିବା ଏକ ଷଡ଼ଯନ୍ତ୍ର ଓ ଏହାକୁ କେହି କେହି “କରୋନା ଜିହାଦ” କହୁଛନ୍ତି ବୋଲି ଅଲ୍‌ଜଜିରା ଲେଖିଛି। ଭାରତୀୟ ସମ୍ବିଧାନ ବିଶେଷଜ୍ଞ ଫୈଜାନ୍‌ ମୁସ୍ତାଫା ଅଲ୍‌ଜଜିରାକୁ କହିଛନ୍ତି ଯେ ଜମାତ୍‌ ଯେଭଳି ସଚେତନ ହେବା କଥା ହୋଇନାହିଁ। ଏପରିକି ଇଣ୍ଡୋନେସିଆର ଇସଲାମ ପ୍ରଚାରକମାନେ ତେଲଙ୍ଗାନାରେ କରୋନା ପଜିଟିଭ୍‌ ବୋଲି ଜଣାପଡ଼ିବା ପରେ ମଧ୍ୟ ଜମାତ୍‌ ତତ୍ପରତା ଦେଖାଇ ନଥିବା ସେ କହିଛନ୍ତି। ତେବେ ତାବ୍ଲିଘି ଜମାତ ଏକ ଗୋଷ୍ଠୀ ଏବଂ ସେମାନଙ୍କ ଅଦୂରଦର୍ଶୀତା ପାଇଁ ସାରା ଇସଲାମ ସଂପ୍ରଦାୟକୁ ଦୋଷ ଦେବା ଇସଲାମ ପ୍ରତି ଅହେତୁକ ଭୟ (ଇସ୍‌ଲାମୋଫୋବିଆ) ବୋଲି ସେ କହିଛନ୍ତି।

୨୦୨୦ ମାର୍ଚ୍ଚ ମଧ୍ୟଭାଗରେ ଅନୁଷ୍ଠିତ ମର୍କାଜରେ କେତେ ଜଣ ଭାଗ ନେଇଥିଲେ ସେ ନେଇ ଭିନ୍ନ ଭିନ୍ନ ଗଣମାଧ୍ୟମ ଭିନ୍ନ ଭିନ୍ନ ଅଙ୍କ ଦେଉଛନ୍ତି। ବହୁସଂଖ୍ୟାରେ ଲୋକ ଏକାଠି ହେବା ବାରଣ ସତ୍ତ୍ବେ ୪,୫୦୦ରୁ ଅଧିକ ଶ୍ରଦ୍ଧାଳୁ ଏହି ଧର୍ମସଭାରେ ଭାଗ ନେଇଥିଲେ ବୋଲି ଦ ହିନ୍ଦୁ ଲେଖିଛି। ୯,୦୦୦ରୁ ଅଧିକ ଜଣ ଭାଗ ନେଇଥିଲେ ବୋଲି ଦ ଇକନୋମିକ୍‌ ଟାଇମ୍‌ ଲେଖିଛି। ତେବେ ଜମାତ୍‌ ଶେଷ ହୋଇଯାଇଥିଲେ ହେଁ କିଛି ବିଦେଶୀଙ୍କ ସମେତ ୨,୦୦୦ରୁ ଅଧିକ ଲୋକ ନିଜାମୁଦ୍ଦିନ ଦରଘାରେ ରହି ଯାଇଥିଲେ। ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା ପରେ ଏ ଘଟଣା ସାମନାକୁ ଆସିଥିଲା।

ମାର୍ଚ୍ଚ ୨୦ ତାରିଖରେ ତେଲଙ୍ଗାନାରେ ୧୦ ଜଣ ଇଣ୍ଡୋନେସିଆର ଇସଲାମ ପ୍ରଚାରକ କରୋନା ପଜିଟିଭ୍‌ ବୋଲି ଜଣାପଡ଼ିଥିଲା। ଏମାନଙ୍କର ନିଜାମୁଦ୍ଦିନ ତାବ୍ଲିଘି ସହ ସମ୍ପର୍କ ନଥିଲେ ହେଁ ବହୁ ସଂଖ୍ୟାରେ ବିଦେଶୀ (ଇଣ୍ଡୋନେସିଆ ସମେତ) ଏହି ଧର୍ମସଭାରେ ଯୋଗ ଦେଇଥିବାରୁ ଆୟୋଜକ ଗୋଷ୍ଠୀ ତେଲଙ୍ଗାନା ଘଟଣାରୁ ଶିକ୍ଷା କରିବାର ଥିଲା ବୋଲି ଅଲ୍‌ଜଜିରା ଲେଖିଛି।

ମାର୍ଚ୍ଚ ୨୫ ତାରିଖ ସଂଧ୍ୟାରେ ଆଣ୍ଡାମାନ ନିକୋବର ସରକାରଙ୍କ ଠାରୁ ଏକ ଚିଠି ଦିଲ୍ଲୀ ପୁଲିସ ପାଖରେ ପହଞ୍ଚିଥିଲା ଯାହା ଭାରତର କରୋନା ରଣନୀତିକୁ ଦୋହଲାଇ ଦେଇଥିଲା। ଆଣ୍ଡାମାନ ନିକୋବରରେ କରୋନା ପଜିଟିଭ୍‌ ବାହାରିଥିବା ସମସ୍ତ ୬ ଜଣ ବ୍ୟକ୍ତି ମର୍କାଜ୍‌ ଫେରନ୍ତା ବୋଲି ଏହି ଚିଠିରେ ଉଲ୍ଲେଖ ଥିଲା। ଏହା ପରେ ହିଁ କଠୋର ହୋଇଥିଲା ଦିଲ୍ଲୀ ପୁଲିସ। ଆରମ୍ଭ ହୋଇଥିଲା ଦରଘା ଖାଲି କରିବା ପ୍ରକ୍ରିୟା। ଦ ହିନ୍ଦୁର ଉପରୋକ୍ତ ରିପୋର୍ଟ ଅନୁସାରେ ଗୋଟିଏ ସପ୍ତାହ ଭିତରେ (ଏପ୍ରିଲ ୧ ସୁଦ୍ଧା) ଦରଘା ଭିତରୁ ସମସ୍ତଙ୍କୁ (୨,୩୬୧ ଜଣ) ବାହାର କରାଯାଇ ଡାକ୍ତରଖାନା ଅଥବା କ୍ବାରାଣ୍ଟିନ୍‌କୁ ପଠାଯାଇଥିଲା।

ତେବେ ସମସ୍ୟା ଆଉ ନିଜାମୁଦ୍ଦିନରେ ନାହିଁ। ନିଜାମୁଦ୍ଦିନ ଏବେ ଖାଁ ଖାଁ। ଯେଉଁ ୨,୩୨୬ ଜଣଙ୍କୁ ସେଠାରୁ ବାହାର କରି ଅଣାଗଲା ସେମାନଙ୍କୁ ନେଇ ମଧ୍ୟ ସେତେଟା ସମସ୍ୟା ନାହିଁ ଯଦିଓ ସେମାନଙ୍କ ଭିତରେ କରୋନା ପଜିଟିଭ୍‌ ମଧ୍ୟ ଅଛନ୍ତି। ଅନ୍ୟମାନଙ୍କୁ କ୍ବାରାଣ୍ଟିନ୍‌ରେ ରଖାଯାଇଛି। ସମସ୍ୟା ହେଉଛି ଯେଉଁମାନେ ମର୍କାଜ୍‌ ପରେ ନିଜ ନିଜ ରାଜ୍ୟକୁ ଫେରିଯାଇଛନ୍ତି ସେମାନେ ଏବେ ରୋଗ ବିତରକ (ସ୍ପ୍ରେଡର୍) ଭାବରେ ଉଭା ହୋଇଛନ୍ତି। ସାରା ଭାରତରେ ଏଯାବତ୍‌ କେତେ ଜଣ ତାବ୍ଲିଘି କରୋନା ଆକ୍ରାନ୍ତ ତାହାର ସମ୍ପୂର୍ଣ୍ଣ ତଥ୍ୟ ଜଣାପଡ଼ିନାହିଁ। ସିଧାସଳଖ ଭାବେ କେତେ ଜଣ ଆକ୍ରାନ୍ତ ଓ ଏମାନଙ୍କ ସଂସ୍ପର୍ଶରେ କେତେ ଜଣ ଆସି ଆକ୍ରାନ୍ତ ହୋଇଛନ୍ତି ତାହାର ରାଜ୍ୟ ଓ୍ବାରି ତଥ୍ୟ ମିଳିନାହିଁ। ପଶ୍ଚିମବଙ୍ଗ, କେରଳ ଭଳି କିଛି ରାଜ୍ୟ ଏବେ ବି ଏ ନେଇ ଅନ୍ଧାରରେ ଅଛନ୍ତି।

ଓଡ଼ିଶାରେ ଦୁଇ ଜଣ (କଟକ ଓ ପୁରୀ, ଉଭୟେ ଏବେ ସୁସ୍ଥ) ନିଜାମୁଦ୍ଦିନ୍‌ ସମ୍ପର୍କିତ ହୋଇଥିବା ବେଳେ ନିଜାମୁଦ୍ଦିନ ସମ୍ପର୍କିତଙ୍କ ସଂସ୍ପର୍ଶରେ ଆସି ଢେଙ୍କାନାଳର ଜଣେ ମହିଳା ଆକ୍ରାନ୍ତ ହୋଇଥିବା ସୂଚନା ଦେଇଛନ୍ତି ସରକାର। ଉତ୍ତରପ୍ରଦେଶରେ ଗୁରୁବାର ସୁଦ୍ଧା ୪୧୦ ଜଣ କରୋନା ଆକ୍ରାନ୍ତ ମିଳିଥିବା ବେଳେ ଏମାନଙ୍କ ମଧ୍ୟରୁ ୨୧୦ ଜଣ ଜମାତୀ। ଅନୁରୂପ ଭାବେ ଦିଲ୍ଲୀରେ ୭୫୭ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ପ୍ରାୟ ୪୫୦ ଜଣ ଜମାତ୍‌ ସଦସ୍ୟ। ଗୁଜୁରାଟରେ ମାତ୍ର ୧୪ ଜଣ ଜମାତ ସମ୍ପର୍କିତ କରୋନା ଭୂତାଣୁ ଦ୍ବାରା ଆକ୍ରାନ୍ତ। ତେଲଙ୍ଗାନାରେ ସବୁଠାରୁ ଗମ୍ଭୀର ସ୍ଥିତି। ୪୭୧ ଆକ୍ରାନ୍ତଙ୍କ ମଧ୍ୟରୁ ୩୮୮ ଜଣ ମର୍କାଜ୍‌ରେ ଭାଗ ନେଇଥିଲେ। ତାମିଲନାଡ଼ୁ, ଆସାମ, ମହାରାଷ୍ଟ୍ର, ପଞ୍ଜାବ ଓ ଆନ୍ଧ୍ରପ୍ରଦେଶରେ ମଧ୍ୟ ନିଜାମୁଦ୍ଦିନ୍‌ ସମ୍ପର୍କ ଥିବା କରୋନା ଆକ୍ରାନ୍ତ ଠାବ ହୋଇଛନ୍ତି।

ନିଜାମୁଦ୍ଦିନ୍‌ ଘଟଣା ଦେଶବ୍ୟାପୀ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି କରିଛି। ସବୁ ରାଜ୍ୟରେ ସେମାନଙ୍କୁ ଖୋଜି ପୃଥକବାସରେ ରଖିବାର ପ୍ରକ୍ରିୟା ଚାଲୁ ରହିଥିଲେ ବି କିଛି ବ୍ୟକ୍ତି ନିଜର ଗସ୍ତ ଇତିହାସ ଲୁଚାଉଥିବାରୁ ସମସ୍ୟା ଉପୁଜିଛି। ଅନେକ ସ୍ଥାନରେ ହିଂସା ଦେଖିବାକୁ ମିଳିଛି ଓ ପୁଲିସ କାର୍ଯ୍ୟାନୁଷ୍ଠାନ ମଧ୍ୟ ହୋଇଛି।

ତେବେ ସଂକ୍ରମିତ ଜମାତ ସଦସ୍ୟମାନେ ନିଜର ଅସାବଧାନତା, ମୁର୍ଖାମୀ ଓ ଧର୍ମାନ୍ଧତା ଯୋଗୁଁ ଦେଶକୁ କରୋନା ଜାଲରେ ଏକ ପ୍ରକାର ଫସାଇ ଦେଇଥିବା ବେଳେ ଏହି ପରିସ୍ଥିତିର ସୁଯୋଗ ନେଇ କିଛି କୁଚକ୍ରୀ ସାମ୍ପ୍ରଦାୟିକ ବ୍ୟକ୍ତି ହିଂସାର ବିହନ ବୁଣିବାରେ ବ୍ୟସ୍ତ ଅଛନ୍ତି। ତାବ୍ଲିଘି ଘଟଣା ପରେ ଭାରତର ସମଗ୍ର ଇସଲାମ ଧର୍ମାବଲମ୍ବୀଙ୍କୁ ବଦନାମ କରିବା ପାଇଁ ଏମାନଙ୍କୁ ମଉକା ମିଳିଯାଇଛି। ଏବେ ବିଭିନ୍ନ ପ୍ରକାରର ମିଛ ଖବର, ଭିଡିଓ ଓ ତଥ୍ୟ ମୋବାଇଲରୁ ମୋବାଇଲ ଘୂରି ବୁଲୁଥିବା ବେଳେ କେତେକ ଖବର ସଂସ୍ଥା ମଧ୍ୟ ଏସବୁକୁ ସତ ବୋଲି ଦାବି କରି ପ୍ରକାଶ କରିଛନ୍ତି।

ଗୋଟିଏ ପଟେ ନିଜାମୁଦ୍ଦିନ୍‌ ମର୍କାଜ ସମ୍ପର୍କିତ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ସେଇ ଅନୁପାତରେ ଘୃଣା ଉଦ୍ରେକକାରୀ ମିଥ୍ୟା ଖବର ସଂଖ୍ୟା ବି ବଢ଼ିଚାଲିଛି। ସତ୍ୟାନୁସନ୍ଧାନ (Factcheck) ଦ୍ବାରା ମିଥ୍ୟା (fakenews) ବୋଲି ଜଣା ପଡ଼ିଥିବା ସେମିତି ୮ଟି ଖବର ବାବଦରେ ଆମେ ଆମର ପାଠକଙ୍କୁ ସୂଚନା ଦେବାକୁ ଚାହୁଁ।

୧.) ମୁସଲିମ୍‌ ଫଳ ବ୍ୟବସାୟୀ ଛେପ ଲଗାଉଛନ୍ତି
ଭିଡିଓଟି ସତ୍ୟ। ଜଣେ ମୁସଲିମ୍‌ ବ୍ୟବସାୟୀ ଫଳ ପ୍ରତିଟି ଫଳ ଉପରେ ଛେପ ଲଗାଇ ତାକୁ ବିକ୍ରି ପାଇଁ ସଜାଉଥିବା ମଧ୍ୟ ସତ୍ୟ। ଏଭଳି କରିବା ଘୃଣ୍ୟ ଓ ଧର୍ତ୍ତବ୍ୟ ଅପରାଧ ମଧ୍ୟ। ତେବେ ଏ ଭିଡିଓଟିକୁ ଯେଉଁଭଳି ଭାବରେ ଏବେ ପ୍ରଚାର କରାଯାଉଛି ତାହା ଅସତ୍ୟ ବୋଲି ଅଲ୍‌ଟ ନ୍ୟୁଜ୍‌ ଫ୍ୟାକ୍ଟଚେକ୍‌ରୁ ଜଣାପଡ଼ିଛି। କରୋନା ଭୂତାଣୁ ସଂକ୍ରମଣ ପାଇଁ ମୁସଲିମ ବ୍ୟକ୍ତି ଏଭଳି କରୁଥିବା ଅମୂଳକ। କାରଣ ଭାରତରେ କରୋନାକୁ ଜରୁରୀ ସ୍ବାସ୍ଥ୍ୟ ସମସ୍ୟା ଘୋଷଣା (୧୪ ମାର୍ଚ୍ଚ)ର ବହୁ ପୂର୍ବରୁ ମଧ୍ୟପ୍ରଦେଶର ରାଇସେନରେ ଭିଡିଓଟି ନିଆଯାଇଛି। ଏହା ପଛରେ କରୋନ ବ୍ୟାପକ କରିବା ଲାଗି ଷଡ଼ଯନ୍ତ୍ର ଥିବା ଖବର ସମ୍ପୂର୍ଣ୍ଣ ମିଥ୍ୟା। ବ୍ୟକ୍ତି ଜଣକ ମାନସିକ ବିକଳାଙ୍ଗ ବୋଲି ଜଣାପଡ଼ିଛି ଓ ତାଙ୍କର ଏଭଳି ଘୃଣ୍ୟ କାମ ପାଇଁ ସ୍ଥାନୀୟ ପୁଲିସ ତାଙ୍କୁ ଗିରଫ କରିଛନ୍ତି।

୨.) ମୁସଲିମ୍‌ ବାଳକ ଏକାଠି ଅଇଁଠା ବାସନ ଚାଟୁଛନ୍ତି
କରୋନା ବ୍ୟାପକ କରିବା ପାଇଁ ମୁସଲିମ ବାଳକମାନଙ୍କୁ ନିୟୋଜିତ କରାଯାଇଛି ଓ ସେମାନେ ଜାଣିଶୁଣି ସବୁ ବାସନରେ ଲାଳ ଲଗାଉଛନ୍ତି ବୋଲି ପ୍ରଚାର ହେଉଛି। ବୁମ୍‌ ଓ ନ୍ୟୁଜ୍‌ଲଣ୍ଡ୍ରୀ ପକ୍ଷରୁ ଏହାର ଫ୍ୟାକ୍ଟଚେକ୍‌ କରାଯାଇଛି। ପ୍ରଥମ କଥା ହେଲା ଭିଡିଓଟି ୨ ବର୍ଷ ପୁରୁଣା, ୨୦୧୮ ମସିହାର। ମୁଣ୍ଡରେ ସୁନେଲି ଧଡ଼ି ଥିବା ଗୋଲ ଟୋପି ପିନ୍ଧୁଥିବା ଏହି ପିଲାମାନେ ଦାଉଦି ଭୋରା ସଂପ୍ରଦାୟର। ଏହି ସଂପ୍ରଦାୟରେ ଏଭଳି ଏକ ବିଚିତ୍ର ପରମ୍ପରା ରହିଛି। ସେମାନେ ଖାଦ୍ୟର ଗୋଟିଏ ଦାନା ବି ନଷ୍ଟ କରନ୍ତିନାହିଁ। ଏଣୁ ବାସନ ସଫା ହେବା ଆଗରୁ ସେମାନେ ବଳକା ଖାଦ୍ୟକୁ ଚାଟି ସଫା କରୁଛନ୍ତି।

୩.) ମସ୍‌ଜିଦ୍‌ରେ ଏକାଠି ଛିଙ୍କୁଛନ୍ତି ମୁସଲିମ୍
ଏକ ଭିଡିଓରେ ଦଳେ ମୁସଲିମ୍‌ ପ୍ରାର୍ଥନା ଗୃହରେ ଏକାଠି ହୋଇ ପାଗଳଙ୍କ ଭଳି ଛିଙ୍କିବାରେ ଲାଗିଛନ୍ତି ବୋଲି ଦାବି ହେଉଛି। ଏହା ନିଜାମୁଦ୍ଦିନ ଭିତରେ ଓ କରୋନା ସଂକ୍ରମିତ କରିବାକୁ ସେମାନେ ଏଭଳି ଛିଙ୍କୁଥିବା ଦାବି ହେଉଛି। ତେବେ ଅଲ୍‌ଟନ୍ୟୁଜ୍‌ ଫ୍ୟାକ୍ଟଚେକ୍‌ ଅନୁସାରେ ଭିଡିଓଟି ପ୍ରଥମେ ଜାନୁଆରୀ ୩୦ ତାରିଖରେ ପାକିସ୍ତାନ ସୋସିଆଲ ମିଡିଆରେ ଛଡ଼ାଯାଇଥିଲା। ଦାବି ମଧ୍ୟ ସମାନ ଥିଲା, ଯେ କରୋନା ସଂକ୍ରମଣ କରିବାକୁ କିଛି ଲୋକ ଏକାଠି ଛିଙ୍କୁଛନ୍ତି। ତେବେ ଅଧିକ ତର୍ଜମାରୁ ଜଣାପଡ଼ିଛି, ସୁଫି ପରମ୍ପରାରେ ଏହା ଏକ ପ୍ରାର୍ଥନା ଯାହାକୁ ଜିକ୍ର କୁହାଯାଏ। ଏ ସମୟରେ ସେମାନେ ଛିଙ୍କୁନାହାନ୍ତି ବରଂ କ୍ଷୀପ୍ର ଭାବରେ ପ୍ରଶ୍ବାସ ନେଉଛନ୍ତି। ପରେଡ୍‌ରେ ଜତିପାତରେ ଗୋଡ଼ ଉଠିବା ଭଳି ଏହି ଭିଡିଓରେ ଏକ ସାଙ୍ଗରେ ପ୍ରଶ୍ବାସ ନେଉଥିବା ଦେଖିବାକୁ ମିଳିଛି। ଏତେ ଲୋକ ଜତିପାତରେ ଏକାଠି ଛିଙ୍କିବା ଅସମ୍ଭବ।

୪.) କରାଚୀରେ ହିନ୍ଦୁଙ୍କୁ ରାସନ୍‌ ମିଳୁନାହିଁ
କିଛି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦାବି ହେଉଛି ଯେ କରୋନା କରାଳ ସମୟରେ ପାକିସ୍ତାନର କରାଚୀରେ ହିନ୍ଦୁମାନେ ଅବହେଳାର ଶିକାର ହୋଇଛନ୍ତି, ସେମାନଙ୍କୁ ସରକାର ରାସନ୍‌ ଦେଉନାହାନ୍ତି। ପାକିସ୍ତାନର ଇଂରାଜୀ ଖବରକାଗଜ ଦ ନ୍ୟୁଜ୍‌ ଇଣ୍ଟରନାସନାଲ ଏଭଳି ଦାବିକୁ ଖଣ୍ଡନ କରିବା ସହ ସତ୍ୟ ଉପରୁ ପରଦା ଉଠାଇଛି। କରାଚୀର ଗେହରି ଗୋଠରେ ରାସନ୍‌ ବଣ୍ଟାଯିବା ବେଳେ ଶେଷ ହୋଇଯାଇଥିଲା। କେବଳ ହିନ୍ଦୁ ନୁହନ୍ତି ଉପସ୍ଥିତ ସବୁ ଧର୍ମର ବ୍ୟକ୍ତି ଖାଦ୍ୟ ପାଇବାରୁ ବଞ୍ଚିତ ହୋଇଥିଲେ।

୫.) କ୍ବାରାଣ୍ଟିନ୍‌ରୁ ଖସିବା ପାଇଁ ପୁଲିସ ଉପରେ ଛେପ ପକାଉଛନ୍ତି ମୁସଲିମ ବ୍ୟକ୍ତି
ଦିଲ୍ଲୀର ନିଜାମୁଦ୍ଦିନରୁ ବସରେ ନେବା ବେଳେ ଜଣେ ମୁସଲିମ ବ୍ୟକ୍ତି ପୁଲିସ ଉପରେ ଛେପ ପକାଉଥିବା ଦାବି କରି ଏକ ଭିଡିଓ ଭାଇରାଲ ହୋଇଛି। ତେବେ ଭିଡିଓଟି ଦିଲ୍ଲୀ ନୁହେଁ ବରଂ ମହାରାଷ୍ଟ୍ରର ବୋଲି ଜଣାପଡ଼ିଛି। ବିବିସି ହିନ୍ଦୀ ପକ୍ଷରୁ ହୋଇଥିବା ଫ୍ୟାକ୍ଟଚେକ୍‌ ଅନୁସାରେ ମାର୍ଚ୍ଚ ଆରମ୍ଭରେ ଥାନେରେ ଏ ଘଟଣା ଘଟିଥିଲା। ଲୋକଟିକୁ ଖାଦ୍ୟ ଦିଆ ନ ଯିବାରୁ ରାଗିଯାଇ ସେ ପୁଲିସଙ୍କ ଉପରେ ଛେପ ପକାଇଥିଲା। ଏଥିପାଇଁ ପରେ ଲୋକଟି ପୁଲିସ ଠାରୁ ମାଡ଼ ଖାଇଥିଲା। କରୋନା ସହ ଏ ଭିଡିଓର ସମ୍ପର୍କ ନାହିଁ।

୬.) ମଧ୍ୟପ୍ରଦେଶରେ ହିନ୍ଦୁ ପୂଜାରୀଙ୍କୁ ମୁସଲିମ ପୁଲିସଙ୍କ ମାଡ଼
ଲକ୍‌ଡାଉନ୍‌ ସମୟରେ ମଧ୍ୟପ୍ରଦେଶର ରେଓ୍ବା ଏସ୍‌ପି ଆବିଦ ଖାନ୍‌ ଏକ ମନ୍ଦିର ଭିତରେ ପଶି ଏକାକୀ ଥିବା ପୂଜକଙ୍କୁୁ ଲାଠିରେ ମାଡ଼ ମାରୁଥିବା ଦାବି ହୋଇ କିଛି ଫଟୋ ଭାଇରାଲ ହୋଇଛି। ତେବେ ପରେ ପୁଲିସ ଆଇଜି ଏ ନେଇ ଗଣମାଧ୍ୟମକୁ କହିଥିଲେ ଯେ ଫଟୋରେ ଥିବା ବ୍ୟକ୍ତି ଆବିଦ୍‌ ଖାନ୍‌ ନୁହନ୍ତି ବରଂ ପୁଲିସ ଇନସ୍ପେକ୍ଟର ରାଜକୁମାର ମିଶ୍ର। ଲଲନ୍‌ଟପ୍‌ ଫ୍ୟାକ୍ଟଚେକ୍‌ ଅନୁସାରେ ଫଟୋଟି ରାମନବମୀ ଦିନର ଯେଉଁଦିନ ବହୁ ସଂଖ୍ୟାରେ ଲୋକ ସେ ମନ୍ଦିରରେ ଜମା ହୋଇଥିଲେ। ପରେ ରାଜକୁମାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି।

୭.) ପାଟନାରେ ଲୁଚିଛନ୍ତି ଇରାନ ଓ ଇଟାଲୀର କରୋନା ଆକ୍ରାନ୍ତ
ମାର୍ଚ୍ଚ ମାସରେ ଏକ ଭିଡିଓ ଭାଇରାଲ୍‌ ହୋଇଥିଲା ଯେଉଁଥିରେ ଗୋଟିଏ ଘରୁ କିଛି ବିଦେଶୀ ନାଗରିକ ବାହାରୁଛନ୍ତି। ଦାବି ହୋଇଥିଲା ଯେ ଇଟାଲି ଓ ଇରାନରୁ ଆସିଥିବା ୫୦ରୁ ଅଧିକ ବ୍ୟକ୍ତି ପାଟନାର କୁଜ୍ରି ଅଞ୍ଚଳ ଗଳି ନଂ ୭୪ରେ ଥିବା ଏକ ମସଜିଦରେ ଲୁଚିଛନ୍ତି। ଆଉ କିଛି ସେମାନଙ୍କୁ ଚୀନର ଉଇଘର ମୁସଲିମ ସଂପ୍ରଦାୟର ବୋଲି ଦାବି କରିଥିଲେ। ଏପ୍ରିଲ ୨ରେ ହିନ୍ଦୁସ୍ତାନ ଟାଇମ୍ସ ପକ୍ଷରୁ ପ୍ରକାଶିତ ଫ୍ୟାକ୍ଟଚେକ୍‌ରୁ ଜଣାପଡ଼ିଛି ସେମାନଙ୍କ ସଂଖ୍ୟା ୧୭, ସମସ୍ତେ କିରଗିଜ୍‌ସ୍ଥାନ ବାସିନ୍ଦା ଓ ସମସ୍ତେ ଜାନୁଆରୀ ୩୦ ପୂର୍ବରୁ ଭାରତକୁ ଆସିଥିଲେ। ତେବେ ସେମାନେ ଗଳି ନମ୍ବର ୭୪ର ମସଜିଦରେ ହିଁ ରହୁଥିଲେ। ଦେଶରେ କରୋନା ସଂକ୍ରମଣ ଜଣାପଡ଼ିବା ପରେ ସେମାନଙ୍କୁ ସ୍ଥାନୀୟ ଏମ୍‌ସରେ ଭର୍ତ୍ତି କରାଯାଇଥିଲା। ପରେ ସମସ୍ତଙ୍କର ରିପୋର୍ଟ ନେଗେଟିଭ୍‌ ଆସିବାରୁ ଛାଡ଼ି ଦିଆଯାଇଥିଲା।

୮.) ଖାଦ୍ୟ ଉପରେ ଛେପ ପକାଉଛନ୍ତି ମୁସଲିମ୍‌ ରେଷ୍ଟୁରାଣ୍ଟ କର୍ମଚାରୀ
୪୫ ସେକେଣ୍ଡ ଭିଡିଓରେ ଏକ ମୁସଲିମ ରେସ୍ତୋରାଁରେ ଜଣେ କର୍ମଚାରୀ ଖାଦ୍ୟ ଉପରେ ଛେପ ପକାଉଥିବାର ଦେଖିବାକୁ ମିଳୁଛି। ଏହାକୁ ଭାରତରେ କରୋନା ସହ ଯୋଡ଼ାଯାଉଥିଲେ ବି ଭିଡିଓଟି ଭାରତର ନୁହେଁ ବୋଲି ଜଣାପଡ଼ିଛି। ବର୍ଷେରୁ ଅଧିକ ସମୟ ଧରି ଭିଡିଓଟି ବୁଲୁଛି। ୟୁଏଇ, ସିଙ୍ଗାପୋର ଓ ଅନ୍ୟ କେତେକ ରାଷ୍ଟ୍ରରେ ମଧ୍ୟ ଏହା ଭାଇରାଲ ହୋଇଛି। ଭିଡିଓଟି ଯେଉଁଠାର ହୋଇଥାଉ ନା କାହିଁକି ଏଭଳି ଛେପ ପକାଇବା ରୁଗ୍‌ଣ ମାନସିକତାର ପରିଚୟ।

ଏଇଠି ମୋର ପ୍ରସିଦ୍ଧ କାହାଣୀକାର ନୋବେଲ ବିଜେତା ଆଇଜାକ୍‌ ବାସେଭିକ୍‌ ସିଙ୍ଗରଙ୍କର ଏକ କାହାଣୀ ମନେପଡ଼ୁଛି- ଗିମ୍ପେଲ ଦି ଫୁଲ୍‌ (ବୁଦ୍ଦୁ ଗିମ୍ପେଲ)। କାହାଣୀରେ ଗିମ୍ପେଲ ସମଗ୍ର ସହରବାସୀଙ୍କ ଉପରେ ପ୍ରତିଶୋଧ ପରାୟଣ ହୋଇ ସେ କାମ କରୁଥିବା ପାଉଁରୁଟି ଫ୍ୟକ୍ଟୋରୀର ପାଉଁରୁଟି ପ୍ରସ୍ତୁତି ବେଳେ ନିଜର ପରିସ୍ରା ମିଶାଇଦେବାକୁ ଚିନ୍ତା କରୁଛି। (ଅବଶ୍ୟ ସେ ସେଭଳି କରୁନାହିଁ।) ଏଭଳି ରୁଗ୍‌ଣ ମାନସିକତାର ବ୍ୟକ୍ତି ଏବେ ବି ଅଛନ୍ତି। ଉପର ବର୍ଣ୍ଣିତ ମିଛ ଖବର ଗୁଡ଼ିକ ଛଡ଼ା ବହୁ ଖବର ଓ ଭିଡିଓ ରହିଛି ଯାହା ନିର୍ଦ୍ଦିଷ୍ଟ ସଂପ୍ରଦାୟକୁ ଲଜ୍ଜିତ କରିବ ଅଥବା ଅନ୍ୟ ଏକ ସଂପ୍ରଦାୟ ବିରୋଧରେ ଘୃଣା ଉଦ୍ରେକ କରିବ।

ଆମ ଦେଶ ଓ ସାରା ବିଶ୍ବ ଏବେ କରୋନା ସହ ଲଢ଼େଇ କରୁଥିବା ବେଳେ ଆମେ ଏଭଳି ଘୃଣା ଉଦ୍ରେକକାରୀ ମିଛ ଅଥବା ସତ ତଥ୍ୟସବୁକୁ ଏଡ଼େଇଯିବା ଉଚିତ ବୋଲି ମୋର ମତ। ନିଜାମୁଦ୍ଦିନରେ ଯାହା ଘଟିଛି ତାହା ନିଶ୍ଚିତ ଭାବରେ ଅକ୍ଷମଣୀୟ। ଯେଉଁମାନେ ଦୋଷୀ ପୁଲିସ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି। ଏପରିକି କିଛି ବିଦେଶୀଙ୍କୁ ମଧ୍ୟ କ୍ବାରାଣ୍ଟିନ୍‌ ପରେ ପୁଲିସ କାର୍ଯ୍ୟାନୁଷ୍ଠାନର ସାମନା କରିବାକୁ ପଡ଼ିବ। ଆମେ ଏସବୁ କାମ ସରକାରଙ୍କ ଉପରେ ଛାଡ଼ିଦେଇ ଏକାଠି ଭାଇଚାରା ବଜାୟ ରଖିବା ପାଇଁ ଚେଷ୍ଟା କରିବା। ଦିଲ୍ଲୀରେ କିଛି ଲୋକ କରିଥିବା ଭୁଲ ପାଇଁ ଆମ ପାଖ ପଡ଼ୋଶୀରେ ଥିବା ସଂପ୍ରଦାୟ ପ୍ରତି କଠୋର ହେବାନାହିଁ।

ଧର୍ମାନ୍ଧ, ମୁର୍ଖ ଓ ଅପରାଧୀମାନଙ୍କର ପରିଚୟ ‘ଧର୍ମାନ୍ଧ’, ‘ମୁର୍ଖ’ ଆଉ ‘ଅପରାଧୀ’। ସେମାନଙ୍କ ପାଇଁ ଗୋଟିଏ ସଂପ୍ରଦାୟକୁ ଦୋଷାରୋପ କରାଯାଇ ନ ପାରେ।

Comments are closed.