ଅଗଷ୍ଟରେ ବୀମା ଅବଧି ଶେଷ, ସାମ୍ବାଦିକ ତାଲିକା ଦେଉନାହାନ୍ତି ୧୩ ଜିଲ୍ଲାପାଳ

ଭୁବନେଶ୍ବର: ଗୋପବନ୍ଧୁ କର୍ତବ୍ୟରତ ସାମ୍ବାଦିକ ସ୍ବାସ୍ଥ୍ୟ ବିମା ଯୋଜନାର ପଲିସି ଅବଧି ଶେଷ ହେବାକୁ ବସିଥିବା ବେଳେ ସାମ୍ବାଦିକମାନଙ୍କତାଲିକା ଦେଉନାହାନ୍ତି ଜିଲ୍ଲାପାଳ। ରାଜ୍ୟର ୩୦ଟି ଜିଲ୍ଲା ମଧ୍ୟରୁ ୧୩ଟି ଜିଲ୍ଲାର ସାମ୍ବାଦିକ ତାଲିକା ଏଯାଏଁ ସରକାରଙ୍କ ପାଖକୁ ଆସିନାହିଁ। ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ବାରମ୍ବାର ଚିଠି ସତ୍ତ୍ବେ ଜିଲ୍ଲା ପ୍ରଶାସନ ତାଲିକା ଦେବାରେ କାଳକ୍ଷେପଣ କରୁଛନ୍ତି। ଏଣୁ ଆଜି ଏ ନେଇ ୧୩ଟି ଜିଲ୍ଲାକୁ ପତ୍ର ଲେଖିଛନ୍ତି ବିଭାଗୀୟ ଯୁଗ୍ମ ନିର୍ଦ୍ଦେଶକ ବରଦାପ୍ରସନ୍ନ ଦାସ।
କଟକ, ପୁରୀ, ଗଞ୍ଜାମ, ଗଜପତି, ଝାରସୁଗୁଡ଼ା, ବରଗଡ଼, କୋରାପୁଟ, ମୟୂରଭଞ୍ଜ, ଜଗତସିଂହପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, କଳାହାଣ୍ଡି ଓ ଭଦ୍ରକ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଆଜି ପତ୍ର ଲେଖିଛନ୍ତି ଯୁଗ୍ମ ନିର୍ଦ୍ଦେଶକ। ଗତ ଜୁନ୍ ୮ ଓ ଜୁନ୍ ୩୦ ତାରିଖରେ ଦୁଇଥର ଏ ନେଇ ପତ୍ର ଲେଖାଯାଇଥିଲେ ବି ଜିଲ୍ଲାପାଳମାନେ ତାଲିକା ଦେଉନାହାନ୍ତି ବୋଲି ଚିଠିରେ ଉଲ୍ଲେଖ ରହିଛି। ୨୦୨୦-୨୧ ବର୍ଷ ପାଇଁ ବୀମା ପଞ୍ଜୀକରଣ ଅବଧି ଅଗଷ୍ଟ ୩୧ ତାରିଖରେ ଶେଷ ହେବାକୁ ଥିବା ବେଳେ ତୁରନ୍ତ ତାଲିକା ଦେବାକୁ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁୁ ଲେଖିଛନ୍ତି ଯୁଗ୍ମ ନିର୍ଦ୍ଦେଶକ। ଚିଠିଟିକୁ ଅତ୍ୟନ୍ତ ଜରୁରୀ ମନେକରି ତଦନୁଯାୟୀ କାର୍ଯ୍ୟ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ରହିଛି।