Odisha Link
Bridging the Missing Links in Odisha

ଆଜି ରାଜଧାନୀ ଭୁବନେଶ୍ବରର ପ୍ରତିଷ୍ଠା ଦିବସ, ଜାଣନ୍ତୁ କେମିତି ହୋଇଥିଲା ପ୍ରତିଷ୍ଠା

ଭୁବନେଶ୍ବର: ଆଜି ଓଡ଼ିଶାର ରାଜଧାନୀ ଭୁବନେଶ୍ବରର ପ୍ରତିଷ୍ଠା ଦିବସ। ଆଜି ରାଜଧାନୀ ଭୁବନେଶ୍ବରକୁ ୭୨ ବର୍ଷ ପୂର୍ଣ୍ଣ ହୋଇଛି। ହେଲେ ମହାମାରୀ କରୋନା ପାଇଁ ସାରା ଦେଶ ଲକ୍‌ ଡାଉନ୍। ସାମାଜିକ ଦୂରତ୍ବ ଦୃଷ୍ଟିରୁୁ ପାଳନ ହେବନି ପ୍ରତିଷ୍ଠା ଦିବସ। ରାଜଧାନୀ ପ୍ରତିଷ୍ଠା ଦିବସ ପାଇଁ ଏହାର ପୂର୍ବଦିନ ରାଜଧାନୀର ବହୁ ସରକାରୀ କୋଠାକୁ ଆଲୋକମାଳା‌‌ରେ ସଜା ଯାଇଥାଏ। ହେଲେ ଏଥର ତାହା ହୋଇନି। ପୂର୍ବରୁ ରାଜ୍ୟ ସରକାର ନିରାଡ଼ମ୍ବର ଭାବେ ଉତ୍କଳ ଦିବସ ପାଳନ କରିଥିବା ବେଳେ ଏବେ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ ହେବନି ବୋଲି ନିଷ୍ପତ୍ତି ନେଇଛନ୍ତି।

ଖ୍ରୀଷ୍ଟ ପୂର୍ବ ପ୍ରଥମ ଶତାବ୍ଦୀ ପୂର୍ବରୁ ଏକାମ୍ର କ୍ଷେତ୍ର ଭୁବନେଶ୍ବର ପ୍ରତିଷ୍ଠିତ ହୋଇ ସାରିଥିଲା। ଏହା ଏକଦା ଥିଲା ପ୍ରାଚୀନ କଳିଙ୍ଗର ରାଜଧାନୀ। ତେବେ ଆଧୁନିକ ଭୁବନେଶ୍ବରର ଜନ୍ମ ୧୯୪୮ ମସିହା ଏପ୍ରିଲ ୧୩ ତାରିଖରେ ହୋଇଥିଲା। ଆଜିର ଦିନରେ ପଣ୍ଡିତ ଜବହାରଲାଲା ନେହେରୁ ନୂଆ ରାଜଧାନୀ ଭାବେଏହାର ଶିଳାନ୍ୟାସ କରିଥିଲେ। ସେ ଦିନ ବି ଥିଲା ପବିତ୍ର ବିଷୁବ ସଂକ୍ରାନ୍ତି। ଆଧୁନିକ ଭୁବନେଶ୍ବରର ମାନଚିତ୍ର ପ୍ରସ୍ତୁତ କରିଥିଲେ, ଜର୍ମାନ୍‌ ସ‌୍ଥପତି ଓଟୋ କୋନଗ୍‌ସବର୍ଗର୍। ମୋଟ୍ ବସତି ଅଞ୍ଚଳକୁ ଛଅଟି ୟୁନିଟ୍ ଏବଂ ପନ୍ଦର ଶହ କୋଠାବାଡି ନିର୍ମାଣ ପାଇଁ ଯୋଜନା କରାଯାଇଥିଲା। ସେଗୁଡିକ ମଧ୍ୟରେ ରାଜଭବନ, ମନ୍ତ୍ରୀ ଓ ବିଧାୟକଙ୍କ ପାଇଁ ବାସଭବନ, ବିଧାନସଭା ଗୃହ, ରାଜ୍ୟ ସଚିବାଳୟ, ବିଭାଗୀୟ ମୁଖ୍ୟ ଦପ୍ତର, ଡାକଘର, ଡାକ୍ତରଖାନା, ଏନ୍ଏସି କାର୍ଯ୍ୟାଳୟ, ପୋଲିସ୍ ଥାନା, ସରକାରୀ କର୍ମଚାରୀଙ୍କ ପାଇଁ କ୍ବାର୍ଟର୍ସ ପ୍ରମୁଖ ଥିଲା। ଏ ସମସ୍ତ ଖର୍ଚ୍ଚ ପାଇଁ ପ୍ରାରମ୍ଭିକ ବ୍ୟୟ ଅଟକଳ ଥିଲା ୨ କୋଟି ୮୯ ଲକ୍ଷ ଟଙ୍କା।

ପ୍ରାଥମିକ ସ୍ତରରେ ୧୬.୪୮ ବର୍ଗ କିଲୋମିଟର ଅଞ୍ଚଳରେ, ମାତ୍ର ଚାଳିଶ ହଜାର ଲୋକଙ୍କ ବସବାସ ଲାଗି ଏହାକୁ ବିକଶିତ କରାଯାଇଥିଲା। ଏବେ ଏହା ବଢ଼ି ୪୨୨ ବର୍ଗ କିଲୋମିଟରରେ ପହଞ୍ଚିସାରିଲାଣି। ୧୯୫୧ ଜନଗଣନା ଅନୁଯାୟୀ ଭୁବନେଶ୍ବରର ଲୋକସଂଖ୍ୟା ଥିଲା ୧୬,୫୧୨। ଏବେ ଆଠ ଲକ୍ଷରୁ ଅଧିକ ହୋଇଗଲାଣି। ୧୯୭୯ରେ ଏହା ନଗର ନିଗରେ ଏବଂ ୧୯୯୪ରେ ମହାନଗର ନିଗରେ ପରିଣତ ହୋଇଥିଲା।

ଭୁବନେଶ୍ବର ରାଜଧାନୀ ହେଲା କିପରି ଜାଣନ୍ତୁ:
ନୂଆ ରାଜଧାନୀ ପ୍ରତିଷ୍ଠା ପାଇଁ ପ୍ରଥମେ ୧୯୩୩ ମସିହାରେ ଉଦ୍ୟମ ଆରମ୍ଭ ହୋଇଥିଲା। ଓଡ଼ିଶା ପ୍ରଶାସନିକ କମିଟି ପକ୍ଷରୁ ରାଜଧାନୀ ପ୍ରତିଷ୍ଠା ପାଇଁ ପ୍ରଥମେ କଟକର ଚାଉଳିଆଗଞ୍ଜ ଅଞ୍ଚଳକୁ ବାଛି ସରକାରଙ୍କୁ ରିପୋର୍ଟ ଦିଆଯାଇଥିଲା। କିନ୍ତୁ, କଟକର ଉଭୟ ପାର୍ଶ୍ବରେ ମହାନଦୀ ଓ କାଠଯୋଡ଼ି ପ୍ରବାହିତ ହେଉଥିବାରୁ ବ୍ରିଟିସ୍ ସରକାର ରାଜି ହୋଇ ନଥିଲେ। ୧୯୩୬ରେ ଓଡିଶା ସ୍ବତନ୍ତ୍ର ପ୍ରଦେଶରେ ପରିଣତ ହେବା ପରେ ପୁଣି ରାଜ୍ୟରେ ନୂଆ ରାଜଧାନୀ ପ୍ରତିଷ୍ଠା ନେଇ ତତ୍ପରତା ପ୍ରକାଶ ପାଇଥିଲା। ଏଥିପାଇଁ ବ୍ରିଟିସ୍ ସରକାରଙ୍କ ଦ୍ବାରା ଗଠିତ ହୋଇଥିଲା ଜୋନ୍ସ କମିଟି।

ଏହି କମିଟି ବ୍ରହ୍ମପୁର ଓ ଗୋପାଳପୁର ମଧ୍ୟବର୍ତ୍ତୀ ରଙ୍ଗେଇଲୁଣ୍ଡାକୁ ରାଜଧାନୀ ପାଇଁ ପ୍ରସ୍ତାବ ରଖିଥିଲେ। ତେବେ, କୌଣସି କାରଣରୁ କମିଟିର ପ୍ରସ୍ତାବ ବାତିଲ ହୋଇଥିଲା। ପରବର୍ତ୍ତୀ ସମୟରେ କଟକ, ଚୌଦ୍ବାର, ଅନୁଗୁଳ, ଖୋର୍ଦ୍ଧାଠାରେ ରାଜଧାନୀ ନିର୍ମାଣର ପ୍ରସ୍ତାବ ଉଠିଥିଲା। ଶେଷରେ ଡକ୍ଟର ହରେକୃଷ୍ଣ ମହତାବ ଭୁବନେଶ୍ବରରେ ରାଜଧାନୀ ପାଇଁ ପ୍ରସ୍ତାବ ଦେଇଥିଲେ। ପ୍ରସ୍ତାବଟି ତାଙ୍କ ମନ୍ତ୍ରୀମଣ୍ଡଳରେ ପ୍ରଥମେ ଏବଂ ପରେ ପରେ ରାଜ୍ୟ ବିଧାସଭାରେ ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିଲା।

Comments are closed.