Odisha Link
Bridging the Missing Links in Odisha

ଭଦ୍ରକରୁ ୫ ଓ ବାଲେଶ୍ଵରରୁ ୨ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଆଉ ୭ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୮ରେ ପହଁଞ୍ଚିଛି। ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବସାଇଟ୍। ୭ଜଣ ଆକ୍ରାନ୍ତଙ୍କ ମଧ୍ୟରେ ଭଦ୍ରକ ଜିଲ୍ଲାରୁ ୫ ଜଣ ହୋଇଥିବା ବେଳେ ବାଲେଶ୍ବର ଜିଲ୍ଲାରୁ ୨ ଜଣ ବୋଲି ଟୁଇଟ କରି ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ।

ଭଦ୍ରକ ଜିଲ୍ଲାରୁ ୫ ଜଣ କରୋନା ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ବାସୁଦେବପୁରର ତିନିଟି ପଞ୍ଚାୟତ ଓ ଭଣ୍ଡାରିପୋଖରୀର ଦୁଇଟି ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଏନେଇ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି। ଏହି ୫ ଜଣଙ୍କୁ ମିଶାଇ ଭଦ୍ରକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ରେ ପହଞ୍ଚି ଯାଇଛି। ପୂର୍ବରୁ ଭଦ୍ରକର ବିଭିନ୍ନ ଅଞ୍ଚଳରୁ ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଅନ୍ୟପକ୍ଷରେ ବାଲେଶ୍ୱରେ ଚିହ୍ନଟ ହୋଇଥିବା ୨ ଜଣ କରୋନା ରୋଗୀ କେଉଁ ଅଞ୍ଚଳର ସେକଥା ଜଣାପଡ଼ିନାହିଁ। କିନ୍ତୁ ଏହାକୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩ରେ ପହଞ୍ଚି ଯାଇଛି। ପୂର୍ବରୁ ଜିଲ୍ଲାରେ ଚିହ୍ନଟ ହୋଇଥିବା ପ୍ରଥମ ରୋଗୀ ଏବେ ଚିକିତ୍ସାଧୀନ ଅଛନ୍ତି।

ଆଜି ଯାଏ ରାଜ୍ୟରେ ୧୦,୬୪୧ ନମୂନା ପରୀକ୍ଷା କରାଯାଇଥିବା ବେଳେ ସେଥିରୁ ୧୦,୫୭୩ ଜଣଙ୍କ ରିପୋର୍ଟ ନେଗେଟିଭ ଆସିଛି। ରାଜ୍ୟରେ ଆଜି ସୁଦ୍ଧା ଚିହ୍ନଟ ହୋଇଥିବା ୬୮ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୪ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏବେ ରାଜ୍ୟର ବିଭିନ୍ନ କୋଭିଡ୍-୧୯ ହସ୍ପିଟାଲରେ ୪୩ ଜଣ ଚିକିତ୍ସିତ ହେଉଛନ୍ତି।

Comments are closed.