Odisha Link
Bridging the Missing Links in Odisha

ବଡ଼ଚଣା ଆଇଆଇସି ନିଲମ୍ବିତ

ଭୁବନେଶ୍ବର: ଲକ୍‌ଡାଉନ୍‌ ସମୟରେ ଆଇନ୍‌ ଭାଙ୍ଗି ସପରିବାର ଶ୍ରୀମନ୍ଦିର ଯିବା ପୁଲିସ୍‌ ବାବୁଙ୍କୁ ପଡ଼ିଲା ମହଙ୍ଗା। ଯାଜପୁର ବଡଚଣା ଥାନା ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି ପୋଲିସ୍‌ ଡିଜି। ଏନେଇ ପୁଲିସ୍ ଡିଜିଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। ଲକଡାଉନ ନିୟମ ଭାଙ୍ଗିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଟୁଇଟରେ କୁହାଯାଇଛି।

ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ କଟକଣାକୁ ଉଲଂଘନ କରି ବଡଚଣା ଥାନା ଅଧିକାରୀ ଗତକାଲି ବଡଦେଉଳ ପ୍ରବେଶ କରିଥିବା ନେଇ ଅଭିଯୋଗ ହୋଇଥିଲା। ଏପରିକି ସେ ଏକୁଟିଆ ନୁହନ୍ତି, ପରିବାର ସହ ମନ୍ଦିର ଭିତରକୁ ପ୍ରବେଶ କରିଥିବା ଅଭିଯୋଗ ହୋଇଥିଲା।

ଦକ୍ଷିଣଦ୍ୱାର ନିକଟରେ ଦାୟିତ୍ୱରେ ଥିବା ଜଣେ ହାବିଲଦାର ତାଙ୍କୁ ପ୍ରବେଶ କରିବାକୁ ମନା କରିଥିଲେ ମଧ୍ୟ ଏହାକୁ ଖାତିର ନକରି ସେ ପରିବାର ସହ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ। ତେଣୁ ତାଙ୍କ ବିରୋଧରେ ସିଂହଦ୍ୱାର ଥାନାରେ ଏତଲା ଦେଇଥିଲେ ହାବିଲଦାର। ଏବଂ ଏତଲା ପରେ ମାମଲା ବି ରୁଜୁ ହୋଇଛି। ଯାଜପୁର ବଡଚଣା ଥାନା ଅଧିକାରୀ ଦୀପକ କୁମାର ଜେନା ଓ ତାଙ୍କ ପରିବାରକୁ ଅଟକ ରଖାଯାଇଥିଲା। ସିଂହଦ୍ୱାର ପୋଲିସ ଘଟଣାର ତଦନ୍ତ ଜାରି ରହିଛି। କେଉଁ ସେବାୟତ ଏହି ଅଧିକାରୀଙ୍କୁ ସପରିବାର ଦର୍ଶନ ପାଇଁ ନେଇଥିଲେ, ସେନେଇ ତଦନ୍ତ ଜାରି ରହିଛି।

Comments are closed.