Odisha Link
Bridging the Missing Links in Odisha

ରାଜ୍ୟ ସରକାରଙ୍କୁ ନିବେଦନ କଲେ ପିସିସି ସଭାପତି, କହିଲେ ଗରିବ ଓଡ଼ିଆଙ୍କୁ…

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ପ୍ରବାସୀ ଓଡ଼ିଆ ରାଜ୍ୟକୁ ଫେରିବା ପରେ ହିଁ ରାଜ୍ୟରେ ହୁ ହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଲାଣି। ପ୍ରବାସୀମାନେ ଏବେ କରୋନା ଭୂତାଣୁକୁ ସାଙ୍ଗରେ ଆଣି ଆସିଥିବାରୁ ସେମାନଙ୍କୁ କିଭଳି ଠିକଣା ସମୟରେ ଚିହ୍ନଟ କରାଯିବ ଓ ସଙ୍ଗରୋଧରେ ଶୃଙ୍ଖଳିତଭାବେ ରଖାଯିବ ତାହା ରାଜ୍ୟ ସରକାରଙ୍କ ପାଇଁ କଷ୍ଟକର ବ୍ୟାପାର ହୋଇଛି।

ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଗରିବ ଓଡ଼ିଆଙ୍କୁ ବଞ୍ଚାଇବା ପାଇଁ ଶ୍ରୀ ପଟ୍ଟନାୟକ ନିବେଦନ କରିଛନ୍ତି। ସେ ଦଳୀୟ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଭିଡିଓ ବାର୍ତ୍ତା ଦେଇ ଏଭଳି ନିବଦେନ କରିଛନ୍ତି।

ସେ କହିଛନ୍ତି ଯେ, ଓଡ଼ିଶାରେ କରୋନା ପରିସ୍ଥିତି ଭୟାବହ। ଧୀରେ ଧୀରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି। ଗଞ୍ଜାମ ଜିଲ୍ଲାରେ ୩୦/୪୦ ହଜାର ପହଞ୍ଚିଲେଣି। ଆଗକୁ ଆହୁରି ଆସିବେ। ଗତକାଲି ବାଚସ୍ପତି କହୁଥିଲେ ଯେ, ଗାଁ ମଝିରେ କ୍ୱାରେଣ୍ଟାଇନ ସେଣ୍ଟର ହୋଇଛି। ରାତିରେ ଲୋକେ କ୍ୱାରେଣ୍ଟାଇନ ସେଣ୍ଟରରେ ନରହି ଘରକୁ ପଳାଉଛନ୍ତି। ସରକାର ବିଭିନ୍ନ ରାଜନୈତିକ ଲୋକ ଓ ସିଭିଲ ସୋସାଇଟିକୁ ସାଥିରେ ନିଅନ୍ତୁ।

ସେ ଆହୁରି କହିଛନ୍ତି ଯେ, ଗଞ୍ଜାମରେ ଏତେ ଆକ୍ରାନ୍ତ ବାହାରୁଥିଲେ ବି ମାତ୍ର ୨୦୦ ବେଡ କରାଯାଇଛି। ଅନ୍ୟାନ୍ୟ ଜିଲ୍ଲାରେ ମଧ୍ୟ ଏଭଳି ଭୟାନକ ଚିତ୍ର ଦେଖିବାକୁ ମିଳିପାରେ। ଯେଉଁଠି ଆବଶ୍ୟକ ସେଠି ନାହିଁ, ଯେଉଁଠି ଅନାବଶ୍ୟକ ସେଠି ହସ୍ପିଟାଲ ଅଛି। ଏସବୁକୁ ଦୃଷ୍ଟିରେ ରଖି ସରକାର ପଦକ୍ଷେପ ନେବା ଜରୁରୀ ହୋଇଛି। ଆମେ ସରକାରଙ୍କୁ ନିବେଦନ କରୁଛୁ, ଗରିବ ଓଡ଼ିଆଙ୍କୁ ବଞ୍ଚାନ୍ତୁ ବୋଲି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।

Comments are closed.