Odisha Link
Bridging the Missing Links in Odisha

ବେଲଗାମ ଜନସଂଖ୍ୟା: ଚିନ୍ତା ଓ ସମସ୍ୟା

୧୯୮୯ରେ ଜାତିସଂଘର ସାଧାରଣ ସଭାରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ପ୍ରତି ବର୍ଷ ଜୁଲାଇ ୧୧ ତାରିଖକୁ ବିଶ୍ୱ ଜନସଂଖ୍ୟା ଦିବସ ରୂପେ ପାଳନ କରାହୋଇ ଆସୁଛି। ଚଳିତ ବର୍ଷ କରୋନା ପରିସ୍ଥିତି ଭିତରେ ଏହି ଦିବସର ଗୁରୁତ୍ବ ବଢିଯାଇଛି। ଏଥର ଏହି ଦିବସ ଉପଲକ୍ଷେ ଯେଉଁ ମୁଖ୍ୟ ବିଷୟବସ୍ତୁ ସ୍ଥିର କରାଯାଇଛି ତାହା ହେଲା: କୋଭିଡ୍ -19 ପରିସ୍ଥିତି ନିୟନ୍ତ୍ରଣ ସହିତ ମହିଳା ଓ ବାଳିକାଂକ ସ୍ୱାସ୍ଥ୍ୟ ତଥା ଅଧିକାରକୁ ସୁରକ୍ଷିତ କରିବା। ଜନସଂଖ୍ୟା ବୃଦ୍ଧି ପୃଥିବୀର ଏକ ପ୍ରମୁଖ ସମସ୍ୟା। ବିଶ୍ବର ଦୁଇ ପ୍ରମୁଖ ଜନବହୁଳ ରାଷ୍ଟ୍ର ଚୀନ ଓ ଭାରତରେ ବିଶ୍ବ ଜନସଂଖ୍ୟାର ପାଖାପାଖି ୪୦ ଶତାଂଶ ଲୋକ ବସବାସ କରନ୍ତି। ଅଧିକ ଜନସଂଖ୍ୟାକୁ ଭାରତ ସମେତ କେତେକ ଦେଶ ସକାରାତ୍ମକ ଦୃଷ୍ଟିରୁ ଦେଖୁଛନ୍ତି ଏବଂ ଏହାକୁ ଏକ ସମ୍ବଳ ଭାବେ ବିବେଚନା କରୁଛନ୍ତି। ଦୃଷ୍ଟିକୋଣ ଓ ବିବେଚନା ଯାହା ହେଉନା କାହିଁକି ବିପୁଳ ଜନସଂଖ୍ୟା ଯେ ଏକ ସମସ୍ୟା, ଏ ସତ୍ୟଟିକୁ ସ୍ବୀକାର କରିବାକୁ ପଡ଼ିବ। ଏହି ବିପୁଳ ଜନସଂଖ୍ୟା ବିଶ୍ବର ଯାବତୀୟ ସମସ୍ୟାର ପ୍ରମୁଖ କାରଣ ମଧ୍ୟ। ସଦ୍ୟ ପ୍ରକାଶିତ ଗବେଷଣାତ୍ମକ ତଥ୍ୟ ଅନୁସାରେ ଆଗକୁ ମଣିଷର ହାରାହାରି ଖାଦ୍ୟଗ୍ରହଣ ପରିମାଣ ବଢ଼ିବ। ଖାଦ୍ୟ ଗ୍ରହଣ ଅଭ୍ୟାସରେ ପରିବର୍ତ୍ତନ,ଉଚ୍ଚତା ଓ ଓଜନ ବୃଦ୍ଧି ପାଇଁ ଭବିଷ୍ୟତରେ ମଣିଷ ଏବେଠାରୁ ଅଧିକ ଖାଦ୍ୟ ଖାଇବ। ଏ ଯେଉଁ ଭବିଷ୍ୟତ କଥା କୁହାଯାଉଛି ତାହା ବେଶି ଦୂର ନୁହେଁ; ମାତ୍ର ୩୫ ବର୍ଷର ବ୍ୟବଧାନ। ତେଣୁ ୨୦୫୦କୁ ଯଦି ଏହି ହିସାବରେ ବିଚାରକୁ ନିଆଯାଏ ତେବେ ସେତେବେଳେ ସମଗ୍ର ବିଶ୍ବର ଜନସଂଖ୍ୟା ୯୦୦କୋଟିରେ ପହଞ୍ଚିଥିବ। ଏବେ ଏହା ୭୬୦ କୋଟିରେ ରହିଛି।

ଜନସଂଖ୍ୟାକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ଏବେ ମଧ୍ୟ ଆମ ପାଇଁ ଏକ ଚିନ୍ତାର ବିଷୟ ହୋଇ ରହିଛି। ଏଥିରେ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ, କାରଣ ଏକ ସୀମିତ ସମ୍ବଳଧାରଣକାରୀ ଗ୍ରହରେ ସେଇ ସମ୍ବଳର ଉପଭୋଗକାରୀଙ୍କ ସଂଖ୍ୟା କେବେ ହେଲେ ଅସୀମିତ ହୋଇପାରିବ ନାହିଁ। କୁହାଯାଇଥାଏ ବର୍ତ୍ତମାନ ପୃଥିବୀରେ ଥିବା ପ୍ରାୟ ସାତଶହ କୋଟି ଲୋକ ଯଦି ପ୍ରତ୍ୟେକେ ଜଣେ ଆମେରିକୀୟର ହାରାହାରି ଜୀବନଶୈଳୀ ଉପଭୋଗ କରିବାକୁ ଚାହାଁନ୍ତି, ତେବେ ସେମାନେ ମିଳିତ ଭାବରେ ଯେତିକି ସମ୍ବଳ ଆବଶ୍ୟକ କରିବେ ତାହା ଉପଲବ୍ଧ ହେବା ପାଇଁ ଆମ ପୃଥିବୀ ଭଳି ପାଞ୍ଚଟି ଗ୍ରହ ଦରକାର ହେବ। ଯେହେତୁ ଆମକୁ କେବଳ ଏଇ ଗୋଟିଏ ଗ୍ରହରେ ବାନ୍ଧି ହୋଇ ରହିବାକୁ ହେବ, ଆମ ପାଖରେ ଏହାର ସମାଧାନ ପାଇଁ ଦୁଇଟି ବିକଳ୍ପ ମାତ୍ର ଉପଲବ୍ଧ: ଉପଭୋଗ ସୀମିତ କଲା ଭଳି ଜୀବନ ଶୈଳୀ ଅବଲମ୍ବନ କିଂବା ଜନସଂଖ୍ୟା ନିୟନ୍ତ୍ରଣ।

ଯେହେତୁ ପ୍ରତ୍ୟେକ ଦେଶ ବା ପ୍ରତ୍ୟେକ ସମାଜ ଦାରିଦ୍ର୍ୟକୁ ପଛରେ ପକାଇ ଏକ ‘ଉନ୍ନତ’ ଜୀବନ ଶୈଳୀ ହାସଲ କରିବା ପାଇଁ ଧାଇଁଛନ୍ତି, ତେଣୁ ଦ୍ୱିତୀୟ ବିକଳ୍ପଟିକୁ ହିଁ ଏକ ସମ୍ଭବଜନକ ବିକଳ୍ପ ରୂପେ ଦେଖାଯାଉଛି। କିନ୍ତୁ ଏ ଫର୍ମୁଲା ଯେତେ ସରଳ ଓ ସଳଖ ମନେ ହୋଇଥାଏ, ତାହାର ବାସ୍ତବ ରୂପ ସେପରି ନୁହେଁ। ଗୋଟିଏ ସମାଜର ସଦସ୍ୟମାନଙ୍କୁ ଦୁଇଟି ଅବତାରରେ ଦେଖାଯାଇ ପାରେ। ଗୋଟିଏ ହେଉଛି ଖାଉଟି ଅବତାର, ଅନ୍ୟଟି ହେଉଛି ଉତ୍ପାଦନକାରୀ ଅବତାର। ଜଣେ ଖାଉଟି ରୂପେ ବ୍ୟକ୍ତି ପ୍ରତି ପଦକ୍ଷେପରେ ଜନବହୁଳତା ଜନିତ ନିର୍ଯାତନାର ସମ୍ମୁଖୀନ ହୋଇଥାଏ। ଆପଣ ଯଦି ରେଳ ଯାତ୍ରୀ ବା ବସ୍ ଯାତ୍ରୀ ହୋଇଥାନ୍ତି ଟିକେଟ ଅବା ସିଟ୍ ଟିଏ ପାଇବାକୁ କିଭଳି ହଇରାଣ ହରକତ ହୋଇଥାନ୍ତି, ତାହାର ବର୍ଣ୍ଣନା ଅନାବଶ୍ୟକ। ମୁମ୍ବାଇର ଲୋକାଲ୍ ଟ୍ରେନ୍ କୁ ଦେଖିଲେ ଏହାର ବାସ୍ତବିକତାକୁ ଅନୁଭବ କରିପାରିବେ। ଏଥିରେ ଦୁର୍ଦ୍ଦଶା ଭୋଗ କରୁଥିବା ପ୍ରତ୍ୟେକ ଯାତ୍ରୀ ଚିନ୍ତା କରୁଥିବ ଯେ ସେ ସହରରେ କିଂବା ଏ ଦେଶରେ ଯଦି ଏତେ ସଂଖ୍ୟାରେ ଲୋକ ନଥାନ୍ତେ, ତାକୁ ପ୍ରତିଦିନ ଏପରି ଦହଗଞ୍ଜ ହେବାକୁ ପଡ଼ନ୍ତା ନାହିଁ।

ସେମିତି ଲମ୍ବା ଯାତ୍ରା ପାଇଁ ରେଳ ଟିକେଟିଏ ପାଇବାକୁ ଅପେକ୍ଷା ତାଲିକାରେ ଥିବା ଲୋକମାନେ ମଧ୍ୟ ଭାବୁଥିବେ ଯେ ଜନବହୁଳତା ଯୋଗୁଁ ହିଁ ଅପେକ୍ଷା ତାଲିକାର ଆବିର୍ଭାବ ହୋଇଛି। ଜଣେ କେହି ଜରୁରୀ ଟେଲିଫୋନ କଲାବେଳେ ଯଦି ଯାନ୍ତ୍ରିକ ଉତ୍ତର ଶୁଣିଥାଏ ଯେ ‘ଏହି ରୁଟ୍ ର ସମସ୍ତ ଲାଇନ୍ ବ୍ୟସ୍ତ ଅଛି’, ସେତେବେଳେ ଏହି ଅସୁବିଧା ପଛରେ ଥିବା ମୁଖ୍ୟ କାରଣ ସେଇ ଜନବହୁଳତା ବୋଲି ସେ ମନେ ମନେ ଅଭିଶାପ ଦେଇଥାଏ। ବ୍ୟସ୍ତତାବହୁଳ ସହରରେ ଯେତେବେଳେ ପାର୍କିଂ ଜାଗାଟିଏ ଖୋଜି ଖୋଜି ଜଣେ କାର୍ ଚାଳକ ପାଗଳ ପ୍ରାୟ ଘୂରି ବୁଲୁଥାଏ, ସେ ମଧ୍ୟ ଏହି ଅତିରିକ୍ତ ଲୋକସଂଖ୍ୟାକୁ ଦୋଷ ଦେଇଥାଏ। ସ୍କୁଲ୍ ପିଲାର ‘ଆଡମିସନ୍’ ପାଇଁ ହେଉ କି ନିଜ ବ୍ୟବସାୟ ପ୍ରତିଷ୍ଠାନ ପାଇଁ ବିଜୁଳି ସଂଯୋଗ ପାଇଁ ହେଉ, ନାଗରିକ ଜଣେ ଯେତେବେଳେ ଏହି ଲମ୍ବା ଅପେକ୍ଷା ଧାଡ଼ିର ସାମନା କରିଥାଏ, ସେତେବେଳେ ସେ ହୃଦୟଙ୍ଗମ କରେ ଯେ ଲୋକସଂଖ୍ୟା ଏତେ ଅଧିକ ହୋଇ ନ ଥିଲେ ଭଲ ହୋଇଥାନ୍ତା।

କିନ୍ତୁ ସେଇ ସମାଜରେ ଯେଉଁମାନେ ଦ୍ରବ୍ୟ ଓ ସେବାର ଉତ୍ପାଦନ କରନ୍ତି, ସେମାନଙ୍କର ଆଭିମୁଖ୍ୟ ଭିନ୍ନ ପ୍ରକାର ହୋଇପାରେ। ଉତ୍ପାଦନ ସର୍ବଦା ଚାହିଦା ଉପରେ ନିର୍ଭର କରେ। ଗ୍ରାହକ ସଂଖ୍ୟା ଯେତେ ଅଧିକ ହୋଇଥାଏ, ଉତ୍ପାଦନ ବା ବ୍ୟବସାୟ ସେତେ ଲାଭଜନକ ହୋଇଥାଏ। ପରିବହନ ବ୍ୟବସାୟୀ ଅଧିକ ଯାତ୍ରୀ ଚାହିଁଥାନ୍ତି, ସପିଙ୍ଗ୍ ମଲ୍ ପ୍ରତିଷ୍ଠାତା ଅଧିକ କ୍ରେତାଙ୍କ ଭିଡ଼ ଦେଖି ପୁଲକିତ ହୋଇଥାନ୍ତି, ଫସଲ ଉତ୍ପାଦନକାରୀ ଅଧିକ ଖାଉଟି ଚାହିଁଥାନ୍ତି, ସ୍କୁଲ, କଲେଜ୍ ସ୍ଥାପନକାରୀ ଅଧିକ ଆଶାୟୀ ଛାତ୍ରଙ୍କ ଭିଡ଼ ଚାହିଁଥାନ୍ତି। ସେମାନେ ତେଣୁ ଜନବହୁଳତାକୁ ଏକ ଅଭିଶାପ ରୂପେ ନଦେଖି ଏକ ଆଶୀର୍ବାଦ ରୂପେ ଦେଖିଥାନ୍ତି।

ଏ ଉଭୟ ଦୃଷ୍ଟିଭଙ୍ଗୀ ପରସ୍ପର ବିରୋଧୀ ମନେ ହୋଇଥାଏ ସତ କିନ୍ତୁ ଏ ଦୁଇ ଦୃଷ୍ଟିଭଙ୍ଗୀ ଧାରଣକାରୀ ଯେ ସମ୍ପୂର୍ଣ୍ଣ ଅଲଗା ଅଲଗା ବ୍ୟକ୍ତି- ତାହା ନୁହେଁ। ଏକ ବିଡ଼ମ୍ବନା ସଦୃଶ ସମାଜର ପ୍ରାୟ ପ୍ରତ୍ୟେକ ବ୍ୟକ୍ତି ବା ଅନୁଷ୍ଠାନ ଗୋଟିଏ ଦୃଷ୍ଟିରୁ ଖାଉଟି ହୋଇଥିବା ବେଳେ ଅନ୍ୟ ଦୃଷ୍ଟିରୁ ଉତ୍ପାଦନକାରୀ ହୋଇଥାଏ। ତେଣୁ ଜନସଂଖ୍ୟା ବହୁଳତା ଏବଂ ଜନସଂଖ୍ୟା ବିରଳତା ମଧ୍ୟରେ ସଂଘାତ ଦୁଇ ଅଲଗା ଅଲଗା ଗୋଷ୍ଠୀ ମଧ୍ୟରେ ନଘଟି ପ୍ରତ୍ୟେକ ଗୋଷ୍ଠୀ ବା ପ୍ରତ୍ୟେକ ବ୍ୟକ୍ତି ମଧ୍ୟରେ ଘଟିଥାଏ। ଭାରତ ୨୦୫୦-୬୦ ସୁଦ୍ଧା ପୃଥିବୀରେ ସର୍ବାଧିକ ଜନବହୁଳ ଦେଶରେ ପରିଣତ ହେବାକୁ ଯାଉଛି। ଜନସଂଖ୍ୟାର ବହୁଳତାର ଅନେକ ଗୁଡିକ ବିଷମ ପରିସ୍ଥିତି ମଧ୍ୟ ସୃଷ୍ଟି କରିଥାଏ। ଯେପରେ ସମଗ୍ର ବିଶ୍ବ ଏବେ ତାହାର ମୋଟ ଜନସଂଖ୍ୟା ପାଇଁ ଆବଶ୍ୟକ ପଡ଼ୁଥିବା ଖାଦ୍ୟଶସ୍ୟ ଓ ଅନ୍ୟାନ୍ୟ ସମାଗ୍ରୀ ଉତ୍ପାଦନ କରିପାରୁନାହିଁ। ଏକ-ଚତୁର୍ଥାଂଶ ଜନସଂଖ୍ୟାକୁ କ୍ଷୁଧାରୁ ରକ୍ଷା କରିବା ପାଇଁ କିଛି ଆଗୁଆ ରାଷ୍ଟ୍ରଙ୍କୁ ଅତିରିକ୍ତ ଖାଦ୍ୟଶସ୍ୟ ଉତ୍ପାଦନ କରିବାକୁ ପଡ଼ୁଛି। ବସୁଧାକୁ କୃତ୍ରିମ ଉପାୟରେ ଅଧିକ ଉତ୍ପାଦନକ୍ଷମ କରିବାରୁ ଏହାର କୁପ୍ରଭାବ ପରିବେଶ ଉପରେ ପଡ଼ୁଛି। ଏଥିରୁ ଚିନ୍ତା କରନ୍ତୁ ଆଉ ୩୫ବର୍ଷ ପରେ ପ୍ରାୟ ୨୫୦କୋଟି ଅତିରିକ୍ତ ଜନସଂଖ୍ୟାକୁ ବର୍ତ୍ତମାନଠାରୁ ଅଧିକ ପରିମାଣରେ ଦୈନିକ ଭୋଜନ ଦେବା ପାଇଁ କି ପ୍ରକାର ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ।

ବିଜ୍ଞାନ ଓ ପ୍ରଯୁକ୍ତି ସର୍ବଦା ମଣିଷର ସହାୟକ ହୋଇଛି ଏବଂ ନୂଆ ସମସ୍ୟାର ସମାଧାନରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିଛି, ଏଥିରେ ଦ୍ବିମତ ହେବାର କିଛି ନାହିଁ। ସେଇ ବିଜ୍ଞାନଭିତ୍ତିକ ଗବେଷଣା କହୁଛି ଆଗକୁ ମଣିଷର ହାରାହାରି ଉଚ୍ଚତା ଏବଂ ଓଜନ ବଢ଼ିବ ତଥା ଏହାର ଦୈନନ୍ଦିନ ଭୋଜନ ପରିମାଣ ବଢ଼ିବ। ୧୯୭୫ରୁ ୨୦୧୪ ପର୍ଯ୍ୟନ୍ତ ୧୮୬ ଦେଶରୁ ସଂଗୃହୀତ ମନୁଷ୍ୟ ସଂକ୍ରାନ୍ତ ତଥ୍ୟାବଳି ସଂଗ୍ରହ କରି ଗବେଷକ ଏହି ତଥ୍ୟ ପ୍ରଦାନ କରିଛନ୍ତି। ସେହି ତଥ୍ୟ ଅନୁସାରେ ୧୯୭୫ରେ ଜଣେ ମଣିଷର ହାରାହାରି ଖାଦ୍ୟଗ୍ରହଣ ୨୪୬୫ କିଲୋ କ୍ୟାଲୋରି ଥିବାବେଳେ ୨୦୧୪ରେ ଏହା ୨୬୧୫ କିଲୋ କ୍ୟାଲୋରିରେ ପହଞ୍ଚିଛି। ପ୍ରାୟ ୪୦ ବର୍ଷ ମଧ୍ୟରେ ଜଣେ ମଣିଷର ହାରାହାରି ଖାଦ୍ୟ ଗ୍ରହଣ ଯଦି ୧୨୯ ଶତାଂଶ ବଢ଼ୁଛି ଆଗାମୀ ୫୦ ବର୍ଷ ମଧ୍ୟରେ ପରିସ୍ଥିତି କଣ ହେବ ତାହା ଅନୁମାନ କରିବା କଷ୍ଟ ନୁହେଁ। ଏଭଳି ପରିସ୍ଥିତିରେ ୧୩୦ କୋଟି ଜନସଂଖ୍ୟା ବିଶିଷ୍ଟ ବିଶ୍ବର ଦ୍ବିତୀୟ ଜନବହୁଳ ରାଷ୍ଟ୍ର ଭାରତର ଅବସ୍ଥା କଣ ହେବ ସେ କଥା ଗୁରୁତ୍ବରସହ ଚିନ୍ତା କରିବାର ସମୟ ଆସିଛି। ଏଣୁ ବିଶ୍ୱ ଜନ ସଂଖ୍ୟା ଦିବସର ଅନୁଚିନ୍ତା କେବଳ ଜନସଂଖ୍ୟା ନିୟନ୍ତ୍ରଣ ନହୋଇ ଏଥିରେ କିପରି ସନ୍ତୁଳନ ଅଣାଯିବ, ତାହା ହେବା ଉଚିତ।

Comments are closed.