କରୋନା ଯୋଦ୍ଧା: ଗୋଟିଏ କରୁଣ ଦୃଶ୍ୟ

ଭୁବନେଶ୍ବର: ଉପରେ ଦିଆଯାଇଥିବା ଫଟୋ ପଛରେ ଯେଉଁ କରୁଣ କାହାଣୀ ଅଛି ସେ ବାବଦରେ ଉଲ୍ଲେଖ କରିବା ଆଗରୁ ଆମେ ପ୍ରଥମେ ଅନ୍ୟ ଗୋଟିଏ ଘଟଣା ଉପରେ ନଜର ଦେବା। ଦୁଇଦିନ ତଳେ ଅମିତାଭ ବଚ୍ଚନ, ପରେ ପରେ ତାଙ୍କ ପୁଅ ଅଭିଷେକ ବଚ୍ଚନ ଓ ତହିଁ ପରଦିନ ବୋହୂ ଐଶ୍ବର୍ଯ୍ୟା ରାୟ ଓ ନାତୁଣୀ ଆରାଧ୍ୟା କରୋନା ସଂକ୍ରମିତ ହେଲେ। ସଙ୍ଗେସଙ୍ଗେ ଏମାନଙ୍କୁ ଦେଶର ସବୁଠୁ ନାମୀ ଡାକ୍ତରଖାନାରେ ଶଯ୍ୟା ମିଳିଗଲା। ମୁମ୍ବାଇ ମହାନଗର କର୍ତ୍ତୃପକ୍ଷ ତତ୍ପରତାର ସହ ବଚ୍ଚନଙ୍କ ଘରେ ପହଞ୍ଚି ସାନିଟାଇଜ୍ କରିବା ସହ ଅନ୍ୟାନ୍ୟ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଗଲା। ଏ ଖବର ଦିବସବ୍ୟାପୀ ଗଣମାଧ୍ୟମର ପ୍ରମୁଖ ପ୍ରସଙ୍ଗ ପାଲଟିଲା। ଏପରିକି ଅମିତାଭଙ୍କୁ ରାତିରେ କିଭଳି ନିଦ ହେଲା, ସକାଳୁ ଉଠି ସେ ଜଳଖିଆରେ କ’ଣ ଖାଇଲେ ଏ ସମସ୍ତ ଟିକିନିଖି ଖବର ଆମ ପାଖରେ ପହଞ୍ଚାଇବାରେ ଗଣମାଧ୍ୟମର ଉତ୍ସାହ ଦେଖିଲା ଭଳି।
ଦେଶରେ କରୋନା ଲଢ଼େଇ ସହ ଅମିତାଭଙ୍କର ପ୍ରାୟ ସମ୍ପର୍କ ନଥିଲା। ଗରୀବ ପ୍ରବାସୀଙ୍କ ଦୁଃଖ ନେଇ ଦିନେ ବି ସେ ଦରଦ ଦେଖାଇ ନ ଥିଲେ। ଅନ୍ୟ କେତେକ ସହୃଦୟ ଅଭିନେତାଙ୍କ ଭଳି ଅମିତାଭ ବା ତାଙ୍କ ପରିବାର କେବେ ନିସ୍ବାର୍ଥପର ସହଯୋଗର ହାତ ବଢ଼ାଇନଥିଲେ। କେବଳ ଏକ ସରକାରୀ ବିଜ୍ଞାପନରେ ସେ ଦେଖାଦେଇ “ଆରୋଗ୍ୟ ସେତୁ” ଆପ୍ ବ୍ୟବହାର କରି କିଭଳି କରୋନାରୁ ନିଜକୁ ରକ୍ଷାକରି ହେବ ସେ ବାବଦରେ ଦେଶବାସୀଙ୍କୁ ବୁଝାଇଥିଲେ। ଏ ବିଜ୍ଞାପନ ବାବଦରେ ରାଜକୋଷରୁ ତାଙ୍କୁ ପାରିଶ୍ରମିକ ମିଳିଥିବ ଅବଶ୍ୟ। ଦ୍ବିତୀୟ କଥା, ସମ୍ଭବତଃ ଆରୋଗ୍ୟ ସେତୁ ସେ ନିଜେ ବ୍ୟବହାର କରୁ ନ ଥିଲେ ବା ଯଦି କରୁଥିଲେ ତା ସତ୍ତ୍ବେ ମଧ୍ୟ ସେ କରୋନାରେ ପୀଡ଼ିତ ହେଲେ ବୋଲି ବୁଝିବାକୁ ହେବ।
ତେବେ ସମାନ ସମୟରେ ଓଡ଼ିଶାର ଗୋଟିଏ ଅଖ୍ୟାତ ପଲ୍ଲୀରେ ଜଣେ କୋଭିଡ୍ ଯୋଦ୍ଧା, ଯିଏ କରୋନା ଲଢ଼େଇରେ ପ୍ରତ୍ୟକ୍ଷ ଭାବେ ନିଜ ଜୀବନକୁ ବାଜି ଲଗାଇ ଆମକୁ ସୁରକ୍ଷା ଦେଉଥିଲେ, ତାଙ୍କର ଏହି ମହାମାରୀରେ ମୃତ୍ୟୁ ହେଲା। ମୃତ କରୋନା ଯୋଦ୍ଧା ଜଣକ ହେଲେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ର ଜଣେ ଅଙ୍ଗନଓ୍ବାଡ଼ି କର୍ମୀ। ସରକାର ତାଙ୍କୁ କରୋନା ଯୋଦ୍ଧା ଘୋଷଣା କରିଛନ୍ତି। ସାନଖେମୁଣ୍ଡି ବ୍ଲକ୍ରେ କରୋନା ମୁକାବିଲା ଦାୟିତ୍ବରେ ଥିବା ସମୟରେ ସେ ନିଜେ ଏହି ଭୂତାଣୁର ଶିକାର ହେଲେ। ମହିଳା ଜଣକ ଘରେ ସଙ୍ଗରୋଧରେ ରହିଲେ ଓ ଫୋନ୍ କରି ଆମ୍ବୁଲାନ୍ସ ମଗାଇବାକୁ ଚେଷ୍ଟା କଲେ। ସଠିକ୍ ସମୟରେ ଆମ୍ବୁଲାନ୍ସ ସେବା ପାଇବାରେ ବିଫଳ ହେବାରୁ ପରିବାର ଲୋକ ତାଙ୍କୁ ଅଟୋଟିଏ କରି ଡାକ୍ତରଖାନା ଘେନିଗଲେ। ଦୁର୍ଭାଗ୍ୟ, ଡାକ୍ତରଖାନାରେ ପହଞ୍ଚିବା ଆଗରୁ ତାଙ୍କର ଅଧାରାସ୍ତାରେ ମୃତ୍ୟୁ ହେଲା।
ଏବେ ପରିବାର ଲୋକ କରୋନା ଯୋଦ୍ଧାଙ୍କ ଶବକୁ ଧରି ଗାଁକୁ ଫେରିଲେ। ଯେଉଁମାନଙ୍କର ସେବାରେ ମହିଳା ଜଣକ ନିଜକୁ ସମର୍ପିତ କରି ଜୀବନ ହାରିଲେ ଏବେ ସେମାନଙ୍କ ପାଇଁ ତାଙ୍କ ଶବ ପାଲଟିଲା ଅଛୁଆଁ। ଗାଁ ଲୋକ ସଂକ୍ରମଣ ଭୟରେ କେହି ବି କାନ୍ଧ ଦେବାକୁ ଆସିଲେନାହିଁ। ଅନନ୍ୟୋପାୟ ହୋଇ ସ୍ବାମୀ ଓ ଝିଅ କରୋନା ଯୋଦ୍ଧାଙ୍କର ଶବକୁ ଗାଁ ମଶାଣିକୁ ନେଇଗଲେ। ପତ୍ନୀଙ୍କ ଶବ ପାଖରେ ଝିଅକୁ ଛାଡ଼ି ସ୍ବାମୀ ବାହାରିଗଲେ କାଠ ସଂଗ୍ରହରେ। ଉପରେ ଯେଉଁ ଫଟୋଟି ଦିଆଯାଇଛି, ଏ ଫଟୋଟି ସେହି ସମୟର। ଫଟୋରେ ମୃତ କରୋନା ଯୋଦ୍ଧାଙ୍କ ପାଖରେ ଝିଅ ବସିଛନ୍ତି।
ଜଣେ କରୋନା ସଂକ୍ରିମତ ବା ସନ୍ଦିଗ୍ଧଙ୍କୁ ଲୋକେ ନ ଛୁଇଁବା କିଛି ଅସ୍ବାଭାବିକ କଥା ନୁହେଁ। ଗୋଟିଏ ପଟେ ସେଲିବ୍ରିଟି ରୋଗୀଙ୍କୁ ରାଜକୀୟ ସୁବିଧା ଓ ତ୍ବରିତ ସେବା ମିଳୁଥିବା ବେଳେ ଅସଲ କରୋନା ଯୋଦ୍ଧାଙ୍କ ପ୍ରତି ସରକାରୀ ଅବହେଳା ଆମ ବ୍ୟବସ୍ଥାର ଦ୍ବେତ ଚରିତ୍ରକୁ ଆହୁରି ଉଜ୍ଜ୍ବଳ କରୁଛି। କରୋନା ମୁକାବିଲା ଲାଗି ନିଜର ଜୀବନ ଉତ୍ସର୍ଗ କରିଦେଇଥିବା ଲୋକଟିର ପରିବାର ପରେ ସରକାରଙ୍କ ଠାରୁ କି ସମ୍ମାନ ବା ଆର୍ଥିକ ସହଯୋଗ ପାଇବେ ତାହା ଗୁରୁତ୍ବପୂର୍ଣ୍ଣ ନୁହେଁ। ଗୁରୁତ୍ବପୁର୍ଣ୍ଣ ହେଉଛି ଯବାନଟିଏ ଯୁଦ୍ଧରେ ପ୍ରାଣ ହାରିବା ପରେ ତାଙ୍କର ମରଶରୀରକୁ ସରକାରୀ ସ୍ତରରେ ଯେଉଁ ସମ୍ମାନ ଓ ସ୍ବୀକୃତି ମିଳେ ତାହାର କାଣିଚାଏ ବି କରୋନା ଲଢ଼େଇରେ ଜୀବନ ହାରୁଥିବା ବ୍ୟକ୍ତି ପାଉନାହିଁ। କରୋନା ଆକ୍ରାନ୍ତ ବୋଲି ଜଣାପଡ଼ିବା ପରେ ସେଲିବ୍ରିଟି ବା ପ୍ରଭାବଶାଳୀ ବ୍ୟକ୍ତି ଯେତିକି ସରକାରୀ ଓ ସାମାଜିକ ସୁବିଧା ତଥା ସ୍ବାଗତ ପାଉଛି ଗରିବ କରୋନା ଯୋଦ୍ଧାଟି ପାଉଛି ସମ ପରିମାଣର ଅବହେଳା ଓ ଘୃଣା।
ଏ ତ ଭାତ ହାଣ୍ଡିରୁ ଗୋଟିଏ ଉଦାହରଣ ମାତ୍ର। ଦୈନିକ କରୋନାରେ ଆକ୍ରାନ୍ତ ହେଉଥିବା ହଜାର ହଜାର ନିରୀହ ଅର୍ବାଚୀନ ଜନତାଙ୍କର ଅବସ୍ଥା କ’ଣ ହେଉଥିବ ଏଥିରୁ ବେଶ୍ ଅନୁମେୟ। ରାଜଧାନୀର ଶୀତତାପ ନିୟନ୍ତ୍ରିତ ସରକାରୀ ମହଲରେ ବସି କରୋନା ଯୋଦ୍ଧା ଓ କରୋନା ଆକ୍ରାନ୍ତଙ୍କ ପାଇଁ ରାଶି ରାଶି ଯୋଜନା, ସୁବିଧା ଓ ସୁରକ୍ଷାର ଲମ୍ବା ତାଲିକା ପ୍ରସ୍ତୁତିରେ ମାତିଥିବା ଆମ ବ୍ୟବସ୍ଥାର ବାବୁ ଆଉ ସେ ବାବୁଙ୍କ ଖାଉନ୍ଦ ପାଲଟିଥିବା ନିର୍ବାଚିତ ଜନପ୍ରତିନିଧିମାନେ ଏ ସରଳ ସତ୍ୟକୁ ହେଜିବା ବେଳକୁ କେତେ ଯେ କରୋନା ଯୋଦ୍ଧା ଅଛୁ୍ଆଁ-ଅଲୋଡ଼ା ଭାବରେ ଏକ ଲଜ୍ଜାଜନକ ମୃତ୍ୟୁ ଆପଣେଇଥିବେ ତାହାର ହିସାବ କିଏ ରଖୁଛି!