Odisha Link
Bridging the Missing Links in Odisha

ସାମ୍ବାଦିକଙ୍କୁ ୧୫ ଲକ୍ଷ ବୀମା: OWJA ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ଗଣମାଧ୍ୟମ ଉପଦେଷ୍ଟାଙ୍କୁ କୃତଜ୍ଞତା

ଭୁବନେଶ୍ବର: କରୋନା ମହାମାରୀ ସମୟରେ ଜୀବନକୁ ବାଜି ଲଗାଇ କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ ୧୫ ଲକ୍ଷ ଟଙ୍କାର ବୀମା ଘୋଷଣା କରିଛନ୍ତି ଓଡ଼ିଶା ସରକାର। ସରକାରଙ୍କର ଏ ଘୋଷଣାରେ କୃତଜ୍ଞତା ପ୍ରକାଶ କରିଛି ଓଡ଼ିଶା ଓ୍ବେବ୍‌ ଜର୍ଣାଲିଷ୍ଟ ଆସୋସିଏସନ୍। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜଙ୍କୁ ଅନୁଷ୍ଠାନ ପକ୍ଷରୁ ଧନ୍ୟବାଦ ଦିଆଯାଇଛି।

କରୋନା ଭୂତାଣୁ ସଂକ୍ରମଣ ବିଶ୍ବକୁ ଭୟଭୀତ କରି ରଖିଥିବା ବେଳେ ଏ ସମ୍ପର୍କିତ ଖବର ପରିବେଷଣ କରି କରୋନା ଯୁଦ୍ଧର ଅନ୍ୟତମ ଯୋଦ୍ଧା ସାଜିଛନ୍ତି ସାମ୍ବାଦିକ। ରାଜ୍ୟର ସାମ୍ବାଦିକମାନଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଧନ୍ୟବାଦ ଓ ଶୁଭେଚ୍ଛା ଜଣାଇଛନ୍ତି। ଯେଉଁ ସାମ୍ବାଦିକମାନେ ଜୀବନକୁ ବାଜି ଲଗାଇ କ୍ଷେତ୍ରରେ (field) କାମ କରୁଛନ୍ତି ସେମାନଙ୍କ ଲାଗି ୧୫ ଲକ୍ଷ ଟଙ୍କାର ବୀମା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଅନ୍ୟ ଜରୁରୀ ସେବା ଯୋଗାଉଥିବା ବ୍ୟକ୍ତିଙ୍କ ଭଳି ସାମ୍ବାଦିକଙ୍କୁ କରୋନା ଯୋଦ୍ଧା ଭାବେ ବିଚାର କରିବାକୁ ପୂର୍ବରୁ ସଂଘ ଦାବି କରି ଆସୁଥିଲା। ଆଜି ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ଅନୁଷ୍ଠାନ ସ୍ବାଗତ କରିବା ସହ ରାଜ୍ୟ ସରକାରଙ୍କ ଏହି ସମୟୋପଯୋଗୀ ପଦକ୍ଷେପ ପାଇଁ କୃତଜ୍ଞତା ପ୍ରକାଶ କରିଛି। ଅନୁରୂପ ସାମ୍ବାଦିକତା ବୃତ୍ତିରୁ ଯାଇ ବର୍ତ୍ତମାନ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଠା ମାନସ ମଙ୍ଗରାଜ ସାମ୍ବାଦିକ କଲ୍ୟାଣ ନିମନ୍ତେ ବିଶେଷ ଆଗ୍ରହ ଦେଖାଉଥିବାରୁ ସଂଘ ତାଙ୍କ ପ୍ରତି ମଧ୍ୟ କୃତଜ୍ଞତା ପ୍ରକାଶ କରିଛି ବୋଲି ଅନୁଷ୍ଠାନର ସଭାପତି ସମରେନ୍ଦ୍ର ପ୍ରଧାନ, ସଂପାଦକ ଶୁଭ୍ରାଶୁ ପଣ୍ଡା, ଉପସଭାପତି ମାନସ ମହାପାତ୍ର, ଯୁଗ୍ମ ସମ୍ପାଦକ ବିଦ୍ୟାଧର ପାତ୍ର, କୋଷାଧ୍ୟକ୍ଷ ଜିତେନ୍ଦ୍ର ମହାନ୍ତି, ପ୍ରତିଷ୍ଠାତା ସଦସ୍ୟ ରାମଚଣ୍ଡୀ ରଣସିଂହ ଏକ ପ୍ରେସ୍‌ ବିବୃତ୍ତିରେ ଜଣାଇଛନ୍ତି।

Comments are closed.