Odisha Link
Bridging the Missing Links in Odisha

ମେ ୧୭ ଯାଏଁ ଲକ୍‌ଡାଉନ୍: ଓଡ଼ିଶାର ୨୭ ଜିଲ୍ଲାରେ କଟକଣା କୋହଳ

ନୂଆଦିଲ୍ଲୀ: ଚଳିତ ମାସ ୩ ତାରିଖରେ କରୋନା ଜନିତ ଲକ୍‌ଡାଉନ୍‌ ଶେଷ ହେବାକୁ ଯାଉଥିବା ବେଳେ ଏହାକୁ ପୁନର୍ବାର ପରିବର୍ଦ୍ଧିତ କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରାଳୟ। ଦେଶରେ କରୋନା ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ଆଉ ୨ ସପ୍ତାହ ଲକ୍‌ଡାଉନ୍‌ ବୃଦ୍ଧି କରାଯାଇଛି। ମେ ୧୭ ତାରିଖ ଯାଏଁ ଲକ୍‌ଡାଉନ୍‌ ଲାଗୁହେବ। ତେବେ ମେ ୪ରୁ ମେ ୧୭ ପର୍ଯ୍ୟନ୍ତ ଅନେକ ଲକ୍‌ଡାଉନ୍‌ କଟକଣାକୁ କୋହଳ କରାଯାଇଛି। ନାରଙ୍ଗୀ ଓ ଶାଗୁଆ କ୍ଷେତ୍ର ମଧ୍ୟରେ ଆସୁଥିବା ଅଞ୍ଚଳ (Orange Zone ଓ Green Zone) ସବୁରେ ଏହି କୋହଳ କଟକଣା ଲାଗୁହେବ। ଲାଲ୍‌ କ୍ଷେତ୍ରରେ (Red Zone) କୌଣସି ପ୍ରକାର କୋହଳ ନୀତି ଅବଲମ୍ବନ ହେବନାହିଁ।

ଓଡ଼ିଶାରେ ଯାଜପୁର, ଭଦ୍ରକ ଓ ବାଲେଶ୍ବର ଲାଲ୍‌ କ୍ଷେତ୍ରରେ ଯାଉଥିବାରୁ ଏହିସବୁ ଜିଲ୍ଲାରେ ମେ ୩ରୁ ୧୭ ମଧ୍ୟରେ କୌଣସି କୋହଳ ନୀତି ରହିବ ନାହିଁ। ବର୍ତ୍ତମାନ ଯେଭଳି କଟକଣା ଲାଗୁ ହୋଇଛଇ ତାହା ମେ ୧୭ ଯାଏଁ ବଳବତ୍ତର ରହିବ। ତେବେ ରାଜ୍ୟର ଅନ୍ୟ ୨୭ଟି ଜିଲ୍ଲା ପାଇଁ ମେ ୪ ତାରିଖ ଠାରୁ କଟକଣା କୋହଳ ହେବ।

ଖୋର୍ଦ୍ଧା, ସୁନ୍ଦରଗଡ଼, ଢେଙ୍କାନାଳ, କୋରାପୁଟ, କେନ୍ଦ୍ରାପଡ଼ା, କଳାହାଣ୍ଡି ଜିଲ୍ଲା ଅରେଞ୍ଜ୍‌ ଜୋନ୍‌ରେ ଯାଉଥିବା ବେଳେ ରାଜ୍ୟର ବାକି ୨୧ ଜିଲ୍ଲା ଗ୍ରୀନ୍‌ ଜୋନ୍‌ରେ ରହିଛି। ଆସନ୍ତୁ ଜାଣିବା ଏହି ସବୁ ଜିଲ୍ଲା ପାଇଁ କ’ଣ କ’ଣ କଟକଣା କୋହଳ କରାଯାଇଛି।

ଦେଶବ୍ୟାପୀ କ’ଣ ରହିଛି କୋହଳ ନିୟମ

ସାରା ଦେଶରେ ଆଉ ୨ ସପ୍ତାହ ପାଇଁ ବିମାନ, ରେଳ, ମେଟ୍ରୋ ଓ ଆନ୍ତଃରାଜ୍ୟ ବସସେବା ବନ୍ଦ ରହିବ। ପୂର୍ବ ଭଳି ବାହାରେ ସବୁ ଜୋନ୍‌ରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରଖିବା ନିୟମ ଲାଗୁହେବ। ବିବାହ ଆଦି ସାମାଜିକ ଉତ୍ସବ ହୋଇପାରିବ। ସର୍ବାଧିକ ୫୦ ଜଣ ଅତିଥି ଯୋଗ ଦେଇପାରିବେ। ସର୍ବସାଧାରଣ ସ୍ଥାନରେ ୫ ଜଣରୁ ଅଧିକ ବ୍ୟକ୍ତି ଏକାଠି ହୋଇପାରିବେ ନାହିଁ। ଶ୍ରାଦ୍ଧ, ଶେଷକୃତ୍ୟ ଆଦିରେ ସର୍ବାଧିକ ୨୦ ଜଣ ଏକାଠି ହୋଇପାରିବେ। ସର୍ବସାଧାରଣ ସ୍ଥାନରେ ନିଶା ସେବନ, ପାନଗୁଟଖା ଛେପ ପକାଇବା ନିଷିଦ୍ଧ ରହିଛି। କାର୍ଯ୍ୟାଳୟ, ବ୍ୟବସାୟିକ ପ୍ରତିଷ୍ଠାନ, ଦୋକାନ ବଜାର ନିର୍ଦ୍ଦିଷ୍ଟ କଟକଣା ସହ ଖୋଲା ରହିବ।

ରେଡ୍‌ ଜୋନ୍

କଣ୍ଟେନ୍‌ମେଣ୍ଟ ଜୋନ୍‌କୁ ଛାଡ଼ି ରେଡ୍‌ ଜୋନ୍‌ର ବାକି ଅଞ୍ଚଳରେ ଦେଶବ୍ୟାପୀ ପ୍ରଚଳିତ ନୂଆ ଲକ୍‌ଡାଉନ୍‌ ନୀତି ସହ କିଛି କଟକଣା କୋହଳ ରହିବ। ଡାକ୍ତରଖାନା ଓପିଡି ଖୋଲା ରହିବ। ଏହି ଅଞ୍ଚଳରେ ସାଇକେଲ ରିକ୍ସା, ଅଟୋ ରିକ୍ସା, ଟ୍ୟାକ୍ସି, କାର୍‌ ଓ ବସ୍‌ ଚଳାଚଳ ବନ୍ଦ ରହିବ। ବାଇକ‌୍‌ରେ ଜଣେ ଯାତ୍ରା କରିପାରିବେ। ନିର୍ମାଣ କାର୍ଯ୍ୟ ଚାଲୁ ରହିବ। ସରକାରୀ କାର୍ଯ୍ୟାଳୟରେ ୩୩ ପ୍ରତିଶତ କର୍ମଚାରୀ କାମ କରିବେ। ସ୍ପା, ସେଲୁନ୍‌ ଓ ବାରିକ ଦୋକାନ ମଧ୍ୟ ବନ୍ଦ ରହିବ। ତେବେ ଏହି ଜୋନ୍‌ରେ କିଛି ସେବା ପାଇଁ ନୀତି କୋହଳ ରହିଛି। ରେଡ୍‌ ଜୋନ୍‌ରେ ଗଣମାଧ୍ୟମ, ଆଇଟି ସମ୍ପର୍କିତ ସେବା, ପ୍ରାଇଭେଟ୍‌ ସିକ୍ୟୁରିଟି ଓ ଫାସିଲିଟି ମ୍ୟାନେଜ୍‌ମେଣ୍ଟ, ବାରିକ ସେବା ଛଡ଼ା ଅନ୍ୟ ସମସ୍ତ ଆତ୍ମନିର୍ଭରଶୀଳ ବ୍ୟକ୍ତିଙ୍କ ବୃତ୍ତିଗତ ସେବା, ଜରୁରୀ ଦ୍ରବ୍ୟର ଉତ୍ପାଦନ, ଏସବୁର ପରିବହନ ଉପଲବ୍ଧ ହେବ। ତେବେ ଏ ସମୟରେ ସାମାଜିକ ଦୂରତ୍ବ ଓ କାରଖାନାଗୁଡ଼ିକରେ ସ୍ବଳ୍ପ ସଂଖ୍ୟକ କର୍ମଚାରୀଙ୍କୁ ନେଇ ଶିଫ୍ଟ ବ୍ୟବସ୍ଥା ଲାଗୁହେବ। କଣ୍ଟେନ୍‌ମେଣ୍ଟ ଜୋନ୍‌ରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀ ମୋବାଇଲରେ ଆରୋଗ୍ୟ-ସେତୁ ଆପ୍‌ ଚାଲୁ ରଖିବା ବାଧ୍ୟତାମୂଳକ କରାଯାଇଛି।

ଅରେଞ୍ଜ୍‌ ଜୋନ୍

ଦେଶବ୍ୟାପୀ ଉପଲବ୍ଧ ସେବା, ରେଡ୍‌ ଜୋନ୍‌ର ସମସ୍ତ ଉପଲବ୍ଧ ସେବା ସହ ଅରେଞ୍ଜ୍‌ ଜୋନ୍‌ରେ ଆଉ କିଛି ଅଧିକ ସବୁିଧା ଉପଲବ୍ଧ ରହିବ। ଓଡ଼ିଶାର ୨୧ଟି ଜିଲ୍ଲାରେ ଏହି କୋହଳ ନୀତିର ସୁବିଧା ଉଠାଇ ପାରିବେ ସାଧାରଣ ଜନତା। ଲୋକମାନେ ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ଯାତ୍ରା କରିପାରିବେ। ତେବେ ଏଥିପାଇଁ ସେମାନଙ୍କୁ ଗସ୍ତର କାରଣ ପ୍ରମାଣ ସହ ଦର୍ଶାଇବାକୁ ହେବ। ଚାଲି ଚାଲି, ବାଇକ୍‌ ଯୋଗେ ଓ ନିଜ କାର୍‌ ବା ଭଡ଼ା କ୍ୟାବ୍‌ରେ ଲୋକମାନେ ଅନ୍ୟ ଜିଲ୍ଲାକୁ ପୂର୍ବୋକ୍ତ କାରଣ ଦର୍ଶାଇ ଯାତ୍ରା କରିପାରିବେ। ଅରେଞ୍ଜ୍‌ ଜୋନ୍‌ରେ ଟ୍ୟାକ୍ସି ବା କ୍ୟାବ୍‌ ଚାଲିପାରିବ। ତେବେ ଏଥିରେ ଚାଳକ ଭିନ୍ନ ସର୍ବାଧିକ ୧ ଜଣ ବସିପାରିବେ। ଘରୋଇ କାର୍‌ରେ ଚାଳକ ଭିନ୍ନ ସର୍ବାଧିକ ୨ ଜଣ ଯାତ୍ରା କରିପାରିବେ। ବାଇକ୍‌ରେ ଚାଳକ ସମେତ ସର୍ବାଧିକ ୨ ଜଣ ଯାତ୍ରା କରିପାରିବେ।

ଗ୍ରୀନ୍‌ ଜୋନ୍

ଗ୍ରୀନ୍‌ ଜୋନ୍‌ରେ ଦେଶବ୍ୟାପୀ ଲାଗୁ କୋହଳ ନୀତି ତଥା ରେଡ୍‌ ଓ ଅରେଞ୍ଜ୍‌ ଜୋନ୍‌ର ଉପଲବ୍ଧ ସମସ୍ତ ସୁବିଧା ସହ ବସ୍‌ ମଧ୍ୟ ଚଳାଚଳ କରିପାରିବ। ବସ୍‌ରେ ୫୦ ପ୍ରତିଶତ ଯାତ୍ରୀ ବସିପାରିବେ ଓ ବସ୍‌ଷ୍ଟାଣ୍ଡ ବା ଡିପୋରେ ୫୦ ପ୍ରତିଶତ ଗହଳି ଧାରଣ ପାଇଁ ବ୍ୟବସ୍ଥା ରହିବ। ମଦ, ପାନ, ଗୁଟଖା ଆଦି ଦୋକାନ ଖୋଲା ରହିବ। ଖୋଲା ରହିବ। ତେବେ ଅତି କମରେ ୬ ଫୁଟ ଦୂରତା ଅବଲମ୍ବନ କରାଯିବ। ଦୋକାନରେ ଥରକେ ୫ ଜଣରୁ ଅଧିକ ଗରାଖ ରହିପାରିବେ ନାହିଁ।

Comments are closed.