Odisha Link
Bridging the Missing Links in Odisha

ଅଭାବର ଅଦଉତି: ୫ ଛୁଆଙ୍କୁ ଗଙ୍ଗାରେ ଫିଙ୍ଗିଦେଲା ମା’

ଲକ୍ଷ୍ନୌ: ଅଭାବ ମମତାମୟୀ ମା’କୁ ବି କେତେ ନିର୍ଦ୍ଦୟ କରିପାରେ ତାହାର ଏକ ବିକଳ ଉଦାହରଣ ଦେଖିବାକୁ ମିଳିଛି ଆଜି ଉତ୍ତରପ୍ରଦେଶରେ। ଜଣେ ମା’ ନିଜର ୫ କୁନି ଛୁଆଙ୍କୁ ଗଙ୍ଗାନଦୀରେ ଫିଙ୍ଗିଦେବା ପରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଘଟଣା ସ୍ଥଳରେ ପୁଲିସ ପହଞ୍ଚିଥିବା ବେଳେ ବୁଡ଼ାଳିମାନେ ନଦୀରେ ସନ୍ଧାନ ଜାରି ରଖିଛନ୍ତି।

ଘଟଣା ଘଟିଛି ଭଦୋହୀ ଜିଲ୍ଲା ଜାହାଙ୍ଗୀରାରେ। ମହିଳାଙ୍କୁ ଗିରଫ କରାଯାଇଥିବା ବେଳେ ତାଙ୍କର ମାନସିକ ସ୍ଥିତି ଭଲ ନ ଥିବା ପୁଲିସ କହିଛି। ମହିଳା ଜଣକ ଦିନ ମଜୁରିଆ ହୋଇଥିବାରୁ ଲକ୍‌ଡାଉନ୍‌ କାରଣରୁ ରୋଜଗାର ବନ୍ଦ ହୋଇଯାଇଥିଲା। ପିଲାଙ୍କ ପାଇଁ ଖାଦ୍ୟ ଯୋଗାଡ଼ରେ ସେ ଅସମର୍ଥ ଥିଲା ବୋଲି ମହିଳାଙ୍କୁ ଜାଣିଥିବା ଲୋକେ ସୂଚନା ଦେଇଛନ୍ତି। ପଦୀରେ ନିଖୋଜ ଥିବା ପିଲାମାନଙ୍କର ବୟସ ଯଥାକ୍ରମେ ୧୨, ୧୦, ୮, ୬ ଓ ୩ ବର୍ଷ।

ଘରର ସଉଦା ଖର୍ଚ୍ଚ ସଂଗ୍ରହ ନେଇ ମହିଳାଙ୍କର ସକାଳେ ସ୍ବାମୀଙ୍କ ସାଙ୍ଗରେ ପାଟିତୁଣ୍ଡ ହୋଇଥିଲା। ମହିଳା ଜଣକ ସ୍ବାମୀ ମୁନାଙ୍କୁ ଟଙ୍କା ମାଗିଥିଲେ ବି ମୁନା ଦେବାରେ ଅସମର୍ଥ ହୋଇଥିଲେ। କିଛି ସମୟ ପରେ ମହିଳା ଜଣକ ୫ ପିଲାଙ୍କୁ ନେଇ ଘାଟ ପାଖକୁ ଯାଇଥିଲେ ଓ ସବୁ ପିଲାଙ୍କୁ ପାଣି ଭିତରକୁ ଠେଲି ଦେଇଥିଲେ। ପିଲାଙ୍କୁ ପାଣିକୁ ଠେଲିବା ପରେ ମହିଳା ଜଣକ ନିଜେ ମଧ୍ୟ ପାଣିକୁ ଡେଇଁ ପଡ଼ିଥିଲେ। ତେବେ ନଦୀ ଭିତରେ ସେ ନିଜର ମନ ପରିବର୍ତ୍ତନ କରିବା ସହ କୂଳକୁ ଫେରି ଆସିଥିଲେ।

ପାଖ ଜମିରେ କାମ କରୁଥିବା ଲୋକମାନେ ତୁରନ୍ତ ନଦୀ ପାଖରେ ପହଞ୍ଚି ପିଲାମାନଙ୍କୁ ରକ୍ଷା କରିବାକୁ ଉଦ୍ରମ କରି ବିଫଳ ହୋଇଥିଲେ। ଖବର ପାଇ ଜିଲ୍ଲାପାଳ ଓ ଏସ୍‌ପି ଘଟଣା ସ୍ଥଳରେ ପହଞ୍ଚିଥିବା ବେଳେ ତାଲିମପ୍ରାପ୍ତ ବୁଡ଼ାଳି ଖୋଜିବାରେ ଲାଗିଛନ୍ତି। ସ୍ବାମୀ ସହ ଗଣ୍ଡଗୋଳ ଯୋଗୁଁ ହିଁ ମହିଳା ଏଭଳି କଠୋର ପଦକ୍ଷେପ ନେଇଛନ୍ତି ବୋଲି ଗଣମାଧ୍ୟମକୁ କହିଛନ୍ତି ଜିଲ୍ଳାପାଳ।

Comments are closed.