Odisha Link
Bridging the Missing Links in Odisha

ଓଡ଼ିଶା ଛୁଇଁଲା ମୌସୁମୀ ବାୟୁ

ଭୁବନେଶ୍ୱର: ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ମୌସୁମୀ ଓଡ଼ିଶା ଛୁଇଁବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟର ମାଲକାନଗିରି ଓ କୋରାପୁଟ ଜିଲ୍ଲାକୁ ମୌସୁମୀ ଛୁଇଁଛି। ସେହିପରି ରାୟଗଡା, ଗଜପତି, ଗଞ୍ଜାମ ଜିଲ୍ଲାକୁ ମୌସୁମୀ ହାଲକା ଭାବେ ଛୁଇଁଛି। ଏ ନେଇ ପାଣିପାଗ ବିଶେଷଜ୍ଞ ଶରତ ସାହୁ ସୂଚନା ପ୍ରଦାନ କରିଛନ୍ତି। ଏହିସବୁ ଜିଲ୍ଲାରେ ଝିପଝିପ ବର୍ଷା ମଧ୍ୟ ଆରମ୍ଭ ହୋଇଯାଇଛି ।

ପାଣିପାଗ ବିଭାଗର ଆକଳନ ଅନୁସାରେ ଠିକ୍‌ ସମୟରେ ମୌସୁମୀ ଓଡ଼ିଶା ଛୁଇଁଥିବା ଜଣାପଡ଼ିଛି। ସୂଚନାଥାଉ କି, ୧୧ କିମ୍ବା ୧୨ ତାରିଖରେ ମୌସୁମୀ ଓଡ଼ିଶା ଛୁଇଁବା ନେଇ ଆକଳନ କରାଯାଇଥିଲା। ମୌସୁମୀ ପ୍ରବେଶ ସହ ରାଜ୍ୟରେ ଏବେ ଲଗାଣ ବର୍ଷା ଆରମ୍ଭ ହେବ। ଚଳିତ ବର୍ଷ ରାଜ୍ୟରେ ସ୍ୱାଭାବିକ ମୌସୁମୀ ବର୍ଷା ହେବା ସହ ବର୍ଷାର ପରିମାଣ ୧୦୩ ପ୍ରତିଶତ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

ଅନ୍ୟପକ୍ଷେ, ଏବେ ବଙ୍ଗୋପସାଗରେ ଲଘୁଚାପ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ଆଜି ମୌସୁମୀ ବାୟୁ ଓଡ଼ିଶାକୁ ଛୁଇଁ ଥିବାରୁ ବର୍ଷାର ପରିମାଣ ବଢ଼ିପାରେ। ଏଥିପାଇଁ ଆଜି ଓ ଆସନ୍ତାକାଲି ପାଇଁ ଦକ୍ଷିଣ ଓ ଉପକୂଳ ଓଡ଼ିଶାକୁ ସତର୍କ ସୂଚନା ଜାରି କରାଯାଇଛି।

ସୂଚନାଥାଉ କି, ଜୁନ୍‌ ୧ରେ ମୌସୁମୀ କେରଳ ଛୁଇଁଥିଲା। ଠିକ୍ ସମୟରେ ଚଳିତ ବର୍ଷ ମୌସୁମୀ ବାୟୁ କେରଳରେ ପହଞ୍ଚିଛି। ସାଧାରଣତଃ ଜୁନ୍‌ ପହିଲାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳରେ ପହଞ୍ଚିଥାଏ ଏବଂ ଜୁଲାଇ ୧୫ ସୁଦ୍ଧା ଏହା ସାରା ଦେଶକୁ ଆଚ୍ଛାଦିତ କରିଥାଏ।

Comments are closed.