Odisha Link
Bridging the Missing Links in Odisha

ସୁନ୍ଦରଗଡ଼: କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷଣା ହେଲା ବିଶ୍ରା ଅଞ୍ଚଳ

ଭୁବନେଶ୍ବର: ସୁନ୍ଦରଗଗଡ଼ ଜିଲ୍ଲାର ବିଶ୍ରା ବ୍ଲକରେ ୨ଜଣ କରୋନ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାପରେ ବିଶ୍ରା ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରିଛି ଜିଲ୍ଲା ପ୍ରଶାସନ। ତର୍କତାମୂଳକ ପଦକ୍ଷେପ ସ୍ୱରୂପ ଆସିଆନା କଲୋନୀ ଓ ଏହାର ଆଖପାଖ ଅଞ୍ଚଳକୁ ସିଲ୍ କରାଯାଇଛି। ଏହି ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଲାଗି ଉଦ୍ୟମ ଜାରି ରହିଥିବାରୁ ଏଠାକୁ ଯିବାଆସିବା ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି।

ଡରେଇକେଲା ବସ୍‌ଷ୍ଟପରୁ ପୁରୁଣା ମାର୍କେଟ କମ୍ପ୍ଲେକ୍ସ, ପୁରୁଣା ମାର୍କେଟ କମ୍ପ୍ଲେକ୍ସରୁ ବୁଡେଲଜୋର ରେଲେଓ୍ୱ ଅଣ୍ଡର ପ୍ୟାସେଜ୍, ବୁଡେଲଜୋର ରେଲେଓ୍ୱ ଅଣ୍ଡର ପ୍ୟାସେଜ୍‌ରୁ ନୟା ବସ୍ତି, ନୟା ବସ୍ତିରୁ ଭାରତ ପେଟ୍ରୋଲିୟମ୍ ଛକ, ଭାରତ ପେଟ୍ରୋଲିୟମ ଛକରୁ ଡରେଇକେଲା ବସ୍ ଷ୍ଟପ୍ ପର୍ଯ୍ୟନ୍ତ ଅଞ୍ଚଳକୁ ଘେରାବନ୍ଦୀ କରାଯାଇଛି। ଏ ଅଞ୍ଚଳରେ ସମସ୍ତ ଯାନବାହନ ଚଳାଚଳକୁ ବନ୍ଦ କରାଯାଇଛି। କଣ୍ଟେନମେଣ୍ଟ ଜୋନ୍ ଅଞ୍ଚଳରେ ଆସୁଥିବା ସମସ୍ତ ବାସିନ୍ଦା ଘର ଭିତରେ ରହିବେ। ୪୮ ଘଣ୍ଟା ପର୍ଯ୍ୟନ୍ତ ଘରୁ ନବାହାରିବାକୁ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଲୋକଙ୍କୁ ଅନୁରୋଧ କରିଛନ୍ତି। ସେହିପରି ଏହି ଅଞ୍ଚଳରେ ସାନିଟାଇଜ୍ କାର୍ଯ୍ୟ ଆରମ୍ଭ ହୋଇଯାଇଛି।

କଣ୍ଟେନମେଣ୍ଟ ଜୋନ୍ ଘୋଷଣା ଅଞ୍ଚଳରେ ପାଖାପାଖି ୧୫୦୦ ଘର ଅଛି। ୪୮ ଘଣ୍ଟା ମଧ୍ୟରେ ଘରକୁ ଘର ସର୍ଭେ କରାଯାଇ କଣ୍ଟାକ୍ଟ ଟ୍ରେସିଂ କରାଯିବ। ଲୋକେସନ୍ ମ୍ୟାପିଂ ଓ ହାଉସ୍ ସର୍ଭେଲାନ୍ସ ମଧ୍ୟ କରାଯିବ। ପ୍ରଶାସନ ସହାୟତାରେ ଲୋକଙ୍କ ନିକଟରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯିବ ବୋଲି ସୂଚନା ଦେଇଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ। ଏଥିସହିତ ସେ ନିଜେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟର ତଦାରଖ କରିଛନ୍ତି।

ଜିଲ୍ଲାର ଦୁଇ କରୋନା ଆକ୍ରାନ୍ତଙ୍କୁ ରାଉରକେଲା ସ୍ଥିତ ହାଇଟେକ୍‌ ହସ୍‌ପିଟାଲ୍‌ରେ ଖୋଲିଥିବା କୋଭିଡ୍‌ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଜଣେ ପୂର୍ବରୁ ସେଠାରେ ଥିବା ବେଳେ ଅନ୍ୟ ଜଣଙ୍କୁ ଗତକାଲି ରାତିରେ ରିପୋର୍ଟ ଆସିବା ପରେ ଆଣି ଭର୍ତ୍ତି କରିଥିଲା ପ୍ରଶାସନ।

Comments are closed.