Odisha Link
Bridging the Missing Links in Odisha

ଆସ ସଂକଳ୍ପ ନେବା, ବାଘକୁ ସୁରକ୍ଷା ଦେବା

କୋରାପୁଟ ଜିଲ୍ଲା ଜୟପୁର ପାଖରେ ରହିଛି ଗୋଟିଏ ଛୋଟିଆ ଆଦିବାସୀ ଗାଁ ଦୁବୁଲି। ପରଜା ସଂପ୍ରଦାୟର ଆଦିବାସୀ ଏଠାରେ ରୁହନ୍ତି। ଗାଁର ଏଇଥି ପାଇଁ ଚର୍ଚ୍ଚିତ ଏଠାକାର ଲୋକେ ବାଘକୁ ପୂଜା କରିଥାନ୍ତି। ଗାଁର ସୁରକ୍ଷା, ସମୃଦ୍ଧି ସହ ନିରୋଗ ରହିବା ତଥା ଭଲ ଅମଳ ପାଇଁ ଆଦିବାସୀ ଲୋକେ ବାଘପୂଜା କରନ୍ତି। ପରଜା ଧର୍ମୀୟ ଭାବନାରେ ବନ୍ୟପ୍ରାଣୀଙ୍କ ପୂଜାର୍ଚ୍ଚନା କାଇଁ କେଉଁ କାଳରୁ ଚଳି ଆସିଛି। ତେବେ ଗଡପଦର ପଞ୍ଚାୟତ ଅନ୍ତର୍ଗତ ଦୁବୁଲି ଗାଁର ଏହି ଭିନ୍ନ ପରମ୍ପରା ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହେଇଯିବେ। ପରଜା ସମ୍ପ୍ରଦାୟର ଆଦିବାସୀମାନେ ବାଘକୁ ଦେବତା ଭାବେ ମାନିଥାନ୍ତି। ପଢାବହିରେ ବାଘକୁ ଆମେ ସାଧାରଣତଃ ବାଘ ମାମୁ ବୋଲି ସମ୍ବୋଧନ କରୁ। କିନ୍ତୁ ଏହି ପରଜା ଆଦିବାସୀମାନଂକ ପାଇଁ ବାଘ ସେମାନଂକ ପରିବାରର ସଦସ୍ୟ। କୋରାପୁଟ ଜିଲ୍ଲାର ପୂର୍ବଘାଟ ପର୍ବତମାଳା ନିକଟରେ ବହୁ ସଂଖ୍ୟାରେ ପରଜା ସମ୍ପ୍ରଦାୟ ଆଦିବାସୀ ରହନ୍ତି। ସମୟ ଥିଲା ଗଡପଦର ପାହାଡ ଓ ଆଖପାଖ ଜଙ୍ଗଲରେ ବହୁ ସଂଖ୍ୟାରେ ବାଘ ରହୁଥିଲେ। ଏହି ବାଘ ଜଙ୍ଗଲ ଓ ଆଦିବାସୀଙ୍କ ଚାଷ ଜମିକୁ ସୁରକ୍ଷା ଦିଅନ୍ତି ବୋଲି ଏଠାରେ ବିଶ୍ୱାସ ପ୍ରଚଳିତ। ବାଘେଶ୍ୱର ଦେବତା ଭାବେ ବାହାଘର, ଚାଷବାସ କିମ୍ବା ପିଲାଜନ୍ମ ହେବା ପୂର୍ବରୁ ବାଘ ପୂଜା କରାଯାଇଥାଏ। ଯେତେବେଳେ ଅନେକ ସ୍ଥାନରେ ବାଘ-ମଣିଷ ସଂଘର୍ଷ ଓ ଲଢେଇର ଭୟାବହତା ଦେଖିବାକୁ ମିଳେ, ସେଇ ସମୟରେ ଦୁବୁଲି ଗାଁ ଲୋକଙ୍କ ବାଘ ସହ ଏହି ସଂପର୍କ, ବାଘ ସୁରକ୍ଷା କ୍ଷେତ୍ରରେ ମାଇଲ ଖୁଣ୍ଟ କହିଲେ ବି ଭୁଲ୍ ହେବନି।

ଆପଣମାନେ ସମସ୍ତେ ଜାଣିଥିବେ ପ୍ରତିବର୍ଷ ଜୁଲାଇ ୨୯ରେ ଆନ୍ତର୍ଜାତିକ ବ୍ୟାଘ୍ର ଦିବସ ପାଳନ କରାଯାଇଥାଏ। ଏହାର ଇତିହାସ ଉପରେ ନଜର ପକାଇଲେ ଜଣାପଡେ, ୨୦୧୦ ମସିହାରେ ରୁଷିଆର ସେଂଟ ପିଟର୍ସଠାରେ ପ୍ରଥମ ଥର ପାଇଁ ଆନ୍ତର୍ଜାତିକ ଟାଇଗର ଫୋରମ୍ ଆୟୋଜନ କରାଯାଇଥିଲା। ଏହାଥିଲା ପୃଥିବୀର ପ୍ରଥମ ବ୍ୟାଘ୍ର ଶିଖର ସମ୍ମିଳନୀ। ଏହାର ଆୟୋଜକ ଥିଲେ ରୁଷିଆର ତତ୍କାଳୀନ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ଓ ବିଶ୍ୱବ୍ୟାଙ୍କର ସଭାପତି ରବର୍ଟ ଜୋଲିକ୍। ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ଥିଲା, ବିଶ୍ୱସ୍ତରରେ କିପରି ବାଘଙ୍କୁ ସୁରକ୍ଷା ଦିଆଯାଇପାରିବ ଓ ଏମାନଙ୍କ ସଂଖ୍ୟାକୁ ଦୁଇଗୁଣ କରାଯିବ। ସେବେଠାରୁ ପ୍ରତିବର୍ଷ ଜୁଲାଇ ୨୯ ତାରିଖକୁ ବିଶ୍ୱ ବ୍ୟାଘ୍ର ଦିବସ ଭାବେ ପାଳନ କରାଯାଉଛି। ଆମ ଦେଶରେ ହିସାବପତ୍ରରେ ବର୍ତ୍ତମାନ ବାଘ ସଂଖ୍ୟା ବଢୁଥିଲେ ବି ଚିନ୍ତା କମିନି। ବରଂ ବାଘ ଶିକାର ମଧ୍ୟ ବଢ଼ିବାରେ ଲାଗିଛି। ମାଫିଆଙ୍କ ଲୋଲୁପ ନଜର ଏବେ ଘଞ୍ଚ ଜଙ୍ଗଲ ଉପରେ, ଜଙ୍ଗଲ କ୍ଷୟ ହେବାରେ ଲାଗିଛି। ଫଳରେ ବାସସ୍ଥଳୀ ହରାଇ ବାଘ ଏବେ ସହରମୁହାଁ। ପ୍ରକୃତିର ଏହି ବିରଳ ଜୀବଟିର ସୁରକ୍ଷା କାହା ହାତରେ ତାହା ଏବେ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ। ବାଘଙ୍କ ସୁରକ୍ଷା ଓ ଏଥିପାଇଁ ସଚେତନତାର କଥା ପ୍ରତିବର୍ଷ କୁହାଯାଉଛି, ହେଲେ ବାସ୍ତବରେ ଏହାକେତେ ଦୂର ସଫଳ ହୋଇପାରିଛି ତାହା ବର୍ତ୍ତମାନ ସମୟରେ ଏକ ବଡ଼ ପ୍ରଶ୍ନ।

ପରିବେଶ ଓ ପ୍ରାଣୀ ହେଉଛନ୍ତି ଠିକ୍‌ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ ପରି। ଗୋଟିକୁ ଛାଡିଲେ ଅନ୍ୟଟିର ଅସ୍ଥିତ୍ବ ନାହିଁ କହିଲେ ଚଳେ। ଆମର ଜୀବନଧାରା, ସଂସ୍କୃତି, ଚାଲିଚଳନ ସବୁଥିରେ ପ୍ରାଣୀଜଗତର କିଛି ନା କିଛି ପ୍ରଭାବ ରହିଛି। ଦେଶ ସ୍ବାଧୀନ ହେବା ପରେ ଆମ ଦେଶରେ ବାଘ ଗଣନା କରାଯାଇଥିଲା। ସେତେବେଳେ ପାଖାପାଖି ୪୦,୦୦୦ ବାଘ ଦେଶରେ ଥିଲେ। କିନ୍ତୁ ୧୯୭୨ ମସିହାରେ ଯେତେବେଳେ ବନ୍ୟ ପ୍ରାଣୀ ସୁରକ୍ଷା ଆଇନ ପ୍ରଣୟନ କରାଗଲା, ସେତେବେଳକୁ ଆମ ଦେଶରେ ମାତ୍ର ୧୮୨୭ଟି ବାଘ ଥିବା ଜଣାଗଲା । ପରବର୍ତ୍ତୀ ସମୟରେ ବିଭିନ୍ନ ବ୍ୟାଘ୍ର ପ୍ରକଳ୍ପ ଜରିଆରେ ବାଘ ସୁରକ୍ଷା ଉପରେ ସରକାର ଗୁରୁତ୍ବ ଦେଇଆସିଛନ୍ତି। ବାଘର ପ୍ରିୟ ସ୍ଥାନ ହେଉଛି ଘଞ୍ଚ ଜଙ୍ଗଲ। ବାଘ ଭୟରେ ଜଙ୍ଗଲ ସୁରକ୍ଷିତ ରୁହେ। ବରଫ ଅଞ୍ଚଳର ବାଘ, ମେଘୁଆ ବାଘ, ଧଳାବାଘ, ଚିତାବାଘ, କଲରା ପତରିଆ ବାଘ ଓ ମହାବଳ ବାଘ ଜୈବ ବିବିଧତାର ଗୋଟିଏ ଗୋଟିଏ ଉଦାହରଣମାତ୍ର। ଖାଦ୍ୟ ଓ ପରିବେଶ ସନ୍ତୁଳନ ରକ୍ଷା କରିବାରେ ଏମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଆସିଛି।

ବିଂଶ ଶଜାବ୍ଦୀର ଆରମ୍ଭରେ ପ୍ରାୟ ୧ ଲକ୍ଷରୁ ଅଧିକ ବାଘ ପୃଥିବୀରେ ବାସ କରୁଥିବା ଜଣାପଡ଼ିଛି । ୧୯୦୦ ମସିହା ପରଠାରୁ ସମଗ୍ର ପୃଥିବୀରେ ବାଘମାନଙ୍କ ସଂଖ୍ୟା କମିବାରେ ଲାଗିଛି । ଏହି ୧୦୫ ବର୍ଷ ମଧ୍ୟରେ ବାଘମାନଙ୍କର ସଂଖ୍ୟା ୯୫ % ଲୋପପାଇ ଗଲେଣି। ପୃଥିବୀର ମୋଟ ୮ ପ୍ରକାର ବାଘମାନଙ୍କ ମଧ୍ୟରୁ ଗତ ୨୦ ବର୍ଷ ମଧ୍ୟରେ ୩ଟି ପ୍ରଜାତିର ବାଘ ସଂପୂର୍ଣ୍ଣ ଲୋପ ପାଇଗଲେଣି। ଚୀନ, ଋଷିଆ, ଭିଏତନାମ, ମାଲେସିଆ, କାମ୍ବୋଡ଼ିଆ, ଦକ୍ଷିଣ କୋରିଆ, ଥାଇଲାଣ୍ଡ, ନେପାଳ, ବର୍ମା, ପାକିସ୍ଥାନ, ଭୂଟାନ, ବାଲାଂଦେଶ ଓ ଭାରତରେ ପ୍ରମୁଖ ଭାବେ ବାଘ ଦେଖାଯାଇଥାନ୍ତି। ଏକ ବିରଳ ପ୍ରଜାତି ବାଘ ଚୀନ ଦେଶରେ ଦେଖାଯାଏ। ଏବେ ସେମାନଙ୍କ ସଂଖ୍ୟା ପ୍ରାୟ ୫୦ରୁ କମ୍‌ରେ ଆସି ପହଞ୍ଚିଲାଣି । ଆଉ ଅଳ୍ପଦିନରେ ସେମାନେ ପୃଥିବୀରୁ ସଂପୂର୍ଣ୍ଣ ନିଶ୍ଚିହ୍ନ ହୋଇଯିବାର ଆଶଙ୍କା ଦେଖାଦେଇଛି। ବାଘ ଏକଦା ଉତ୍ତର ଗୋଲାର୍ଦ୍ଧର ସୁଦୂର ସାଇବେରିଆଠାରୁ ଦକ୍ଷିଣ ଗୋଲାର୍ଦ୍ଧର ଇଣ୍ଡୋନେସିଆ ଏବଂ ବାଲି ଦୀପ ଯାଏଁ, ପଶ୍ଚିମରେ ତୁର୍କୀଠାରୁ ପୂର୍ବରେ ରୁଷ ଓ ଚୀନ୍ ବେଳାଭୂମି ପର୍ଯ୍ୟନ୍ତ ଦେଖାଯାଉଥିଲେ। ବରଫାବୃତ୍ତ ଅତି ଥଣ୍ଡାଠାରୁ ଆରମ୍ଭ କରି ଅତି ଉଷ୍ମ ଜଳବାୟୁ ପରିବେଶରେ ନିଜକୁ ଖାପଖୁଆଇ ବାଘବଂଶ ଅନାୟସରେ ବାସ କରିପାରୁଥିଲେ। ପୃଥିବୀରେ ମୋଟ ପାଞ୍ଚଟି ପ୍ରଜାତିର ବାଘମାନଂକ ସଂଖ୍ୟା ଏବେ ପ୍ରାୟ ୧୨,୦୦୦ରେ ପହଞ୍ଚି ଅଛି। ସେହି ପାଞ୍ଚଟି ପ୍ରଜାତି ହେଲା- କ) ବେଙ୍ଗଲ୍‌ ଟାଇଗର, ଖ) ଇଣ୍ଡୋ-ଚୀନ୍ ପ୍ରଜାତି, ଗ) ଦକ୍ଷିଣ ଚୀନ୍ ପ୍ରଜାତି, ଘ) ସାଇବେରିଆ ପ୍ରଜାତି ଓ ଙ) ସୁମାତ୍ରା ପ୍ରଜାତି।

ଭାରତ ସରକାର ୧୯୭୨ରେ ମହାବଳ ବାଘକୁ ଜାତୀୟ ପଶୁର ମାନ୍ୟତା ଦେଇଛନ୍ତି। ଏମାନେ ମୁଖ୍ୟତଃ ଭାରତ, ନେପାଳ, ବାଂଲାଦେଶ, ମିଆଁମାର ଓ ଶ୍ରୀଲଙ୍କା ଆଦି ଦେଶମାନଙ୍କରେ ଦେଖାଯାଆନ୍ତି। ଘଞ୍ଚ ଜଙ୍ଗଲ, ହେନ୍ତାଳ ବଣ, ବୁଦୁବୁଦୁକିଆ ଘାସ ଜଙ୍ଗଲ ଏମାନଙ୍କର ଚଳପ୍ରଚଳର ପ୍ରକୃଷ୍ଟ ସ୍ଥାନ। ଏସବୁ ସ୍ଥାନର ଅଭାବକୁ ଆଖି ଆଗରେ ରଖି ଭାରତ ସରକାର ୧୯୨୩ରେ ପ୍ରୋଜେକ୍ଟ ଟାଇଗରର ଶୁଭାରମ୍ଭ କରିଥିଲେ। ବିଶ୍ୱସ୍ତରୀୟ ବ୍ୟାଘ୍ର ଗଣନା ଅନୁସାରେ, ଶତକଡା ୭୦ ଭାଗ ବାଘ କେବଳ ଭାରତରେ ଅଛନ୍ତି। ୨୦୧୮ର ବାଘ ଗଣନା ରିପୋର୍ଟ ଅନୁସାରେ ଭାରତରେ ବାଘ ସଂଖ୍ୟା ପୂର୍ବ ତୁଳନାରେ ବୃଦ୍ଧି ପାଇଛି। ଏବେ ପ୍ରାୟ ଦେଶର ବିଭିନ୍ନ ଜଙ୍ଗଲ ଓ ବ୍ୟାଘ୍ର ପ୍ରକଳ୍ପ ଅଂଚଳରେ ୨୯୬୭ଟି ବାଘ ରହିଛନ୍ତି। ଗତ ଚାରି ବର୍ଷ ମଧ୍ୟରେ ବାଘଙ୍କ ସଂଖ୍ୟା ଶତକଡା ୩୩ ଭାଗ ବୃଦ୍ଧି ପାଇଛି। ୨୦୧୪ରେ ଦେଶରେ ବାଘ ସଂଖ୍ୟା ୨୨୨୬ ଥିଲା। ଏବେ ମଧ୍ୟପ୍ରଦେଶରେ ବାଘ ମାନଙ୍କ ସଂଖ୍ୟା ସର୍ବାଧିକ ୫୨୬ ରହିଥିବା ବେଳେ କର୍ଣ୍ଣାଟକ ରେ ବାଘ ସଂଖ୍ୟା ୫୨୪ ଓ ଉତ୍ତରାଖଣ୍ଡରେ ବାଘ ସଂଖ୍ୟା ୪୪୨ ରହିଛି। ସେହିପରି ଉତ୍ତରପ୍ରଦେଶରେ ୧୭୩, ତାମିଲନାଡୁରେ ୨୬୪, କେରଳରେ ୧୯୦ ବାଘ ଥିବା ଜଣାପଡିଛି। ବାଘ ଗଣନା ପାଇଁ ସଠିକ ପଦ୍ଧତିରେ ସର୍ଭେ ତଥା ଉନ୍ନତମାନର ଯନ୍ତ୍ରପାତି, ଟ୍ରାପ୍ କ୍ୟାମେରା ଆଦି ବ୍ୟବହାର ଫଳରେ ବାଘ ସଂଖ୍ୟା ଗଣନାରେ ପ୍ରାୟତଃ ତ୍ରୁଟିଶୂନ୍ୟ ରହୁଛି। ତେବେ ଆମ ରାଜ୍ୟ ଓଡ଼ିଶାରେ ୨୦୧୪ରେ ବାଘ ସଂଖ୍ୟା ୨୮ ଥିଲା ଓ ୨୦୧୮ରେ ବି ଏହି ସଂଖ୍ୟା ସମାନ ରହିଛି। ୨୦୧୮ ବାଘ ଗଣନା ଅନୁସାରେ ଦେଶରେ ବାଘ ସଂଖ୍ୟା ୩୩ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ରାଜ୍ୟରେ ବିଗତ ଚାରି ବର୍ଷ ମଧ୍ୟରେ ରାଜ୍ୟରେ ବାଘ ସଂଖ୍ୟା ବୃଦ୍ଧି ପାଇନାହିଁ । ବିଲୁପ୍ତ ପ୍ରାୟ ପ୍ରଜାତି ଭାବରେ ବାଘ ଆଇୟୁସିଏନ ରେଡ ଡେଟ ପୁସ୍ତକରେ ସ୍ଥାନ ପାଇଥିବା ଓ ବନ୍ୟପ୍ରାଣୀ (ସଂରକ୍ଷଣ) ଆଇନ ୧୯୭୨ ଅନ୍ତର୍ଗତ ସିଡ୍ୟୁଲ ୧ରେ ସଂରକ୍ଷଣ ପାଉଥିବା ବେଳେ ଏହାର ବଂଶ ବୃଦ୍ଧି ନହେବା ରାଜ୍ୟର ପରିବେଶବିତଙ୍କୁ ଚିନ୍ତାରେ ପକାଇଛି। ଶିମିଳିପାଳ ଜାତୀୟ ଅଭୟାରଣ୍ୟ, ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ସହିତ ସୁନ୍ଦରଗଡର ହେମଗିରି, ସମ୍ବଲପୁରର ଦେବ୍ରୀଗଡ ଓ ନୂଆପଡାର ସୁନାବେଡା ଅଭୟାରଣ୍ୟରେ ବାଘ ଥିବା ନେଇ ବନ ବିଭାଗ ଅତୀତରେ କହିଥିଲେ ବି ଶୀକାର ବଢୁଥିବାରୁ ବାଘଂକ ସଂଖ୍ୟା ବଢୁନି ବୋଲି ଆଶଙ୍କା ଉପୁଜିଛି। ସମାନ ଭାବେ ଛତିଶଗଡ, ଆନ୍ଧ୍ରପ୍ରଦେଶରେ ମଧ୍ୟ ବାଘ ସଂଖ୍ୟା କମିବାରେ ଲାଗିଛନ୍ତି।

ଗୋଟିଏ ତଥ୍ୟରୁ ଜଣାପଡେ, ଗତ ୮ ବର୍ଷ ଅର୍ଥାତ ୨୦୧୨ରୁ ୨୦୧୯ ମଧ୍ୟରେ ଦେଶରେ ପ୍ରାୟ ୭୫୦ଟି ବାଘ ମୃତ୍ୟୁବରଣ କରିଛନ୍ତି। ମୁଖ୍ୟତଃ ପ୍ରାକୃତିକ ଓ ଶିକାର ଜନିତ କାରଣରୁ ଅଧିକାଂଶ ବାଘଙ୍କ ମୃତ୍ୟୁ ହୋଇଛି। ମଧ୍ୟପ୍ରଦେଶରେ ସର୍ବାଧିକ ୧୭୩ ବାଘଙ୍କ ମୃତ୍ୟୁ ହୋଇଛି। ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ଦ୍ୱାରା ପ୍ରଦତ୍ତ ତଥ୍ୟ ଅନୁସାରେ ମୃତ୍ୟୁବରଣ କରିଥିବା ମୋଟ ୭୫୦ ବାଘଙ୍କ ମଧ୍ୟରୁ ୩୬୯ ଟି ବାଘ ପ୍ରାକୃତିକ କାରଣରୁ , ୧୬୮ଟି ବାଘ ଶିକାର ଜନିତ କାରଣରୁ ୪୨ଟି ଅପ୍ରାକୃତିକ କାରଣରୁ ଓ ଅବଶିଷ୍ଠ ୭୦ଟି ବାଘଙ୍କ ମୃତ୍ୟୁର କାରଣ ଜଣାପଡ଼ିନାହିଁ। ଏସବୁ ସତ୍ୱେ ବି ଭାରତରେ ବାଘସଂଖ୍ୟା ବଢୁଛି ଏହା ଏକ ଖୁସୀ ଖବର। ଅନେକ ରାଜ୍ୟରେ ନିଷ୍ଠାପର ବନ କର୍ମଚାରୀଂକ ଉଦ୍ୟମ ଓ କଡା ପାଟ୍ରୋଲିଂ କାରଣରୁ ଶୀକାର ଅନେକ ପରିମାଣରେ ରୋକାଯାଇପାରିଛି। ବାଘଂକ ସୁରକ୍ଷା ପାଇଁ ସରକାରୀସ୍ତରରେ ମଧ୍ୟ ଢାଂଚାଗତ ପରିବର୍ତନର ଆବଶ୍ୟକତା ରହିଛି। ପ୍ରୋଜେକ୍ଟ ଟାଇଗର ପରି ପ୍ରକଳ୍ପ କିଛି ବର୍ଷ ହେଲା କେବଳ କାଗଜପତ୍ରରେ ଚାଲୁଥିବାରୁ ଏହାର ସମୀକ୍ଷା ହେବା ସହ ନୂଆ ଯୋଜନା ତିଆରି ହେବା ଦରକାର। ଜଙ୍ଗଲ ଆଇନକୁ ମଧ୍ୟ କଡାକଡି ପାଳନ କରାଯାଉ। ଲୋକଂକୁ ସଚେତନ କରି ବାଘ-ମଣିଷ ଲଢେଇ ଉପରେ ରୋକ୍ ଲାଗୁ। ଆମ ରାଜ୍ୟର ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟରେ କରାଯାଇଥିବା ଆନ୍ତଃରାଜ୍ୟ ବାଘ ସ୍ଥାନାନ୍ତରଣ କାର୍ଯ୍ୟକ୍ରମ ଫେଲ୍ ମାରିବା ପରେ ବାଘ ବଂଶ ବୃଦ୍ଧି ପାଇଁ ଧାର୍ଯ୍ୟ ଲକ୍ଷ୍ୟ ଶୀତଳବାକ୍ସକୁ ଚାଲିଯାଇଛି। ଏଇକ୍ରମରେ ଆସିଥିବା ବାଘୁଣୀ ସୁନ୍ଦରୀକୁ ମଧ୍ୟପ୍ରଦେଶକୁ ଫେରାଇଦିଆଯିବ କି ନାହିଁ ତାକୁ ନେଇ ମଧ୍ୟ ଅଡ଼ୁଆ ତୁଟୁନି। ସେହିପରି ଅତୀତ ଦିନମାନଂକରେ ସାତକୋଶିଆରେ ମହାବଳ ମହାବୀରର ମୃତ୍ୟୁ, ବରଗଡ-ସମ୍ବଲପୁର ପାଖ ଦେବ୍ରୀଗଡ ଜଙ୍ଗଲରେ ମହାବଳ ଶୀକାର ଘଟଣା ଗୋଟିଏ କଥାକୁ ସ୍ପଷ୍ଟ କରୁଛି ଜଙ୍ଗଲର ମହାବଳ ଏବେ ବିପଦରେ ଏବେ ସଙ୍କଟରେ, ତାକୁ ସୁରକ୍ଷା ଦରକାର।

ନୂଆଦିଲ୍ଲୀ, ମୋ- ୯୪୩୮୨୯୬୫୧୯

Comments are closed.