Odisha Link
Bridging the Missing Links in Odisha

କରୋନା କଲା କୋଟିପତି

କରୋନା ଭୂତାଣୁ ସଂକ୍ରମଣ ଜନିତ ଲକ୍‌ଡାଉନ୍‌ କାରଣରୁ ଅଧିକାଂଶ କାରଖାନା, ଶିଳ୍ପ ଓ ବ୍ୟବସାୟ ପ୍ରତିଷ୍ଠାନରେ ତାଲା ପଡ଼ିଥିବା ବେଳେ କିଛି ବ୍ୟବସାୟ ପାଇଁ ଏହି ମହାମାରୀ ଆଶୀର୍ବାଦ ପାଲଟିଛି। ଏଭଳି କିଛି ବ୍ୟବସାୟ ଅଛନ୍ତି ଯାହା କରୋନା ସମୟରେ ଯେଉଁ ପରିମାଣର ଲାଭ ଆୟ କରିଛନ୍ତି ପୂର୍ବରୁ କେବେ ବି କରି ନଥିଲେ।

ଭାରତ ଭଳି ଏକ ଉପଭୋକ୍ତାମୟ (ଜନସଂଖ୍ୟା ଦୃଷ୍ଟିରୁ) ବଜାରରେ ସବୁଠୁ ଅଧିକ ଲାଭରେ ଅଛନ୍ତି ସ୍ବାସ୍ଥ୍ୟ ସାମଗ୍ରୀ ଓ ଔଷଧ ଉତ୍ପାଦକ। ବିଶେଷ କରି ମାସ୍କ ଓ ହାଣ୍ଡ ସାନିଟାଇଜରର ବିକ୍ରି ବହୁଳ ଭାବେ ବୃଦ୍ଧି ପାଇଛି। ଏହି ଉତ୍ପାଦନ ସହ ସଂପୃକ୍ତ ନଥିବା ବହୁ କମ୍ପାନୀ ମଧ୍ୟ କରୋନା ସମୟରେ ମାସ୍କ ଓ ସାନିଟାଇଜର ପ୍ରସ୍ତୁତିକୁ ବ୍ୟବସାୟ ଭାବେ ଗ୍ରହଣ କରି କୋଟି କୋଟି ଟଙ୍କା ଲାଭ କରିଛନ୍ତି। ଏକ ରିପୋର୍ଟ ଅନୁସାରେ ଫେବ୍ରୁଆରୀରେ ସାନିଟାଇଜର ବିକ୍ରି ୫୩% ବୃଦ୍ଧି ପାଇଥିବା ବେଳେ ମାର୍ଚ୍ଚ ପ୍ରଥମ ଦୁଇ ସପ୍ତାହରେ (ଲକ୍‌ଡାଉନ୍‌ କଟକଣା ପୂର୍ବରୁ) ଅନ୍‌ଲାଇନ୍‌ରେ ସାନିଟାଇଜର ବିକ୍ରି ୧୪୦୦% ବଢ଼ିଥିଲା।

ଅନୁରୂପ ଭାବେ ଖାଉଟି ସାମଗ୍ରୀ (ଖାଦ୍ୟ ଓ ଅନ୍ୟ ଦୈନନ୍ଦିନ ଘରୋଇ ବ୍ୟବହାର୍ଯ୍ୟ) ବିକ୍ରି ମଧ୍ୟ ଦେଶରେ ବୃଦ୍ଧି ପାଇଥିବାରୁ ଏହି କ୍ଷେତ୍ରଟି କରୋନା ସମୟରେ ବେଶ୍‌ ଲାଭରେ ରହିଛି। ତେବେ ଏହି ଲାଭରେ ବେଶି ଉନ୍ନତି ପରିଲକ୍ଷିତ ହୋଇନାହିଁ।

ମାସ୍କ ଓ ସାନିଟାଇଜର ଭଳି “ଭିଡିଓ କଣ୍ଟେଣ୍ଟ୍” ବଜାର ମଧ୍ୟ ଭାରତରେ ବେଶ୍‌ ଲାଭ ଦେଖିଛି। ଆମାଜନ୍‌ ପ୍ରାଇମ୍, ନେଟ୍‌‌ଫ୍ଲିକ୍ସ ଓ ହଟ୍‌ଷ୍ଟାର ଭଳି ଭିଡିଓ କଣ୍ଟେଣ୍ଟ ଆପ୍‌ଗୁଡ଼ିକର ବ୍ୟବସାୟ ବହୁଗୁଣା ବଢ଼ିଯାଇଛି। ପ୍ରମୁଖ ସହରଗୁଡ଼ିକରେ ଅନ୍‌ଲାଇନ୍‌ ସାମଗ୍ରୀ ବ୍ୟବସାୟ ମଧ୍ୟ ପୂର୍ବାପେକ୍ଷା ବୃଦ୍ଧି ପାଇଛି।

ଦେଶରେ ବିଭିନ୍ନ କ୍ଷୁଦ୍ର ବ୍ୟବସାୟ ବା ବୃତ୍ତିରେ ଥିବା ବହୁ ବ୍ୟକ୍ତି ଏବେ କିଛି କାମଧନ୍ଦା ନପାଇ ପରିବା, ଅଣ୍ଡା ଆଦି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ବିକ୍ରିକୁ ସାମୟିକ ଭାବେ ନୂଆ ବୃତ୍ତି ଭାବେ ଗ୍ରହଣ କରିଛନ୍ତି।

Comments are closed.