କରୋନା ମୁକାବିଲା : ଦେଶକୁ ୩ଟି ଜୋନରେ ଭାଗ କରିପାରନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍ ଦିନକୁ ଦିନ ଭାରତରେ କାୟା ବିସ୍ତାର କରିବାରେ ଲାଗିଛି। ଏଥିପାଇଁ ଦେଶରେ ଦିନକୁ ଦିବ ଆକ୍ରାନ୍ତ ଏବଂ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହି ମହାମାରୀର ମୁକାବିଲା ପାଇଁ ସାରା ଦେଶ ୨୧ ଦିନ ପାଇଁ ଲକ୍ଡାଉନ୍ ହୋଇଥିଲା। ଏହି ଲକ୍ଡାଉନ୍ ଏପ୍ରିଲ ୧୪ରେ ସମାପ୍ତ ହେବ। ଅପରପକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କରୋନା ସ୍ଥିତି ଏବଂ ଲକ୍ଡାଉନ୍ ବିଷୟରେ ଆଲୋଚନା କରିଥିଲେ।
ଏପରିକି ଲକ୍ ଡାଉନ ଅବଧି ବୃଦ୍ଧି ପାଇଁ ବିଭିନ୍ନ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରସ୍ତାବ ଦିଆଯାଇଛି। ହେଲେ ଏହାରି ମଧ୍ୟରେ ମୋଦି ସରକାର ଏକ ନୂତନ ବିକଳ୍ପ ଉପରେ ବିଚାର କରୁଥିବା ଭଳି ତଥ୍ୟ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ହେଉଛି। ଦେଶକୁ ରେଡ୍, ଅରେଞ୍ଜ ଓ ଗ୍ରୀନ୍ ଜୋନ୍ ରେ ବାଣ୍ଟିବାକୁ ମୋଦି ସରକାର ଚିନ୍ତା କରୁଥିବା ଜଣାପଡ଼ିଛି।
ତେବେ ଖବର ସରବରାହ ସଂସ୍ଥା ପିଟିଆଇର ରିପୋର୍ଟ ଅନୁଯାୟୀ ଯେଉଁ ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅଧିକ ଥିବ ସେହି ସ୍ଥାନକୁ କେନ୍ଦ୍ର ସରକାର ରେଡ୍ ଜୋନ ବୋଲି ଘୋଷଣା କରିପାରନ୍ତି। ଏହି ଅଞ୍ଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ। ସେହିପରି ଯେଉଁଠାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବହୁତ କମ୍ ଥିବ ଏବଂ ସଂକ୍ରମଣ ଆଶଙ୍କା ବି କମ୍ ଥିବ ସେହି ସ୍ଥାନକୁ କେନ୍ଦ୍ର ସରକାର ଅରେଞ୍ଜ ଜୋନ୍ ବୋଲି ଘୋଷଣା କରିପାରନ୍ତି। ଏହି ଜୋନରେ ସୀମିତ ପରିବହନ ସେବା, ଚାଷ କାମ କରିବାକୁ ସରକାର ଅନୁମତି ଦେଇପାରନ୍ତି।
ସେହିପରି ଯେଉଁ ଅଞ୍ଚଳରୁ ଆଦୌ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି ସେହି ଅଞ୍ଚଳକୁ ଗ୍ରୀନ୍ ଜୋନରେ ରଖାଯିବ। ଗ୍ରୀନ୍ ଜୋନ୍ ଅଞ୍ଚଳରେ କିଛି ଛୋଟ ଉଦ୍ୟୋଗ ଖୋଲିବାକୁ ଅନୁମତି ଦିଆଯିବ। କିନ୍ତୁ କର୍ମଚାରୀଙ୍କୁ କମ୍ପାନୀରେ ହିଁ ରହିବାକୁ ଏବଂ କଡ଼ାକଡ଼ିଭାବେ ସାମାଜିକ ଦୂରତ୍ବ ନିୟମ ମାନିବାକୁ କୁହାଯିବ। ତେବେ ଏନେଇ କେନ୍ଦ୍ର ସରକାର ଚିନ୍ତା କରୁଥିବା ଖବର ସାମ୍ନାକୁ ଆସିଛି। ହେଲେ ସରକାରଙ୍କ ପକ୍ଷରୁ କୌଣସି ଆନୁଷ୍ଠାନିକ ଘୋଷଣା ହୋଇ ନାହିଁ ।