Odisha Link
Bridging the Missing Links in Odisha

ନିର୍ମଳାଙ୍କ ଋଣ ପେଡ଼ି: ଆଜି ୫ମ ପର୍ଯ୍ୟାୟରେ କେଉଁ ବିଭାଗ ପାଇଁ କେତେ ଟଙ୍କା ଘୋଷଣା ହୋଇଛି ଜାଣନ୍ତୁ

ନୂଆଦିଲ୍ଲୀ: ଆଜି ଆତ୍ମନିର୍ଭର ଭାରତ ଆର୍ଥିକ ପ୍ୟାକେଜର ୫ମ ପର୍ଯ୍ୟାୟ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏଥିସହିତ ଆଜି ଏହି ଆର୍ଥିକ ଯୋଜନାର ଶେଷ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ। ଆଜିର ଘୋଷଣାରେ ବିଶେଷ ରୂପେ ୭ଟି ବିଭାଗକୁ ଗୁରୁତ୍ବ ଦେଇଥିଲେ ନିର୍ମଳା। ଯାହା ମଧ୍ୟରେ ପ୍ରମୁଖ ରହିଛି ନରେଗା, ସ୍ୱାସ୍ଥ୍ୟ , ଶିକ୍ଷା , ମହିଳା , କୃଷକ, ଉଜ୍ୱଲା ଏବଂ ନିର୍ମାଣ ଶ୍ରମିକ।

ସ୍ବାସ୍ଥ୍ୟ ସେବା ପାଇଁ ୧୫ ହଜାର କୋଟି:
ସ୍ୱାସ୍ଥ୍ୟ ବିଭାଗ ପାଇଁ ୧୫ ହଜାର କୋଟିର ପ୍ୟାକେଜ୍ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ। ଟେଷ୍ଟିଂ ଓ ଲ୍ୟାବ୍‌ କିଟ୍ ପାଇଁ ୫୫୦ କୋଟିର ପ୍ୟାକେଜ୍ ଘୋଷଣା କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ପ୍ରତ୍ୟେକ ସ୍ୱାସ୍ଥ୍ୟ କର୍ମୀଙ୍କ ପାଇଁ ୫୦ ଲକ୍ଷର ବୀମା ଯୋଜନା। କରୋନା ମୁକାବିଲା ପାଇଁ ରାଜ୍ୟମାନଙ୍କୁ ୪୧୧୩ କୋଟି ପ୍ରଦାନ କରାଯିବ। ଜରୁରୀ ସେବା ପାଇଁ ୩୭୫୦ କୋଟିର ସହାୟତା ପ୍ରଦାନ। ଗ୍ରାମୀଣ ସ୍ତରରେ ସ୍ୱାସ୍ଥ୍ୟ ସେବାକୁ ଫୋକସ୍‌ କରାଯିବ। ସବୁ ଜିଲ୍ଲାରେ ଲ୍ୟାବ୍‌ ବଢାଇବାକୁ ଗୁରୁତ୍ୱ ଦିଆଯିବା ସହିତ ସଂକ୍ରମଣ ରୋଗ ବ୍ଲକ ତିଆରି ହେବ। ସାର୍ବଜନିତି ସ୍ୱାସ୍ଥ୍ୟ ସେବାକୁ ଅଧିକ ଫୋକସ୍ କରାଯିବ ବୋଲି ସେ କହିଛନ୍ତି।

ମନରେଗା ପାଇଁ ୬୧ ହଜାର କୋଟି:
ମନରେଗା ପାଇଁ ମୋଟ ୬୧ ହଜାର କୋଟି ଟଙ୍କାର ବଜେଟ୍ ଘୋଷଣା। ଅତିରିକ୍ତ ୪୦ ହଜାର କୋଟିକୁ ମିଶାଇ ମୋଟ ବଜେଟ୍‌ ୬୧ ହଜାର କୋଟିର ଘୋଷଣା କଲେ ଅର୍ଥମନ୍ତ୍ରୀ। ଏହା ବଳରେ ପ୍ରବାସୀ ଶ୍ରମିକ ଯେଉଁମାନେ ଘରକୁ ଫେରିଛନ୍ତି ସମସ୍ତଙ୍କୁ କାମ ମିଳିପାରିବ।

ଗରିବ କଲ୍ୟାଣ ଯୋଜନା ଓ ଜନଧନ:
ଗରିବ କଲ୍ୟାଣ ଯୋଜନାରେ ଲୋକଙ୍କ ଖାତାକୁ ଟଙ୍କାଯାଇଛି। ୮.୧୯ କୋଟି ଶ୍ରମିକଙ୍କ ଖାତାକୁ ଦୁଇ ହଜାର ଲେଖାଏଁ ପଠାଯାଇଛି।ଏଥିପାଇଁ ୧୬,୩୯୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ୨୦ କୋଟି ମହିଳାଙ୍କ ଜନଧନ ଆକାଉଣ୍ଟକୁ ଯାଇଛି ୧୦ ହଜାର କୋଟି ଟଙ୍କା। ସେହିଭଳି ନିର୍ମାଣ ଶ୍ରମିକଙ୍କ ଖାତାକୁ ଯାଇଛି ୫୦.୩୫ କୋଟି ଟଙ୍କା। ୧୨ ଲକ୍ଷରୁ ଅଧିକ ଇପିଏଫ୍‌ ଖାତାଧାରୀ ଲାଭବାନ ହେବେ।

ଉଜ୍ଜଳା:
ଉଜ୍ଜଳା ଯୋଜନାରେ ଗରିବଙ୍କୁ ୬ କୋଟି ୮୧ ଲକ୍ଷ ମାଗଣା ସିଲିଣ୍ଡର ବଣ୍ଟା ଯାଇଛି। NASP ଲାଭାର୍ଥୀଙ୍କୁ ପ୍ରଥମ ଦଫାରେ ୧,୪୦୫ କୋଟି ଦିଆଯାଇଛି। ଏହି ଲାଭାର୍ଥୀ ଦ୍ୱିତୀୟ ଦଫାରେ ୧,୪୦୨ କୋଟି ଦିଆଯାଇଛି। NASP ଲାଭାର୍ଥୀଙ୍କ ବାବାଦକୁ ଖର୍ଚ୍ଚ ହେବ ୩ ହଜାର କୋଟି ଟଙ୍କା।

ଶିକ୍ଷା ବ୍ୟବସ୍ଥାର ସଂସ୍କାର:
ପିଏମ ଇ-ବିଦ୍ୟାର୍ଥୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯିବ। ସ୍କୁଲ୍‌ ଶିକ୍ଷାକୁ ଆଧାର କରି ଦୀକ୍ଷା ପ୍ଲାଟ୍‌ଫର୍ମର ଯୋଜନା କରାଯିବ। ଦଶମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ୱାନ୍‌ କ୍ଲାସ୍‌ ୱାନ୍‌ ଚ୍ୟାନେଲ୍‌ ବ୍ୟବସ୍ଥା ହେବ। ଦିବ୍ୟାଙ୍ଗ ପିଲାଙ୍କୁ ଅନ୍‌ଲାଇନ୍‌ରେ ପଢ଼ାଇବା ପାଇଁ ବ୍ୟବସ୍ଥା ହେବ। ସର୍ବୋଚ୍ଚ ୧୦୦ଟି ବିଶ୍ୱବିଦ୍ୟାଳୟକୁ ଅନ୍‌ଲାଇନ୍‌ କୋର୍ସ ପାଇଁ ମଞ୍ଜୁରୀ। ପିଲାମାନଙ୍କ ପାଇଁ ମନୋଦର୍ପଣ ଯୋଜନା ଆରମ୍ଭ ହେବ।

ସୂଚନାଥାଉକି, ପୂର୍ବରୁ ପ୍ରଥମ, ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ଆର୍ଥିକ ଘୋଷଣା କରିସାରିଛନ୍ତି। ପ୍ରଥମ ଦିନରେ ଏମ୍‌ଏସ୍‌ଏମ୍‌ଇ ପାଇଁ ୩୦ ଲକ୍ଷ କୋଟି ଟଙ୍କାର ଋଣ ଘୋଷଣା କରିବା ସହିତ କୃଷି ଭିତ୍ତିଭୂମି ସଜାଡ଼ିବାକୁ ଘୋଷଣା କରିଥିଲେ।  ଦ୍ୱିତୀୟ ପର୍ଯ୍ୟାୟରେ ପ୍ରବାସୀ  ଶ୍ରମିକ, ସ୍ୱ ରୋଜଗାରୀ ବ୍ୟକ୍ତି,ରାସ୍ତାକଡ଼ ଦୋକାନୀଙ୍କ ଓ କ୍ଷୁଦ୍ର ଚାଷୀଙ୍କ ପାଇଁ ପ୍ୟାକେଜ୍‌ ଘୋଷଣା କରିଥିଲେ ଅର୍ଥମନ୍ତ୍ରୀ।

ସେହିଭଳି ତୃତୀୟ ପର୍ଯ୍ୟାୟରେ କୃଷି, ଗୋପାଳନ, ମତ୍ସ୍ୟ ଚାଷ ପାଇଁ ୧୧ଟି କ୍ଷେତ୍ରରେ ପ୍ୟାକେଜ୍‌ ଘୋଷଣା କରାଯାଇଥିଲା। ସେଥିମଧ୍ୟରୁ ୮ଟି କୃଷିର ବିଭିନ୍ନ ବିଭାଗର ଭିତ୍ତିଭୂମି ନେଇ ଘୋଷଣା ହୋଇଥିବା ବେଳେ ଅନ୍ୟ ତିନିଟି ଶାସନ ଏବଂ ପ୍ରଶାସନିକ ସଂସ୍କାର ଦିଗରେ ଘୋଷଣା ହୋଥିଲା। ଗତକାଲି ଚତୁର୍ଥ ପର୍ଯ୍ୟାୟ ଅର୍ଥ ଘୋଷଣାରେ ଖଣିଜ ପଦାର୍ଥ, ପ୍ରତିରକ୍ଷା ସାମଗ୍ରୀ କ୍ଷେତ୍ରରେ ସଂସ୍କାର, ବିମାନ ସେବା, ମହାକାଶ ଓ ଆଣବିକ ବିଜ୍ଞାନ କ୍ଷେତ୍ରରେ ସଂସ୍କାର ଆଣିବା ନେଇ ଅର୍ଥ ଘୋଷଣା କରିଥିଲେ ନିର୍ମଳା।

Comments are closed.