Odisha Link
Bridging the Missing Links in Odisha

କରୋନା ଯୁଦ୍ଧର ଲକ୍ଷ୍ମୀବାଈ

ମାଲକାନଗିରିରୁ ସୁରଜ କୁମାର ବେହେରା

ଲକ୍ଷ୍ମୀବାଈ। ଏ ନାମଟି ସହିତ ସମସ୍ତେ ଉଣା ଅଧିକେ ପରିଚିତ ନିଶ୍ଚୟ ଥିବେ। କାରଣ ସ୍ବାଧୀନତା ସଂଗ୍ରାମର ପ୍ରଥମ ନାୟିକା ହେଉଛନ୍ତି ରାଣୀ ଲକ୍ଷ୍ମୀବାଈ। ସେ ଦେଶର ସ୍ବାଧୀନତା ପାଇଁ ନିଜ ସନ୍ତାନକୁ ପିଠିରେ ଧରି ଇଂରେଜଙ୍କ ବିରୋଧରେ ଲଢ଼ିଥିଲେ। ଏବେ ଦେଶ ସ୍ବାଧୀନ ହୋଇଛି। ସମୟ ମଧ୍ୟ ବଦଳିଛି। ହେଲେ ଆଜିର ଏହି ଆଧୁନିକ ଯୁଗରେ ମଧ୍ୟ ସ୍ବାଧୀନତା ସଂଗ୍ରାମର ପ୍ରଥମ ନାୟିକାଙ୍କ କଥା ମନେ ପଡ଼ି ଯାଉଛି।

ଆଜିର ସମୟରେ କରୋନା ମହାମାରୀ ବିରୋଧରେ ଲଢ଼େଇ କରୁଛି ସାରା ବିଶ୍ବ। ଆଉ ଏହି ଲଢ଼େଇରେ ଲକ୍ଷ୍ମୀବାଈ ସାଜିଛନ୍ତି ମାଲକାନଗିରିର ୨ ମହିଳା। କୋଳରେ ୬ରୁ ୮ମାସ ମଧ୍ୟରେ ରହିଥିବା ନିଜ ସନ୍ତାନଙ୍କୁ ଧରି ଏହି ଦୁଇ ନାୟିକା କରୋନା ବିରୋଧରେ ଜାରି ରଖିଛନ୍ତି ବଡ଼ ଲଢ଼େଇ।

ମାଲକାନଗିରି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଗାଁ ମୁଣ୍ଡାଗୁଡ଼ା। କିନ୍ତୁ ଏଠାକାର ବାସିନ୍ଦା କରୋନା କଣ ଜାଣିଛନ୍ତି। ଏହା ବିରୋଧରେ କଭଳି ଲଢ଼େଇ ଚାଲିଛି ସେନେଇ ମଧ୍ୟ ଭଲରୂପେ ଅବଗତ ଅଛନ୍ତି। ହାତ ଧୋଇବା, ମାସ୍କ ପିନ୍ଧିବା, ଆବଶ୍ୟକ ନହେଲେ ଘରୁ ବାହାରିବା ନାହିଁ। ସରକାରଙ୍କ ଏହି ନିର୍ଦ୍ଦେଶକୁ ମଧ୍ୟ ଗ୍ରାମବାସୀ ଅକ୍ଷରେ ଅ‌କ୍ଷରେ ପାଳନ କରୁଛନ୍ତି। ଏମିତି କେବଳ ସମ୍ଭବ ହୋଇପାରିଛି ଦୁଇ ମହିଳା ଯୋଦ୍ଧାଙ୍କ ପାଇଁ। ଗାଁରେ ଜଣେ ବି ଯେମିତି ସଂକ୍ରମିତ ନହେବେ ସେଥିପାଇଁ ପୂରା ଜୋର ଲଗାଇ ଦେଇଛନ୍ତି ଆଶାକର୍ମୀ ବାଲମତି ହାଲବା ଏବଂ ଅଙ୍ଗନବାଡ଼ି କର୍ମୀ ସୁମିତ୍ରା ହାଲବା।

ସବୁଠୁ ବଡ଼କଥା ହେଲା ଏହି କରୋନା ଲଢ଼େଇ ପାଇଁ ଉଭୟଙ୍କୁ ବଡ଼ କଷ୍ଟ ସ୍ବୀକାର କରିବାକୁ ପଡ଼ିଛି। ପରିବାରକୁ ବିଶେଷ ସମୟ ଦେଇପାରୁ ନଥିବା ବେଳେ କଅଁଳା ଛୁଆଙ୍କୁ ଘରେ ଛାଡ଼ିପାରୁ ନାହାନ୍ତି। ତେଣୁ ସକାଳେ ହେଲେ କୋଳରେ ଧରି ଘରୁ ବାହାରି ପଡ଼ୁଛନ୍ତି। ଦିନ ସାରା ଘର ବାହାରେ ରହି ସରକାରଙ୍କ ନିର୍ଦ୍ଦେଶକୁ ପାଳନ ସହ ପିଲାଙ୍କ ଲାଳନପାଳନ ମଧ୍ୟ ଏହାରି ମଧ୍ୟରେ କରୁଛନ୍ତି। ବାଲେମତି ଏବଂ ସୁମିତ୍ରାଙ୍କର ୬ରୁ ୮ ମଧ୍ୟରେ ସନ୍ତାନ ରହିଛନ୍ତି। ଘରେ ଦୁଇ ଶିଶୁଙ୍କ ଯତ୍ନ ନେବାକୁ କେହି ନାହାନ୍ତି। ତେଣୁ ସକାଳ ହେଲେ ମୁହଁରେ କପଡ଼ା ବାନ୍ଧି, କୋଳରେ ଛୁଆଙ୍କୁ ଧରି କାର୍ଯ୍ୟକ୍ଷେତ୍ରକୁ ବାହାରି ପଡ଼ୁଛନ୍ତି। ଲୋକଙ୍କୁ ସଚେତନ କରିବା ସହ ଅନ୍ୟାନ୍ୟ କାମ ସରିବା ବେଳକୁ ଅପରାହ୍ଣ ହୋଇଯାଉଛି। ଦିନେ ଦିନେ ସଂଧ୍ୟା ବି ହୋଇଯାଉଛି। ଏହାବ୍ୟତୀତ ଗାଁରୁ ବହୁ ଜଣ ଦାଦନ ଖଟିବାକୁ ବାହାରକୁ ଯାଇଛନ୍ତି।

ସେମାନେ ଯେମିତି ଗାଁରେ ପଶିବେ ନାହିଁ ତାହା ଉପରେ ବି ନଜର ରଖିବାକୁ ପଡ଼ୁଛି। ଗତ ଦିନରେ ଯେଉଁମାନେ ସବୁ ଫେରିଛନ୍ତି ତାହାର ତଥ୍ୟ ରଖିବା ସହ ସେମାନଙ୍କ ଗତିବିଧିକୁ ମଧ୍ୟ ନିରୀକ୍ଷଣ କରିବାକୁ ପଡ଼ୁଛି। ଦିନ ସାରା ଦୁଇ ଶିଶୁ ବାହାରେ ରହୁଥିବାରୁ ସଂକ୍ରମଣର ଯଥେଷ୍ଟ ଆଶଙ୍କା ରହିଛି। ତେବେ ଅନ୍ୟ କିଛି ବିକଳ୍ପ ନଥିବା ଉଭୟ ପ୍ରକାଶ କରିଛନ୍ତି। କଅଁଳା ଶିଶୁଙ୍କୁ କାହା ପାଖରେ ଛାଡ଼ି ଆସିବାକୁ ଭରସା ପାଉନାହିଁ। ଯଦିବା କାମ ଭିତରେ ପିଲାଙ୍କ ଯତ୍ନ ନେବା କଷ୍ଟ ହେଉଛି, ତଥାପି ନିଷ୍ପାପ ଶିଶୁ ମୁହଁରେ ହସ ଦେଖିଦେଲେ ସବୁ ଦୁଃଖକଷ୍ଟକୁ ଭୁଲି ଯାଉଥିବା ପ୍ରକାଶ କରିଛନ୍ତି। ପରିବାର, ସନ୍ତାନ ଏବଂ କର୍ତ୍ତବ୍ୟ ତଥା ଦାୟିତ୍ବ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ସହଜ ନୁହେଁ, କିନ୍ତୁ ଗ୍ରାମବାସୀ ଏବଂ ପରିବାରର ସହଯୋଗ ଯୋଗୁଁ ଲଢ଼ିବାକୁ ଉତ୍ସାହ ମିଳୁଥିବା କହିଛନ୍ତି। ଗ୍ରାମ ମୁଖିଆଙ୍କ କହିବା ହେଲା, ଦୁଇ ମହିଳାଙ୍କ ଉଦ୍ୟମ ପ୍ରଶଂସନୀୟ। ଦୁହେଁ ନିଜ ଜୀବନକୁ ବାଜି ଲଗାଇ କରୋନାକୁ ପରାସ୍ତ କରିବା ପାଇଁ ଯେଭଳି ପ୍ରୟାସ କରୁଛନ୍ତି ଗ୍ରାମବାସୀ ସବୁଦିନ ପାଇଁ ମନେ ରଖିବେ ବୋଲି କହିଛନ୍ତି।

Comments are closed.