Odisha Link
Bridging the Missing Links in Odisha

ବିଶ୍ୱ ଶାନ୍ତି ଏବଂ ନିରାପତ୍ତାକୁ ପ୍ରୋତ୍ସାହିତ କରିବ ଭାରତ: ମୋଦି

ନୂଆଦିଲ୍ଲୀ: ଭାରତ ଗତକାଲି ମିଳିତ ଜାତିସଂଘର ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ଭାବେ ନିର୍ବାଚିତ ହୋଇଛି। ଭାରତ ୮ମ ଥର ପାଇଁ ଏହି ସଦସ୍ୟ ଭାବେ ମନୋନୀତ ହୋଇଛି। ଅପରପକ୍ଷେ ଭାରତ ନିର୍ବାଚିତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁଶି ବ୍ୟକ୍ତ ପ୍ରକାଶ କରିଛନ୍ତି। ପିଏମ୍‌ ମୋଦି କହିଛନ୍ତି ଯେ, ବିଶ୍ୱ ଶାନ୍ତି ଏବଂ ନିରାପତ୍ତାକୁ ପ୍ରୋତ୍ସାହିତ କରିବା ପାଇଁ ଭାରତ କାର୍ଯ୍ୟ କରିବ।

ପିଏମ୍‌ ମୋଦି ଟୁଇଟ କରି କହିଛନ୍ତି ଯେ, ଜାତିସଂଘ ସୁରକ୍ଷା ପରିଷଦର ସଦସ୍ୟତା ପାଇଁ ବିଶ୍ୱ ସମୁଦାୟ ଦ୍ୱାରା ଦେଖାଯାଇଥିବା ବିପୁଳ ସମର୍ଥନ ପାଇଁ ମୁଁ ଗଭୀର କୃତଜ୍ଞତା ଜ୍ଞାପନ କରୁଛି। ବିଶ୍ୱ ଶାନ୍ତି, ନିରାପତ୍ତା, ସ୍ଥିରତା ଏବଂ ଏକତାକୁ ପ୍ରୋତ୍ସାହିତ କରିବା ପାଇଁ ଭାରତ ସମସ୍ତ ସଦସ୍ୟ ରାଷ୍ଟ୍ର ସହ କାର୍ଯ୍ୟ କରିବ।’ ବୋଲି ମୋଦି କହିଛନ୍ତି।

ସୂଚନାଥାଉକି, ଗତକାଲି ହୋଇଥିବା ଭୋଟିଂ ପ୍ରକ୍ରିୟାରେ ଜାତିସଂଘର ୧୯୩ ଦେଶ ମଧ୍ୟରୁ ଭାରତକୁ ଅସ୍ଥାୟୀ ସଦସ୍ୟ ଭାବେ ଗ୍ରହଣ କରିବା ସପକ୍ଷରେ ୧୮୪ ଭୋଟ ପଡ଼ିଛି। ଫଳରେ ଭାରତ ବେଶ ଆରାମରେ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ହୋଇଯାଇଛି।

ଭାରତ ଏହି ପଦବ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିଥିବା ବେଳେ ଏସିଆ-ପେସିଫିକ ଗ୍ରୁପ୍‌ର ୫୫ଟି ଯାକ ଦେଶ ଏହାକୁ ସମର୍ଥନ କରିଥିଲେ। ଏଥିରେ ଚାଇନା ଓ ପାକିସ୍ତାନ ମଧ୍ୟ ରହିଥିଲେ। ଭାରତ ଏହା ପୂର୍ବରୁ ୧୯୫୦-୫୧, ୧୯୬୭-୬୮, ୧୯୭୨-୭୩, ୧୯୭୭-୭୮, ୧୯୮୪-୮୫, ୧୯୯୧-୯୨ ଓ ଶେଷଥର ପାଇଁ ୨୦୧୧-୧୨ରେ ଜାତିସଂଘ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟ ଭାବେ ମନୋନୀତ ହୋଇଥିଲା।

Comments are closed.