Odisha Link
Bridging the Missing Links in Odisha

ବଲିଉଡର ପ୍ରସିଦ୍ଧ ସିଙ୍ଗର ଓ୍ୱାଜିଦ୍‌ ଖାନ୍‌ଙ୍କ ପରଲୋକ

ମୁମ୍ବାଇ: ବଲିଉଡ ସଙ୍ଗୀତ ଜଗତରେ ଶୋକର ଛାୟା। ବଲିଉଡର ପ୍ରସିଦ୍ଧ ମ୍ୟୁଜିକ୍‌ କମ୍ପୋଜର୍‌ ତଥା ସିଙ୍ଗର୍‌ ଓ୍ୱାଜିଦ୍‌ ଖାନ୍‌ ଆଉ ନାହାନ୍ତି। ଗତକାଲି ବିଳମ୍ବିତ ରାତିରେ ଓ୍ବାଜିଦଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୨ ବର୍ଷ ବୟସ ହୋଇଥିଲା। ଗତକାଲି ବିଳମ୍ବିତ ରାତିରେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲ୍‌ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ଓ୍ୱାଜିଦ୍‌ଙ୍କ ମୃତ୍ୟୁର କାରଣ ଏବେ ଯାଏ ଜଣାପଡ଼ିନାହିଁ। କରୋନାରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ ଘଟିଥାଇପାରେ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। କିଛି ଦିନ ତଳେ ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ହେଲେ କରୋନାରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ ଘଟିବା ନେଇ ଏବେ ଯାଏ ୱାଜିଦ୍‌ଙ୍କ ପରିବାର ପକ୍ଷରୁ ସ୍ପଷ୍ଟ କରାଯାଇନି। କିଡ୍‌ନୀ ସଂକ୍ରମଣ ସହ ଏକାଧିକ ରୋଗରେ ୱାଜିଦ୍‌ ପୀଡ଼ିତ ଥିଲେ ବୋଲି ମଧ୍ୟ ଜଣାପଡ଼ିଛି।

ସାଜିଦ୍-ୱାଜିଦ୍ ଯୋଡ଼ି ୧୯୯୮ରେ ସର୍ବ ପ୍ରଥମେ ବଲିଉଡ୍‌ ଅଭିନେତା ସଲ୍‌ମାନ୍‌ ଖାନ୍‌ଙ୍କ ଅଭିନୀତ ଫିଲ୍ମ ‘ପ୍ୟାର୍‌ କିୟା ତୋ ଡର୍‌ନା କ୍ୟା’ରୁ କ୍ୟାରିୟର ଆରମ୍ଭ କରିଥିଲେ। ‘ଗର୍ବ ’, ‘ଦବଙ୍ଗ’, ‘ୱାଣ୍ଟେଡ୍‌‌’, ‘ଏକ ଥା ଟାଇଗର୍’, ଦ କିଲର୍, ‘ଆୱାର୍’ ଭଳି ଅନେକ ଫିଲ୍ମରେ ହିଟ୍ ଗୀତ ଦେଇଛନ୍ତି ଏହି ଯୋଡ଼ି।

Comments are closed.