Odisha Link
Bridging the Missing Links in Odisha

ପୁରୀରୁ ବାରଣାସୀ: ହାତୀ ପିଠିରେ ହଜାରେ କିଲୋମିଟର

ଭୁବନେଶ୍ବର: ଲକ୍‌ଲାଉନ୍‌ ସମୟରେ ଲକ୍ଷ ଲକ୍ଷ ସଂଖ୍ୟାରେ ପ୍ରବାସୀ ବିଭିନ୍ନ ଉପାୟରେ ନିଜ ନିଜ ରାଜ୍ୟକୁ ଫେରିବାକୁ ଉଦ୍ୟମ ଚଳାଇଛନ୍ତି; କିଏ ଚାଲି ଚାଲି, କିଏ ଟ୍ରକ୍‌ ଡାଲାରେ, କିଏ ଶବଗଡ଼ ଗାଡ଼ିରେ, କିଏ ଟ୍ରେନ୍‌ ଆଉ ବସରେ ଫେରୁଛନ୍ତି। ଅନେକେ ଫେରିବାର କୌଣସି ସାଧନ ନ ପାଇ ଭାଗ୍ୟ ଉପରେ ଭରସା କରି ପଡ଼ି ରହିଛନ୍ତି। ଏ ଭଳି ସମୟରେ ଦେଶର ଦୁଇ ଧାର୍ମିକ ସହର ପୁରୀ ଆଉ ବାରଣାସୀ ଭିତରେ ପରିବହନର ମାଧ୍ୟମ ପାଲଟିଛି ହାତୀ।

ଓଡ଼ିଶାର ଉପକୂଳ ସହର ପୁରୀରୁ ଉତ୍ତର ପ୍ରଦେଶର ବାରଣାସୀ ମଧ୍ୟରେ ଦୂରତା ପ୍ରାୟ ୧,୦୦୦ କିଲୋମିଟର। ଆଉ ଏହି ଦୂରତାକୁ ଏକ ହାତୀ ପିଠିରେ ବସି ଅତିକ୍ରମ କରିବା ଅଭିଯାନରେ ବାହାରିଛନ୍ତି ଉତ୍ତରପ୍ରଦେଶର ଦୁଇଜଣ ପ୍ରବାସୀ। ୧୨ ଦିନ ମଧ୍ୟରେ ଉଭୟେ ହାତୀ ପିଠିରେ ଅଧାରୁ ଅଧିକ ବାଟ ଅତିକ୍ରମ କରି ସାରିଛନ୍ତି ଓ ହୁଏତ ଆଉ ୪-୫ ଦିନ ଭିତରେ ସେମାନେ ବାରଣାସୀରେ ପହଞ୍ଚିଯିବେ। ପୁରୀରୁ ଉତ୍ତରପ୍ରଦେଶ ଅଭିମୁଖେ କୌଣସି ଟ୍ରେନ୍‌ ଯିବାର ସମ୍ଭାବନା ନ ଥିବାରୁ ଗତ ସପ୍ତାହରେ ପୁରୀରେ ଥିବା ନାଗେଶ୍ବର ନାଥ ଓ ଦୟାନନ୍ଦ ଗତ ସପ୍ତାହରେ ଏଭଳି ଏକ ଅଭିଯାନରେ ବାହାରିବାକୁ ଯୋଜନା କରିଥିଲେ।

ବାରଣାସୀ ବାସିନ୍ଦା ନାଗେଶ୍ବର ଓ ଦୟାନନ୍ଦ ଉଭୟେ ପୁରୀରେ ରହୁଥିଲେ। ନାଗେଶ୍ବର ଏହି ହାତୀର ମାଲିକ ଓ ସେ ପୁରୀରେ ରହି ହାତୀ ପିଠିରେ ପର୍ଯ୍ୟଟକଙ୍କୁ ବସାଇ ନିଜର ଗୁଜୁରାଣ ମେଣ୍ଟାଉଥିଲେ। ଦୟାନନ୍ଦ ମଧ୍ୟ ପୁରୀରେ ଅନ୍ୟତ୍ର କାମ କରୁଥିଲେ। ହାତୀରେ ଯିବା ପାଇଁ ଯାହା ଖର୍ଚ୍ଚ ହେବ ବାରଣାସୀରେ ପହଞ୍ଚି ଅଧା ଦେବେ ବୋଲି ଦୟାନନ୍ଦ ପ୍ରତିଶ୍ରୁତି ଦେଇଥିଲେ। ମେ’ ୫ ତାରିଖ ପାହାନ୍ତାରୁ ଉଭୟେ ପୁରୀରୁ ନିଜର ଯାତ୍ରା ଆରମ୍ଭ କଲେ।

ଉଭୟେ ହାତୀ ପିଠିରେ ମେ’ ୧୫ ତାରିଖ ସୁଦ୍ଧା ଝାଡ଼ଖଣ୍ଡର ଗୁମଲା ଜିଲ୍ଲାରେ ପହଞ୍ଚିଥିଲେ। ବର୍ତ୍ତମାନ ବିହାର ମଧ୍ୟ ଦେଇ ଯାଉଥିବା ସ୍ଥାନୀୟ ଗଣମାଧ୍ୟମରୁ ଜଣାପଡ଼ିଛି। ଉତ୍ତର-ପଶ୍ଚିମ ଓଡ଼ିଶା ଦେଇ ସେମାନେ ଛତିଶଗଡ଼ରେ ପ୍ରବେଶ କରିଥିଲେ ଓ ସେଠାରୁ ଝାଡ଼ଖଣ୍ଡ ହୋଇ ଏବେ ବିହାରରେ ପହଞ୍ଚିଛନ୍ତି। ବାଟରେ ବହୁ ଜଙ୍ଗଲ ପଡ଼ୁଥିବାରୁ ହାତୀକୁ ଖୁଆଇବାରେ କୌଣସି ଅସୁବିଧା ହୋଇନାହିଁ ବୋଲି ନାଗେଶ୍ବର ଗଣମାଧ୍ୟମକୁ କହିଛନ୍ତି। ସେମାନେ ନିଜ ପାଇଁ ଖାଇବା ଦରବ ସାଙ୍ଗରେ ଧରି ବାହାରିଛନ୍ତି ଓ ସବୁଦିନ ସଂଧ୍ୟାରେ ରୋଷେଇ କରୁଛନ୍ତି।

କେବେଳ ନାଗେଶ୍ବର ବା ଦୟାନନ୍ଦ ନୁହନ୍ତି, ଓଡ଼ିଶା ପଟୁ ବହୁ ସଂଖ୍ୟାରେ ଓଟ ଓ ସେମାନଙ୍କର ଖାଉନ୍ଦ ଝାଡ଼ଖଣ୍ଡ ବାଟେ ବିହାର ବା ଉତ୍ତରପ୍ରଦେଶ ଫେରୁଥିବାର ଦେଖାଯାଇଛି ବୋଲି ଉକ୍ତ ରିପୋର୍ଟରେ ପ୍ରକାଶ ପାଇଛି। ନାଗେଶ୍ବର ଓ ଦୟାନନ୍ଦ କହିଛନ୍ତି, ସେମାନଙ୍କୁ ବାଟରେ କେହି ବି ଅଟକାଇ ନାହାନ୍ତି ଅଥବା କୌଣସି ତଲାସ କରିନାହାନ୍ତି। ରାଞ୍ଚି ବନ୍ୟପ୍ରାଣୀ ଉପଖଣ୍ଡ ଅଧିକାରୀ ସବା ଆଲମ୍‌ କହିଛନ୍ତି, ଲକ୍‌ଡାଉନ୍‌ ନିୟମରେ ଗୃହପାଳିତ ପଶୁଙ୍କ ଗମନାଗମନକୁ ବାରଣ କରାଯାଇ ନଥିବାରୁ ଏମାନଙ୍କୁ ଅଟକା ଯାଇ ପାରିବନାହିଁ। ଅନ୍ୟପଟେ ଉଭୟ ନାଗେଶ୍ବର ଓ ଦୟାନନ୍ଦ ନିଜ ବେଶଭୂଷାରୁ ସାଧୁଙ୍କ ଭଳି ଦେଖାଯାଉଥିବାରୁ ସେମାନଙ୍କୁ କେହି ଅଟକାଉ ନ ଥିବା ଜଣାପଡ଼ିଛି।

Comments are closed.