Odisha Link
Bridging the Missing Links in Odisha

କୂଅରେ ଖସି ପଡ଼ିଲା ପୁଅ, ବଞ୍ଚାଇବାକୁ ଡ଼େଇଁଲା ମା’

ଢେଙ୍କାନାଳ: ପିଲାଙ୍କ ଜୀବନ ରକ୍ଷା ପାଇଁ କିଛି ବି କରିପାରେ ମା। ହେଲେ ପୁଅକୁ ବଞ୍ଚାବାକୁ ଯାଇ ଶେଷରେ ମା ପୁଅଙ୍କର ମୃତ୍ୟୁ ହୋଇଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ତୋରଡ଼ାନାଳି ଗାଁରେ।

ଖେଳୁ ଖେଳୁ ଅସାବଧାନତା ଯୋଗୁଁ କୂଅରେ ଖସି ପଡ଼ିଥିବା ଶିଶୁ ପୁତ୍ରକୁ ବଞ୍ଚାଇବାକୁ କୂଅକୁ ଡ଼େଇଁଲା ମା’। ମାତ୍ର ଦୁର୍ଭାଗ୍ୟକୁ ନା ଛୁଆକୁ ମା’ ବଞ୍ଚାଇ ପାରିଲା ନା ନିଜେ ବଞ୍ଚି ପାରିଲା । କୂଅ ଭିତରେ ଉଭୟ ମା ଓ ଛୁଆ ମୃତ୍ୟୁବରଣ କରିଛନ୍ତି। ସ୍ଥାନୀୟ ଲୋକମାନେ ଉଭୟଙ୍କ ଶବକୁ କୂଅରୁ ଉଦ୍ଦାର କରିଛନ୍ତି।

ସୂଚନା ଅନୁସାରେ ଡ଼ିହଡ଼ୋଳ ଗାଁର ଜୟନ୍ତୀ ସାହୁ ନିଜ ବାପାଘରକୁ ଆସିଥିଲେ। ମାତ୍ର ଲକ୍ଡ଼ାଉନରେ ଗାଡ଼ି ମୋଟର ଚାଲୁ ନ ଥିବାରୁ ସେ ଆଉ ଶାଶୁଘରକୁ ଫେରି ପାରି ନ ଥିଲେ। ଲକ୍ଡ଼ାଉନ ଖୋଲିବା କ୍ଷଣି ତୁରନ୍ତ ପୁଅକୁ ନେଇ ଶାଶୁଘରକୁ ଫେରିଯିବେ ବୋଲି କହିଥିଲେ। ମାତ୍ର ଆଜି ଲକ୍ଡ଼ାଉନ କୋହଳ ହୋଇଥିଲେ ବି ଗାଡ଼ି ମୋଟର ଚାଲିବା ସ୍ଥିର ହୋଇ ନ ଥିଲା। ତେଣୁ ସେହି ଦିନକୁ ଜୟନ୍ତୀ ଅପେକ୍ଷା କରିଥିଲେ । ଆଜି ସକାଳେ ତାଙ୍କର ୩ ବର୍ଷର ପୁଅ ପ୍ରିନ୍ସ ଖୋଳୁଖେଳୁ ହଠାତ୍ ନିକଟରେ ଥିବା କୂଅରେ ଖସି ପଡ଼ିଥିଲା । ତାକୁ ବଞ୍ଚାଇବା ପାଇଁ ମା’ ଜୟନ୍ତୀ ତୁରନ୍ତ କୂଅ ଭିତରକୁ ଡ଼େଇଁ ପଡ଼ିଥିଲା। ମାତ୍ର ମା ପୁଅ କୂଅ ଭିତରେ ହିଁ ମୃତ୍ୟୁବରଣ କରିଥିଲେ।

Comments are closed.